୨୦ ଟଙ୍କା ବଢାଇ, ୧୦ ଟଙ୍କା କମାଉଛନ୍ତି । ଚାଲାକି କରୁଛନ୍ତି କେନ୍ଦ୍ର ସରକାର: ନରସିଂହ ମିଶ୍ର

685

କନକ ବ୍ୟୁରୋ : ‘କେନ୍ଦ୍ର ସରକାର ଚାଲାକିର ସହ କାମ କରୁଛନ୍ତି । ୨୦ ଟଙ୍କା ବଢେଇ, ୧୦ ଟଙ୍କା କମେଇଦେଉଛନ୍ତି । ଏ ଚାଲବାଜି ସରକାର ବନ୍ଦ କରନ୍ତୁ । ପଟ୍ରୋଲ-ଡିଜେଲ ଦାମ କମିବା ପରେ ଏହାକୁ ନେଇ ଏହିଭଳି ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । କେନ୍ଦ୍ର ସରକାରଙ୍କ ଉପରେ ସେ ଜୋରଦାର ବର୍ଷିବା ସହ ତୈଳ ଦର ୫୦ରୁ ୬୦ ଟଙ୍କା ଭିତରେ ରଖିବାକୁ କହିଛନ୍ତି । ଅର୍ନ୍ତଜାତୀୟ ବଜାରରେ ତୈଲ ଦର ଯଥେଷ୍ଟ କମ ଥିବା ବେଳେ ପୂର୍ବରୁ ଯେଉଁଭଳି ଆଧାରରେ ତୈଳଦର ନିର୍ଣ୍ଣୟ କରାଯାଉଥିଲା ଠିକ୍ ସେହିଭଳି କରିବାକୁ ଦାବି କରିଛନ୍ତି ନରସିଂହ । ଏହା ହେଲେ ହିଁ ସାଧାରଣ ଲୋକେ ଅନେକ ସଂଖ୍ୟାରେ ଆଶ୍ୱସ୍ଥି ପାଇବେ ।

କେବଳ କେନ୍ଦ୍ର ନୁହେଁ ରାଜ୍ୟ ସରକାରଙ୍କୁ ମଧ୍ୟ ସେ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ରାଜ୍ୟ ସରକାର ଯେଉଁ ଟିକସ ନେଉଛନ୍ତି ସେଠିରେ କେବଳ ଜିଏସଟି ଲାଗୁ କରି ଅନ୍ୟ କୌଣସି ଟିକସ ଲାଗୁ କରା ନଯାଉ । ଏହା ହେଲେ ହିଁ ଦର କମିବ । କେନ୍ଦ୍ର ଓ ରାଜ୍ୟ ସରକାର ଉଭୟ ଉଦ୍ୟମ କରିବା ଦ୍ୱାରା ହିଁ ତୈଳ ଦରକୁ ହ୍ରାସ କରିହେବ । ଜନ ସାଧାରଣ ଲାଭବାନ ହେଉନାହାନ୍ତି । କେନ୍ଦ୍ର ସରକାର ଯେଉଁ ଉଜ୍ୱଳା ଯୋଜନାର କଥା କହୁଛନ୍ତି ଆଜି ଲୋକେ ସେ ଯୋଜନାରେ ଆଉ ସିଲିଣ୍ଡର ନେଉନାହାନ୍ତି । ଦରଦାମ ବୃଦ୍ଧି ଯୋଗୁ ସେମାନେ ସିଲିଣ୍ଡର ନେବାକୁ କୁଣ୍ଠିତ ଅଛନ୍ତି । ତେଣୁ ୨ ଶହ ଟଙ୍କା କମେଇଲେ ତାହା କୌଣସି ପ୍ରଭାବ ପକାଇବ ନାହିଁ । ସରକାର ଯେଉଁଭଳି କହୁଥିଲେ ମାଗଣା ସିଲିଣ୍ଡର ପ୍ରଦାନ କରିବେ ତାହା କରନ୍ତୁ ନହେଲେ ୪ ଶହରୁ ୫ ଶହ ଟଙ୍କାରେ ସିଲିଣ୍ଡର ଯୋଗାଇ ଦିଅନ୍ତୁ ।