କନକ ବ୍ୟୁରୋ : ସିବିଆଇ ସ୍କାନରରେ ଭାରତୀୟ ଅଲିମ୍ପିକ୍ସ କମିଟିର ସଭାପତି ନରିନ୍ଦର ବାତ୍ରା । ହକି ଇଣ୍ଡିଆର ଉନ୍ନତି ଏବଂ ହକି ଖେଳାଳିଙ୍କ ପ୍ରୋତ୍ସାହନ ନାମରେ ବାତ୍ରା ଲକ୍ଷାଧିକ ଟଙ୍କା ନିଜ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଖର୍ଚ୍ଚ କରିଥିବା ଅଭିଯୋଗ ହୋଇଛି । ତାଙ୍କ ନାମରେ ୩୫ ଲକ୍ଷ ଟଙ୍କା ହେରାଫେରି କରିଥିବାର ଅଭିଯୋଗ ରହିଛି ।
୧୯୭୫ ବିଶ୍ୱକପ ବିଜେତା ଭାରତୀୟ ହକି ଦଳର ସଦସ୍ୟ ଆସଲାମ ସେର୍ ଖାନ ଅଭିଯୋଗ କରିବା ପରେ ସିବିଆଇ ଏବେ ଆକ୍ସନ ମୋଡରେ ଥିବା ଜଣାପଡିଛି । ଖୁବଶୀଘ୍ର ତାଙ୍କୁ ଜେରା କରିବ ବୋଲି ଜଣାପଡଛି । ସିବିଆଇ ଏହି ମାମଲାରେ ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବା ସୂଚନା ରହିଛି । ଦିଲ୍ଲୀ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ସିବିଆଇ ଏହି ମାମଲାର ତଦନ୍ତ କରୁଛି । ଆସଲାମ ପ୍ରଶ୍ନ କରିଛନ୍ତି ଯେ ବାତ୍ରା ଅନ୍ତର୍ଜାତୀୟ ହକି ମହାସଂଘର ମୁଖ୍ୟ ରହିଥିବା ବେଳେ ହକି ଇଣ୍ଡିଆର ପରିଚାଳନାରେ ମୁଣ୍ଡ ଖେଳାଉଛନ୍ତି କାହିଁକି । ଏକାଧିକ ସଂଘରେ ରହିବା ଏକ ସ୍ୱାର୍ଥ ନିହିତ ବୋଲି ସେ ଅଭିଯୋଗ କରିଥିଲୋ