କନକ ବ୍ୟୁରୋ: ମଣିପୁରରେ ଆଉ ଦୁଇ ଯୁବତୀଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରଯାଇଥିବା ଅଭିଯୋଗ ହୋଇଛି । କାଙ୍ଗପୋକପି ଜିଲ୍ଲାର ଦୁଇ ମହିଳାଙ୍କୁ ଯୌନ ନିର୍ଯାତନା ଦେବା ସହ ହତ୍ୟା କରାଯାଇଛି । ଦୁଇ ଯୁବତୀଙ୍କ ବସୟ ୨୧ ଏବଂ ୨୪ ବର୍ଷ ବୋଲି ସୂଚନା ମିଳିଛି । ସେମାନେ ଏକ କାର ୱାସ ସେଂଟରରେ କାମ କରୁଥିଲେ । କିଛି ଦୁବୁର୍ତ ଆକ୍ରମଣ କରି ଉଠାଇ ନେଇ ପ୍ରାୟ ଦେଢ ଘଂଟା ପର୍ଯର୍୍ୟନ୍ତ ଦୁଷ୍କର୍ମ କରିଥିଲେ । ଏହାପରେ ଅପରାଧୀମାନେ ଦୁଇ ପୀଡ଼ିତାଙ୍କୁ ଘୋଷାଡି ଘୋଷାଡି ନେଇ ଏକ କାଠ ମିଲରେ ପକାଇ ଦେଇଥିଲେ । ମେ ୪ ତାରିଖ, ଯେଉଁଦିନ ଦୁଇ ମହିଳାଙ୍କୁ ଗଣଦୁଷ୍କର୍ମ କରି ଉଲଗ୍ନ କରି ରାସ୍ତାରେ ବୁଲାଯାଇଥିଲା ସେହିଦିନ ଏହି ଘଟଣା ମଧ୍ୟ ଘଟିଥିଲା । ଦୁଇ ପୀଡ଼ିତାଙ୍କୁ ଅପରାଧୀମାନେ ହତ୍ୟା କରିଥିବାର ମଧ୍ୟ ସନ୍ଦେହ କରାଯାଉଛି । ହେଲେ ଏଯାଏଁ ଦୁଇ ଜଣଙ୍କ ମୃତଦେହ ମିଳିନାହିଁ । ମେ ୧୬ ତାରିଖ ଜଣେ ପୀଡ଼ିତାଙ୍କ ମା’ ସ୍ଥାନୀୟ ସଇକୁଲ ଥାନାରେ ଏଫଆଇର ରୁଜୁ କରିଥିଲେ । କିନ୍ତୁ ଏପର୍ଯ୍ୟନ୍ତ ପୁଲିସ ଅଭିଯୁକ୍ତଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ନାହିଁ କିମ୍ବା ଦୁଇ ପୀଡ଼ିତାଙ୍କୁ ଠାବ କରିପାରି ନାହିଁ ।

Advertisment

ଯେଉଁ ପିଶାଚମାନେ ଦୁଇ ଯୁବତୀଙ୍କ ସହ ଦୁଷ୍କର୍ମ କରିଥିଲେ, ସେମାନଙ୍କ ସହ କିଛି ମହିଳା ହିଂସାକାରୀ ମଧ୍ୟ ଥିଲେ । ଦୁଃଖର କଥା ହେଲା, ସେହି ମହିଳା ହିଂସାକାରୀମାନେ ପୁରୁଷ ହିଂସାକାରୀଙ୍କୁ ଏଭଳି ଜଘନ୍ୟକାଣ୍ଡ କରିବାକୁ ପ୍ରର୍ବତାଉଥିଲେ ବୋଲି କୁହାଯାଉଛି । ସେପଟେ ଅନ୍ୟ ଏକ ଘଟଣାରେ ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କ ପତ୍ନୀକୁ ଜିଅନ୍ତା ଜାଳିଦେଇଛନ୍ତି ଦଙ୍ଗାକାରୀ । ମଣିପୁରର କାକଚିଙ୍ଗ ଜିଲ୍ଲାର ଏଭଳି ଅଭାବନୀୟ ଘଟଣା ଘଟିଛି । ୮୦ ବର୍ଷୀୟ ମହିଳାଙ୍କୁ ଘର ଭିତରେ ବନ୍ଦ କରି ବାହାରୁ ନିଆଁ ଲଗାଇଦେଇଛନ୍ତି । ଫଳରେ ତାଙ୍କର ମୃତ୍ୟୁ ହୋଇଛି ।

ଗୋଟିଏ ପଟେ ମଣିପୁରରେ ହିଂସା ଥମୁନଥିବା ବେଳେ ଏହାକୁ ନେଇ ରାଜନୀତି ଜୋରଦାର ହୋଇଛି । ମଣିପୁର ଓ କେନ୍ଦ୍ରରେ ଥିବା ବିଜେପି ସରକାରକୁ ସମାଲୋଚନା କରିଛନ୍ତି ବିରୋଧୀ । ସଂସଦରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିବୃତି ପାଇଁ ଦାବି କରିଆସୁଛନ୍ତି ବିରୋଧୀ । ଅନ୍ୟପଟେ ଦିଲ୍ଲୀ ମହିଳା କମିଶନ ମୁଖ୍ୟ ସ୍ୱାତି ମଲିୱାଲ ମଣିପୁରରେ ପହଞ୍ଚିଛନ୍ତି ।

ମଣିପୁର ପ୍ରସଙ୍ଗରେ ମୌନ ପ୍ରତିବାଦ କରିଛି ଦିଲ୍ଲୀ କଂଗ୍ରେସ । ଅନ୍ୟପଟେ ହିଂସା ଯୋଗୁଁ ବହୁ ଲୋକ ଘର ଦ୍ୱାର ଛାଡ଼ି ପଳାଇଯାଇଥିବା ବେଳେ ସେମାନଙ୍କ ପାଇଁ ଅସ୍ଥାୟୀ ଶିବିର ନିର୍ମାଣ ଚାଲିଛି ।