ନାସା ଦେଖାଇଲା ଟ୍ୱିନସିଟିର ଅନ୍ଧାରବେଳର ନକ୍ସା । ଦେଖନ୍ତୁ କେମିତି ଥିଲା ବାତ୍ୟା ‘ଫୋନି’ ପରେ ଭୁବନେଶ୍ୱର ଓ କଟକର ଦୃଶ୍ୟ ।

538

କନକ ବ୍ୟୁରୋ : ବାତ୍ୟା ‘ଫୋନି’ ତାଣ୍ଡବ ରଚି ଗଲା ପରେ ଦୀର୍ଘ ୫ଦିନ ଧରି ଅନ୍ଧାରରେ ରହିଥିଲା ଟ୍ୱିନସିଟି । ଘୂର୍ଣ୍ଣିବାତ୍ୟା ‘ଫୋନି’ ପରେ ଓଡ଼ିଶାର ଅନ୍ୟାନ୍ୟ କେତେକ ଅଞ୍ଚଳ ସହ ବିପର୍ଯ୍ୟସ୍ତ ହୋଇ ପଡ଼ିଥିବା କଟକ ଓ ଭୁବନେଶ୍ୱର ସହରର ବିଜୁଳି ଥିବା ଓ ନଥିବା ବେଳର ଫଟୋ ସେୟାର୍‌ କରିଛି ଆମେରିକୀୟ ସ୍ପେସ୍‌ ଏଜେନ୍ସି ‘ନାସା’ । ଗଛ, ଘରଦ୍ୱାର ଧ୍ୱଂସକରିବା ସହ ସାମୁଦ୍ରିକ ବାତ୍ୟା ‘ଫୋନି’ ଯୋଗୁଁ ବିଜୁଳି ଯୋଗାଣ ପ୍ରଭାବିତ ହେବାରୁ ପ୍ରାୟ ୩. ୫ ନିୟୁତ ଘରକୁ ବିଜୁଳି ଯୋଗାଣ ହୋଇ ନ ପାରି ନ ଥିଲା ।

‘ନାସା’ ସେୟାର୍‌ କରିଥିବା ଫଟୋଗୁଡ଼ିକ ବାତ୍ୟା ସ୍ଥଳ ଭାଗରେ ପ୍ରବେଶ କରିବାର ଦୁଇ ଦିନ ପୂର୍ବ ଓ ଦୁଇ ଦିନ ପରର । ଅର୍ଥାତ୍‌ ଏପ୍ରିଲ୍‌ ୩୦ ତାରିଖ ଏବଂ ମେ ୫ ତାରିଖର । ଏଥିରେ ଓଡ଼ିଶାର ଦୁଇ ପ୍ରମୁଖ ସହର କଟକ ଓ ଭୁବନେଶ୍ୱରର ରାତ୍ରୀକାଳୀନ ଦୃଶ୍ୟ ଦେଖାଯାଉଛି । ୧୯୯୯ ସୁପର ସାଇକ୍ଲୋନ୍‌ ପରେ ‘ଫୋନି’ ହେଉଛି ଉପକୂଳ ଓଡ଼ିଶାରେ ବ୍ୟାପକ କ୍ଷତି କରିଥିବା ସାମୁଦ୍ରକ ବାତ୍ୟା । ଭୂଭାଗ ପ୍ରବେଶ ସମୟରେ ଘଣ୍ଟାପ୍ରତି ୨୦୦ କିଲୋମିଟର ବେଗରେ ପବନ ପ୍ରବାହିତ ହେବାରୁ ପୁରୀ, ଭୁବନେଶ୍ୱର, କଟକ ଏବଂ ଖୋର୍ଦ୍ଧା ଆଦି ସହରରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏହାଛଡ଼ା ସମଗ୍ର ଓଡ଼ିଶାର ସମୁଦ୍ର ତଟବର୍ତ୍ତୀ ଇଲାକାରେ ମଧ୍ୟ ଅକଳନୀୟ କ୍ଷତି ହୋଇଛି ।