ରତ୍ନଭଣ୍ଡାରକୁ ନେଇ ତେଜିଲା ରାଜନୀତି। ରତ୍ନ ଚୋରି ହେବା ନେଇ ସନ୍ଦେହ ପ୍ରକଟ କଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର।

53

କନକ ବ୍ୟୁରୋ: ରତ୍ନଭଣ୍ଡାରକୁ ନେଇ ତେଜିଲା ରାଜନୀତି । ଆଇନ ମନ୍ତ୍ରୀ କହିଲେ ଏଏସଆଇ ଚିଠିକୁ ତର୍ଜମା କରି ନିଆଯିବ ନିଷ୍ପତ୍ତି । ସମସ୍ତ ଟିମ୍ ସହିତ ଆଲୋଚନା ପରେ ରତ୍ନଭଣ୍ଡାର ପ୍ରସଙ୍ଗରେ କୌଣସି ନିସ୍ପତ୍ତି ନିଆଯିବ ବୋଲି ସେ କହିଛନ୍ତି । ସେପଟେ ବିରୋଧୀ ଦଳ ମୁଖ୍ୟ ମୋହନ ମାଝୀ କହିଛନ୍ତି ରତ୍ନଭଣ୍ଡାର ପ୍ରସଙ୍ଗରେ ଓଡ଼ିଶାବାସୀ କେବେ ସରକାରଙ୍କୁ କ୍ଷମା ଦେବେନାହିଁ । ରାଜ୍ୟବାସୀ ଚାହିଁବା ଅନୁସାରେ ସରକାର ଆଗେଇ ଆସିବା କଥା । ସରକାର ଜାଣିଶୁଣି ରତ୍ନଭଣ୍ଡାର ଖୋଲିବାକୁ ପଦକ୍ଷେପ ନେଉନାହାନ୍ତି । ତା ପଛରେ କ’ଣ ରହିଛି ରହସ୍ୟ ତାହାର ସତ୍ୟାସତ୍ୟ ସାମ୍ନାକୁ ଆସିବା ଦରକାର ।

ଅନ୍ୟପଟେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ରତ୍ନ ଭଣ୍ଡାରରୁ ଚୋରି ହୋଇଛି, ସେଥିପାଇଁ ସରକାର ଖୋଲିବାକୁ ଡ଼ରୁଛନ୍ତି । ବିଶେଷକରି ଏଏସଆଇ ମରାମତି କରିବା ପାଇଁ ଚିଠି ଲେଖିସାରିବା ପରେ ସରକାର ଆଇନ ଅନୁସାରେ ତାହା କରିବାକୁ ବାଧ୍ୟ । ସେଥିରେ କିଛି ବିଚାର କରିବାର ନାହିଁ । ବହୁ ବର୍ଷ ଧରି ରତ୍ନଭଣ୍ଡାରର ଯାଞ୍ଚ ହୋଇନାହିଁ କି ଗଣତି ମଧ୍ୟ ହୋଇନାହିଁ । ତେଣୁ ତୁରନ୍ତ ରତ୍ନଭଣ୍ଡାର ଖୋଲାଯାଉ ବୋଲି ଦାବି କରିଛନ୍ତି ନରସିଂହ ।