କନକ ବ୍ୟୁରୋ : କରୋନା ବିରୋଧୀ ଲଢେଇରେ ପୁଣି ଥରେ ବିଶ୍ୱକୁ ବାଟ ଦେଖାଇଛି ଭାରତ । ସ୍ୱଦେଶୀ ଟିକା କୋଭାକ୍ସିନ୍ ପ୍ରସ୍ତୁତ କରିଥିବା ଭାରତ ବାୟୋଟେକ୍ କମ୍ପାନୀ ଆଣିବାକୁ ଯାଉଛି, ଇଂଟ୍ରାନାଜାଲ୍ କରୋନା ଭାକସିନ୍ । ତୃତୀୟ ପର୍ଯ୍ୟାୟ କ୍ଲିନିକାଲ ଟ୍ରାଏଲ ପାଇଁ କମ୍ପାନୀକୁ ଅନୁମତି ଦେଇଛି ଡିସିଜିଆଇ । ସାରା ବିଶ୍ୱରେ ପ୍ରାୟ ୧୨ଟି ସଂସ୍ଥା ନାକରେ ଦିଆଯାଉଥିବା ଟିକା ବିକାଶରେ ଲାଗିଥିବା ବେଳେ ଭାରତ ଏ ଦିଗରେ ଆଗରେ ରହିଛି । କରୋନା ଭୂତାଣୁ ନାକ ଓ ଗଳା ଦେଇ ସଂକ୍ରମିତ ହେଉଥିବାରୁ ଏହି ଟିକା ଅଧିକ ପ୍ରଭାବୀ ହେବ ବୋଲି ଆମେରିକାରୁ ପ୍ରକାଶିତ ନ୍ୟୁୟର୍କ ଟାଇମ୍ସରେ କୁହାଯାଇଛି ।

Advertisment

ବିଶ୍ୱକୁ ବାଟ ଦେଖାଇଲା ଭାରତ । ନାକରେ ଦିଆଯିବ କରୋନା ଟିକା । ସାରା ବିଶ୍ୱ ପାଇଁ ଗେମଚେଞ୍ଜର ସାବ୍ୟସ୍ତ ହୋଇପାରେ ଭାରତ ବାୟୋଟେକର ଇଂଟ୍ରାନାଜାଲ କରୋନା ଟିକା । ନାକରେ ଦିଆଯାଉଥିବା ଏହି ପ୍ରତିଶେଧକ ଟିକାର ତୃତୀୟ ପର୍ଯ୍ୟାୟ ନୈଦାନିକ ପରୀକ୍ଷଣ ପାଇଁ ଅନୁମତି ଦେଇଛି ସର୍ବୋଚ୍ଚ ଭେସଜ ନିୟନ୍ତ୍ରକ ସଂସ୍ଥା ଡିସିଜିଆଇ । ସ୍ୱଦେଶୀ ଟିକା କୋଭାକ୍ସିନ ପ୍ରସ୍ତୁତ କରିଥିବା ହାଇଦ୍ରାବାଦ ସ୍ଥିତ ଭାରତ ବାୟୋଟେକ୍ କମ୍ପାନି ଗତମାସରେ ଏଥିପାଇଁ ଅନୁମତି ଲୋଡିଥିଲା । କମ୍ପାନିର କହିବା ହେଲା ବିବିଭି-୧୫୪ ଟିକା ନାକରେ ଦିଆ ଯାଉଥିବାରୁ ଭୂତାଣୁର ସଂକ୍ରମଣକୁ ରୋକିବାରେ ଅଧିକ ଫଳପ୍ରଦ ହେବ ।

ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ଇଂଟ୍ରାନାଜାଲ ଟିକା ବୁଷ୍ଟର ଡୋଜ୍ ଭାବେ ବେଶ ପ୍ରଭାବୀ ହୋଇପାରିବ । ନାକରେ ଦିଆଯାଉଥିବାରୁ ଏଥିପାଇଁ ଛୁଂଚି ଓ ସିରିଞ୍ଜର ଆବଶ୍ୟକ ନାହିଁ । ପିଲାରୁ ବୟସ୍କ ସବୁ ବୟସ ବର୍ଗଙ୍କୁ ଅତି ସହଜରେ ଟିକା ଦିଆଯାଇପାରିବ । ଅଳ୍ପ ସମୟରେ ଅଧିକ ଲୋକଙ୍କୁ ମଧ୍ୟ ଟିକା ଦେଇ ହେବ ।

