କନକ ବ୍ୟୁରୋ: କିଏ ସେହି ବରଗଡ଼ ଜିଲ୍ଲାର ପୂର୍ବତନ ମନ୍ତ୍ରୀ?କାହାକୁ ଇସାରା କରୁଛନ୍ତି ନରସିଂହ ମିଶ୍ର? ନବଙ୍କ ହତ୍ୟା ପଛରେ ଅଛନ୍ତି କି ବିଜେଡି ନେତା? ଯଦିଓ ନରସିଂହ ମିଶ୍ର, ବରଗଡ଼ ଜିଲ୍ଲାର ସେଇ ପୂର୍ବତନ ମନ୍ତ୍ରୀଙ୍କ ନାଁ ନେଇ ନାହାନ୍ତି, ତଥାପି ନବ ଦାସଙ୍କ ହତ୍ୟା ଘଟଣାରେ ତାଙ୍କ ସମ୍ପୃକ୍ତି ଥାଇପାରେ ବୋଲି ଆଶଙ୍କା ସୃଷ୍ଟି କରିଛନ୍ତି ।

Advertisment

ନରସିଂହ ମିଶ୍ର ଅଭିଯୋଗ ଆଣି କହିଛନ୍ତି-ନବ ଦାସ କଂଗ୍ରେସରୁ ବିଜେଡିକୁ ଆସିବା ପରେ ନବ ଦାସଙ୍କୁ ନେଇ ବିଜେଡିରେ ଅନ୍ତଦ୍ୱର୍ନ୍ଦ୍ୱ ଥିଲା । ବ୍ରଜରାଜନଗର ଉପ-ନିର୍ବାଚନରେ ଏହା ପ୍ରମାଣିତ ହୋଇଥିଲା । ଜଣେ ପୂର୍ବତନ ମନ୍ତ୍ରୀ ଓ ନବ ଦାସଙ୍କ ଭିତରେ ତିକ୍ତତା ଥିଲା । ବରଗଡ ଜିଲ୍ଲାର ଏହି ପୂର୍ବତନ ମନ୍ତ୍ରୀ ଗୁଣ୍ଡା ସ୍ୱଭାବର ବୋଲି ଲୋକଙ୍କ ଭିତରେ ଧାରଣା ରହିଛି । ତେଣୁ ହତ୍ୟାକାଣ୍ଡରେ ତାଙ୍କ ସମ୍ପୃକ୍ତି ନଥିବ କିଏ କହିବ?

ନରସିଂହ ମିଶ୍ରଙ୍କ ଏହି ବୟାନ ସେତେବେଳେ ଆସିଛି, ଯେତେବେଳେ ନବ ଦାସଙ୍କ ହତ୍ୟା ଘଟଣାରେ ବିଜେପି, ବିଜେଡି ନେତାଙ୍କ ଭୂମିକା ଥିବା ଅଭିଯୋଗ କରୁଥିବା ବେଳେ ବିଜେଡି, ବିଜେପି ନେତାଙ୍କୁ ସନ୍ଦେହ ଚକ୍ଷୁରେ ଦେଖୁଛି । ଠିକ୍ ସେତିକି ବେଳେ ବିଜେଡି ନେତାଙ୍କ ମୃତ୍ୟୁ ପଛରେ ବିଜେଡି ନେତାଙ୍କ ସମ୍ପୃକ୍ତି ନଥିବେ ସେ କଥା କିଏ କହିପାରିବ ବୋଲି ପ୍ରଶ୍ନ ଉଠାଇଛନ୍ତି ନରସିଂହ ମିଶ୍ର । ନରସିଂହଙ୍କ ବୟାନ ଢ଼ଙ୍ଗରେ, ସମାନ ଅଭିଯୋଗ କହିଛନ୍ତି କଂଗ୍ରେସ ବିଧାୟକ ତାରା ବାହିନୀପତି । ସେ କହିଛନ୍ତି ପଶ୍ଚିମ ଓଡ଼ିଶାର ଜଣେ ବାହୁବଳୀ ନେତାଙ୍କ ସହ ନବଙ୍କ ପଡ଼ୁନଥିଲା । ସେହି ବାହୁବଳୀ ନେତା କିଏ କ୍ରାଇମବ୍ରାଞ୍ଚ ବାହାର କରିବା ଦରକାର । ସେହି ବାହୁବଳୀ ନେତା ନବ ଦାସଙ୍କୁ ମାରି ଦେଇନାହାଁନ୍ତି ତ? କିଛି ଏଭଳି ଢ଼ଙ୍ଗରେ ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସ ବିଧାୟକ । ତେବେ ନରସିଂହ ମିଶ୍ର ଏବଂ ତାରା ବାହିନୀପତି ଆଣୁଥିବା ଅଭିଯୋଗକୁ ଖଣ୍ଡନ କରିଛି ବିଜେଡି । ଏହି ଅଭିଯୋଗର କିଛି ଭିତିନାହି ବୋଲି ଦଳ କହିଛି ।

ରାଜନୀତିର ଏହି ବୟାନବାଜି ଭିତରେ କିନ୍ତୁ ନବ ଦାସଙ୍କ ହତ୍ୟା ପଛର କାରଣ କ’ଣ, ତାହା ବର୍ତମାନ ପର୍ଯ୍ୟନ୍ତ କାହାରିକୁ ଜଣାନାହିଁ । କ୍ରାଇମ୍ରବାଞ୍ଚର ଉତ୍ତର ଘର ବି ଶୂନ୍ ।