ୟେସ୍ ବ୍ୟାଙ୍କରେ ଜଗନ୍ନାଥଙ୍କ ଟଙ୍କା ଜମା ପ୍ରସଙ୍ଗ : ବିଧାନସଭାରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କଲେ ନରସିଂହ । କହିଲେ, ତିରୁପତି ଟ୍ରଷ୍ଟ ଜାଣିପାରି ୧୩୦୦ କୋଟି ଉଠାଇନେଲା, ଓଡ଼ିଶା ଜାଣିପାରିଲାନି କେମିତି? 

174

କନକ ବ୍ୟୁରୋ : ୟେସ୍ ବ୍ୟାଙ୍କରେ ମହାପ୍ରଭୁଙ୍କ ଟଙ୍କା ଜମା ପ୍ରସଙ୍ଗରେ ଆଜି ବିଧାନସଭାରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଏପରିକି ୟେସ୍ ବ୍ୟାଙ୍କ ଦେବାଳିଆ ସ୍ଥିତିରେ ଅଛି ବୋଲି କେମିତି ଓଡ଼ିଶା ସରକାର ଜାଣିପାରିଲେନି ବୋଲି ପ୍ରଶ୍ନ କରିଛନ୍ତି ନରସିଂହ । ଏପରିକି କୌଣସି ବ୍ୟାଙ୍କ ଦେବାଳିଆ ସ୍ଥିତିରେ ରହିଛି, ଜମାକାରୀଙ୍କ ଜମା ଟଙ୍କା ସୁରକ୍ଷିତ ନୁହେଁ ଏକଥା ରାଜ୍ୟ ସରକାରଙ୍କୁ କେନ୍ଦ୍ର ସରକାର ଚେତାଇ ଦେବାର ଥିଲା ବୋଲି କହିଛନ୍ତି ନରସିଂହ ।

ଏହାସହ କେଉଁ ପରିସ୍ଥିତିରେ ଜଗନ୍ନାଥଙ୍କ ଟଙ୍କା ୟେସ୍ ବ୍ୟାଙ୍କରେ ଜମା ହେଲା । ହାଉସ କମିଟି ଗଠନ କରାଯାଇ ଏହାର ତଦନ୍ତ କରାଯାଉ ବୋଲି କହିଛନ୍ତି ନରସିଂହ । ସେହିଭଳି ମହାପ୍ରଭୁଙ୍କ ଜମା ଟଙ୍କା ସୁରକ୍ଷିତ ବୋଲି ଅନ୍ତତଃ ମୁଖ୍ୟମନ୍ତ୍ରୀ ଗୃହରେ କିମ୍ବା ଵାହାରେ ରାଜ୍ୟଵାସୀଙ୍କୁ ଆଶ୍ଵସ୍ତ କରନ୍ତୁ। ନଚେତ ଏଥିରେ କିଛି ରହସ୍ୟ ଥିବା ତଥା ସରକାରଙ୍କ ଅସହାୟତାକୁ ମନେ କରାଯିବ ବୋଲି କହିଛନ୍ତି ନରସିଂହ । ଯଦି ତିରୁପତି ଟ୍ରଷ୍ଟ ଆଗୁଆ ଜାଣିପାରି ୟେସ ବ୍ୟାଙ୍କରୁ ୧୩ ଶହ କୋଟି ଟଙ୍କା ଉଠାଇବାରେ ସକ୍ଷମ ହେଲା, ତେବେ ଓଡିଶା ସରକାର କାହିଁକି ନୁହେଁ। ଏଭଳି ପ୍ରଶ୍ନ କରିଛନ୍ତି ନରସିଂହ ।