ଏମିତି ଏକ ଆଷ୍ଟ୍ରଏଡ, ବିଶ୍ୱର ପ୍ରତ୍ୟେକ ବ୍ୟକ୍ତିଙ୍କୁ କରିଦେଇପାରେ କୋଟିପତି । ଗବେଷଣା ପାଇଁ ସ୍ପେଶକ୍ରାଫ୍ଟ ପଠାଇବ ନାସା । ଜାଣନ୍ତୁ ଏହି ଆଷ୍ଟ୍ରଏଡ ବାବଦରେ କିଛି କଥା ।

2,769

କନକ ବ୍ୟୁରୋ : ବେଳେ ବେଳେ ବୈଜ୍ଞାନିକଙ୍କୁ ମହାକାଶରେ ଏମିତି କିଛି ସାମଗ୍ରୀ ମିଳିଯାଏ ଯାହା ପୂରା ବିଶ୍ୱବାସୀଙ୍କୁ ଚକିତ କରିଦିଏ । ଆଉ ଏଭଳି ଏକ ସାମଗ୍ରୀ ବାବଦରେ ନାସା ସୂଚନା ଦେଇଛି ।  ନାସା ଏଭଳି ଏକ ଆଷ୍ଟ୍ରଏଡ ଉପରେ ଗବେଷଣା କରିବାକୁ ଯାଉଛି ଯାହା ପୃଥିବୀର ପ୍ରତିଟି ଲୋକକୁ କୋଟିପତି ବନାଇପାରିବ । ଏହି ଆଷ୍ଟ୍ରଏଡରେ ବିପୁଳ ମାତ୍ରାରେ ଲୁହା, ନିକଲ, ପ୍ଲାଟିନମ, ସୁନା ଓ ସିଲିକାର ଭଣ୍ଡାର ରହିଛି । ଯଦି ଏହି ଧାତୁକୁ ବିକ୍ରି କରି ଦିଆଯାଏ, ତେବେ ପୃଥିବୀର ପ୍ରତି ବ୍ୟକ୍ତି ପ୍ରାୟ ୧୦ ହଜାର କୋଟି ପାଇପାରିବେ । ନାସା ଏହି ଆଷ୍ଟ୍ରଏଡର ନାଁ ୧୬ ସାଇକି ରଖିଛି । ଏହି ଆଷ୍ଟ୍ରଏଡରେ ଥିବା ମୋଟ ଲୁହାର ମୂଲ୍ୟ ପାଖାପାଖି ୧୦ ହଜାର କ୍ୱାଡ୍ରିଲିୟନ ପାଉଣ୍ଡ । ଅଥାର୍ତ ୧୦ ହଜାରରେ ଆହୁରି ୧୫ଟି ଶୂନ ଦେଲେ ଯେତିକି ମୂଲ୍ୟ ହେବ ପ୍ରାୟ ସେତିକି ମୂଲ୍ୟର ଲୁହା ଏହି ଆଷ୍ଟ୍ରଏଡରେ ରହିଛି । ଏପରିକି ଏହି ଆଷ୍ଟ୍ରଏଡର ଗବେଷଣା ପାଇଁ ପ୍ରସ୍ତୁତ କରାଯାଉଥିବା ସ୍ପେଶକ୍ରାଫ୍ଟର ନାଁ ମଧ୍ୟ ସାଇକି ରଖାଯାଇଛି ।

ସାଇକି ସ୍ପେଶକ୍ରାଫ୍ଟ ୨୨୬ କିଲୋମିଟର ଚଉଡା ବିଶିଷ୍ଟ ଏହି ଆଷ୍ଟ୍ରଏଡର ଅଧ୍ୟୟନ କରିବ । ଆଷ୍ଟ୍ରଏଡ ସାଇକି ମଙ୍ଗଳ ଓ ବୃହସ୍ପତି ଗ୍ରହ ମଧ୍ୟରେ ଘୂରି ବୁଲୁଥିବା ଆଷ୍ଟ୍ରଏଡ ବେଲ୍ଟ ମଧ୍ୟରେ ରହିଛି । ନାସା ସ୍ପେଶ ଏକ୍ସର ମାଲିକ ଏଲନ ମସ୍କଙ୍କୁ ସାହାଯ୍ୟ ମାଗି କହିଛି ଯେ, ଏହି ଆଷ୍ଟ୍ରଏଡରେ ମହଜୁଦ ଥିବା ଲୁହାର ଯାଞ୍ଚ ପାଇଁ ସ୍ପେଶ ଏକ୍ସ ନିଜର ସ୍ପେଶକ୍ରାଫ୍ଟ ସହ ମିଶନ ଆରମ୍ଭ କରୁ ।

ନାସା ମୁତାବକ, ଏହି ଆଷ୍ଟ୍ରଏଡ ପୃଥିବୀ ଠାରୁ ୨୪ ଆରବ ମିଲ ଦୂରରେ ରହିଛି । ଯେଉଁଠିକୁ କୌଣସି ମହାକାଶ ଯାନ ପହଞ୍ଚିବାକୁ ପାଖାପାଖି ୪ ବର୍ଷ ଲାଗିବ । ଆଷ୍ଟ୍ରଏଡ ୧୬ ସାଇକି ସୂର୍ଯ୍ୟର ଚାରିପାଖରେ ପରିକ୍ରମା କରିବାକୁ ପାଖାପାଖି ୫ ବର୍ଷ ସମୟ ନେଇଥାଏ । ଏହାର ଓଜନ ଚନ୍ଦ୍ରର ଓଜନର ପ୍ରାୟ ୧ ପ୍ରତିଶତ । ୧୬ ସାଇକିରେ ଥିବା ଲୁହାର ଯାଞ୍ଚ ପାଇଁ ନାସା ଅଗଷ୍ଟ ୨୦୨୨ରେ ସାଇକି ସ୍ପେଶକ୍ରାଫ୍ଟକୁ ଏଠାକୁ ପଠାଇବାକୁ ଯୋଜନା ପ୍ରସ୍ତୁତ କରିଛି । ଏହାଛଡା ସ୍ପେଶ ଏକ୍ସ କୌଣସି ରୋବଟ ମିଶନ ଏହି ଆଷ୍ଟ୍ରଏଡକୁ ପଠାଏ ତେବେ ସେଠାରେ ଗବେଷଣା କରି ଫେରିବାକୁ ପାଖାପାଖି ୭ ବର୍ଷ ସମୟ ଲାଗିବ ।