କରୋନା ଭୂତାଣୁର ନୂଆ ପ୍ରକାର ଓମିକ୍ରନ୍ ଯୋଗୁଁ ସାରାବିଶ୍ୱରେ ସଂକ୍ରମଣ ହାର ଅଧିକ ରହିଥିବାବେଳେ ଭାରତରେ ନିର୍ମିତ ଏହି ଟିକା ସାରାବିଶ୍ୱ ପାଇଁ ଉପଯୋଗୀ ହୋଇପାରିବ । କାରଣ ଅଳ୍ପ ସମୟରେ ସମୂହ ଟିକାକରଣରେ ସହାୟକ ହେବ ନାକରେ ଦିଆଯାଉଥିବା ବିବିଭି-୧୫୪ ଟିକା । ଡଜନରୁ ଅଧିକ କମ୍ପାନି ଏହିଭଳି ଟିକାର ବିକାଶରେ ଲାଗିଥିବାବେଳେ ଭାରତରେ ପ୍ରଥମେ ଏଭଳି ଟିକା ଉପଲବ୍ଧ ହେବାକୁ ଯାଉଛି । ଯାହା ଦେଶପାଇଁ ଏକ ବଡ ଉପଲବ୍ଧି । କରୋନାର ଦୁଇଟି ଡୋଜ୍ ଟିକା ନେଇଥିବା ବ୍ୟକ୍ତିଙ୍କୁ ବୁଷ୍ଟର ଡୋଜ୍ ଭାବେ ଏହି ଟିକା ଦିଆଯାଇ ପାରିବ ।

ମହାମାରୀର ମୁକାବିଲା ପାଇଁ ସମୂହ ଟିକାକରଣ ଜରୁରୀ । ଭାରତରେ ପ୍ରାୟ ଗୋଟିଏ ବର୍ଷ ଭିତରେ ୧୬୪ କୋଟି ୩୬ ଲକ୍ଷ ଡୋଜ୍ ଟିକା ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ଗୁଡିକୁ ଯୋଗାଇ ଦିଆଯାଇଛି । ଜାନୁଆରୀ ସୁଦ୍ଧା ଦେଶରେ ୭୫ ପ୍ରତିଶତ ପ୍ରାସ୍ତ ବୟସ୍କଙ୍କୁ କରୋନା ଟିକାର ଦୁଇଟି ଡୋଜ୍ ଦିଆଯାଇସାରିଥିବା ସୂଚନା ଦେଇଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଏହାରି ଭିତରେ ବୁଷ୍ଟର ଡୋଜ୍ ଦେବା ମଧ୍ୟ ଆରମ୍ଭ ହୋଇଛି । ତେଣୁ ଏହି ପ୍ରକ୍ରିୟାକୁ ବହୁଗୁଣିତ କରିବାରେ ସହାୟକ ହେବ ଭାରତ ବାୟୋଟେକ ଇଂଟ୍ରାନାଜାଲ ଟିକାର ବୁଷ୍ଟର ଡୋଜ୍ ।

ସାରାବିଶ୍ୱ କରୋନା ମହାମାରୀ ସହ ମୁକାବିଲା କଲାବେଳେ ଚିକିତ୍ସା ବିଜ୍ଞାନ ଆଗରେ ବଡ ଆହ୍ୱାନ ସୃଷ୍ଟି ହୋଇଥିଲା । ଏତିକିବେଳେ କରୋନାରୁ ମୁକ୍ତି ପାଇଁ ଭାରତୀୟ ଉଦ୍ୟୋଗଗୁଡିକ ବିକଳ୍ପ ଖୋଜୁଥିବାବେଳେ ସ୍ୱଦେଶୀ ଟିକା ସାମ୍ନାକୁ ଆଣିଥିଲା ଭାରତ ବାୟୋଟେକ୍ । ଏବେ ସେହି କମ୍ପାନି ପୁଣି ବିଶ୍ୱକୁ ବାଟ ଦେଖାଇଛି ।