କନକ ବ୍ୟୁରୋ: କଳାକାରଙ୍କ କଳି ସମ୍ପୂର୍ଣ୍ଣ ଥମି ନଥିଲେ ବି ଯେତିକି ଜୋରରେ ଚାଲିଥିିଲା ସେତିକି ଜୋରରେ ଆଉ ଚାଲିନି । କିନ୍ତୁ କଳାକାରଙ୍କ କଳି ଭିତରେ ପଶିଥିବା ରାଜନୀତି ଥମିବାର ନାଁ ନେଉନି । ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ପୁଣି ଥରେ କୋଶଳ ରାଜ୍ୟ କଥା ଉଠାଇ ବିବାଦକୁ ଉଖାରିଛନ୍ତି । ଯାହାକୁ ନେଇ ଆରମ୍ଭ ହୋଇଛି ରାଜନୈତିକ ବୟାନବାଜି ।

Kanak News is now on WhatsApp
Join and get latest news updates delivered to you via WhatsApp
ଥମି ଆସୁଥିବା କଳାକାରଙ୍କ କଳି ଭିତରେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ରଙ୍କ ବୟାନ ପୁଣି ଥରେ ରାଜ୍ୟ ରାଜନୀତିକୁ ଉଷ୍ଣ କରିଛି । ନରସିଂହଙ୍କ ଭଳି ଜଣେ ଅନୁଭବି ଓ ବରିଷ୍ଠ ନେତା କୋଶଳ ରାଜ୍ୟ କଥା ଦୋହରାଇବା ଓ ବନ୍ଦ ଡାକରାକୁ ସଫଳ କରିବାକୁ ଆହ୍ୱାନ ଦେବା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । କିନ୍ତୁ ନରସିଂହଙ୍କ ଏଭଳି କଥାକୁ ପଶ୍ଚିମ ଓଡିଶାର ସବୁ ନେତା ମଧ୍ୟ ଗ୍ରହଣ କରିପାରି ନାହାନ୍ତି । କୋଶଳ ରାଜ୍ୟ କଥା ବର୍ତମାନ କାହିଁକି ଉଠାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ବିଧାୟକ ଭୁପିନ୍ଦର ସିଂ ।
ଓଡିଶା ଦୁଇ ଭାଗ ହୋଇଯିବା କଥା ନରସିଂହ ବାରମ୍ବାର କହିବା ପଛରେ ରାଜନୀତିର ଗନ୍ଧ ବାରିଛନ୍ତି ବରିଷ୍ଠ ନେତା ଐର ଖାରବେଳ ସ୍ୱାଇଁ । ନରସିଂହ ନିଜେ ଭୁବନେଶ୍ୱରରେ ରହୁଥିବା କଥା କହି ପ୍ରଶ୍ନ ଛଳରେ ଖାରବେଳ ତାଙ୍କୁ କଟାକ୍ଷ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଲୋଇସିଂହା ଷ୍ଟାଡିୟମରେ ଏକ ଫୁଟବଲ ମ୍ୟାଚର ଉଦଘାଟନ ଅବସରରେ ପୁଣି କୋଶଲ ରାଜ୍ୟ କଥା ଦୋହରାଇଛନ୍ତି ନରସିଂହ ମିଶ୍ର । ରାଜ୍ୟ ସରକାର ପଶ୍ଚିମ ଓଡ଼ିଶାକୁ ଅବହେଳା କରୁଛନ୍ତି, ଟଙ୍କା ମଞ୍ଜୁର ହୋଇଥିଲେ ବି ରିଲିଜ କରୁନଥିବା ଅଭିଯୋଗ ଆଣିଛନ୍ତି ନରସିଂହ । ଏପରିକି ମଧ୍ୟପ୍ରଦେଶ ଓ ଛତିଶଗଡର ଉଦାହରଣ ଦେଇ, ପଶ୍ଚିମ ଓଡ଼ିଶାର ଦାବିକୁ ଅଣଦେଖା କଲେ ଓଡ଼ିଶା ଦୁଇଭାଗ ହୋଇଯିବ ବୋଲି କହିଛନ୍ତି ବଲାଙ୍ଗୀର ବିଧାୟକ ।