ଚନ୍ଦ୍ର ପୃଷ୍ଠରେ ପାଣିର ସନ୍ଧାନ ପାଇଥିବା ଦାବି କଲା ନାସା : ଦକ୍ଷିଣ ଗୋଲାର୍ଦ୍ଧରେ ଜଳକଣା ଠାବ କରିଛି ଆମେରିକା ମହାକାଶ ଗବେଷଣା କେନ୍ଦ୍ର

ଚନ୍ଦ୍ରପୃଷ୍ଠରେ ଜନବସତି ନେଇ ବୈଜ୍ଞାନିକଙ୍କ ଆଶାକୁ ମିଳିଲା ବଳ

370

କନକ ବ୍ୟୁରୋ : ଆମେରିକାର ମହାକାଶ ଗବେଷଣା କେନ୍ଦ୍ର ନାସା ଚନ୍ଦ୍ର ପୃଷ୍ଠରେ ପାଣିର ସନ୍ଧାନ ପାଇଥିବା ନେଇ ଏକ ରୋମାଂଚକର ଘୋଷଣା କରିଛି । ସବୁଠାରୁ ବଡ କଥା ହେଲା ନାସାର ଦାବି ଅନୁସାରେ, ଚନ୍ଦ୍ରପୃଷ୍ଠରେ ଦକ୍ଷିଣ ଗୋଲାର୍ଦ୍ଧର ସେହି ସେହି ସ୍ଥାନରେ ପାଣି ଅଛି ଯେଉଁଠି ସୂର୍ଯ୍ୟଙ୍କ କିରଣ ପଡୁଛି । ପାଣିର ଅନୁସନ୍ଧାନ ନାସାର ଷ୍ଟ୍ରାଟୋଫେରିକ ଅବଜେରଭୋଟୋରି ଫର ଇନଫ୍ରେଡ ଆଷଟ୍ରୋନୋମି, ସୋଫିଆ କରିଛି ।

ଏହି ଦାବି ଅନୁସାରେ, ଚନ୍ଦ୍ରର ଦକ୍ଷିଣ ଗୋଲାର୍ଦ୍ଧରେ ଥିବା ସବୁଠାରୁ ବଡ ଗର୍ତରେ ପାଣିର ସନ୍ଧାନ ମିଳିଛି । ପୂର୍ବ ଗବେଷଣାରୁ ଚନ୍ଦ୍ରପୃଷ୍ଠରେ ହାଇଡ୍ରୋଜେନର କିଛିଂ ଅଂଶ ଥିବା ପ୍ରମାଣ ମିଳିଥିଲା । ହେଲେ ପାଣି କିମ୍ବା ପାଣିର ନିକଟବର୍ତି ହାଇଡ୍ରୋଲିକ୍ସର କୌଣସି ସନ୍ଧାନ ମିଳିନଥିଲା । ଏବେ ଜଳ କଣାର ସନ୍ଧାନ ମିଳିବା ପରେ ଚନ୍ଦ୍ରକୁ ନେଇ ଅଧିକ ଗବେଷଣା କରୁଥିବା ବୈଜ୍ଞାନିକ ଉତ୍ସାହିତ ହୋଇଛନ୍ତି ।

ନାସାର ବିଜ୍ଞାନ ମିଶନ ନିର୍ଦ୍ଦେଶାଳୟର ଏଷ୍ଟ୍ରୋଫିଜିକ୍ସ ବିଭାଗର ନିର୍ଦ୍ଦେଶକ ପଲ ହର୍ଜ କହିଛନ୍ତି, ପ୍ରଥମେ ଚନ୍ଦ୍ର ପୃଷ୍ଠରେ ଜଳ କଣା ଥାଇପାରେ ବୋଲି ସଙ୍କେତ ମିଳିଥିଲା । ଆଉ ଏବେ ଜଳକଣାର ସନ୍ଧାନ ମିଳିଛି । ଏହା ବୈଜ୍ଞାନିକଙ୍କ ଗବେଷଣାକୁ ଆହୁରି ଆଗକୁ ବଢାଇବ ବୋଲି କହିଛନ୍ତି ପଲ ହର୍ଜ । ତେବେ ବହୁ କମ ମାତ୍ରାରେ ଜହ୍ନରେ ଜଳ କଣା ଠାବ ହୋଇଥିବାରୁ ଏବେ ପ୍ରଶ୍ନ ଉଠୁଛି ଚନ୍ଦ୍ର ପୃଷ୍ଠରେ ପାଣି କେମିତି ତିଆରି ହୁଏ ।