ଚାଷୀ ଆନ୍ଦୋଳନକୁ ନେଇ ମତ ରଖିଲେ କେନ୍ଦ୍ର କୃଷିମନ୍ତ୍ରୀ । କହିଲେ ଆନ୍ଦୋଳନ ପଛରେ ଅଛି କୌଣସି ଅଦୃଶ୍ୟ ଶକ୍ତି

118

କନକ ବ୍ୟୁରୋ: କୃଷକମାନେ କେବଳ ନୂଆ କୃଷି ଆଇନକୁ ଉଚ୍ଛେଦ କରିବା ପାଇଁ ଦାବି କରୁଛନ୍ତି । କେବେ ବି ଏହାର ଫାଇଦା ବିଷୟରେ ଚର୍ଚ୍ଚା କରୁନାହାନ୍ତି । ବୋଧହୁଏ ଚାଷୀ ଆନ୍ଦୋଳନ ପଛରେ କୌଣସି ଅଦୃଶ୍ୟ ଶକ୍ତିର ହାତ ଅଛି, ଯେଉଁ କାରଣରୁ ଏହି ସମସ୍ୟାର ସମାଧାନ ହୋଇପାରୁନି । ଜାତୀୟ ଗଣମାଧ୍ୟମର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଏପରି କିଛି କଥା କହିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ।

ସେ କହିଛନ୍ତି, ଚାଷୀମାନେ ଗୋଟିଏ ଦିନ ଗୋଟିଏ ବିଷୟରେ କଥା ହୋଇଥାନ୍ତି । ହେଲେ ଏହାର ପରଦିନ ସେମାନଙ୍କର କଥାବାର୍ତ୍ତା ପରିବର୍ତ୍ତନ ହୋଇଯାଏ । ଯେଉଁ କାରଣରୁ ଏଯାଏଁ ଏହି ବିବାଦର ସମାଧାନ ହୋଇପାରିନି । ଚାଷୀଙ୍କ ସହ ଆଲୋଚନା ପାଇଁ ସରକାର ସବୁବେଳେ ପ୍ରସ୍ତୁତ ଅଛନ୍ତି ବୋଲି ନରେନ୍ଦ୍ର ସିଂହ ତୋମାର କହିଛନ୍ତି ।

ଏଥିସହ ଜାନୁଆରୀ ୨୬ ତାରିଖରେ କୃଷକମାନଙ୍କ ଟ୍ରାକ୍ଟର ରାଲିକୁ ମଧ୍ୟ କୃଷି ମନ୍ତ୍ରୀ ନାପସନ୍ଦ କରିଛନ୍ତି । ଆନ୍ଦୋଳନ ପାଇଁ ଅନେକ ଦିନ ବାକି ଅଛି । ହେଲେ ଜାନୁଆରୀ ୨୬କୁ ଟ୍ରାକ୍ଟର ରାଲି ପାଇଁ ବାଛିବା ଉପଯୁକ୍ତ ନୁହେଁ ବୋଲି ସେ କହିଛନ୍ତି । ଏହାବାଦ୍ ଯଦି ବି ଏହି ଆନ୍ଦୋଳନ ହୁଏ ତେବେ ଚାଷୀ ଭାଇମାନେ ଏଥିରେ ଶାନ୍ତି ଶୃଙ୍ଖଳା ବଜାୟ ରଖିବେ ବୋଲି ସେ ଆଶା ରଖିଥିବା କହିଛନ୍ତି । ଅନ୍ୟପଟେ ଚାଷୀ ଆନ୍ଦୋଳନର ପ୍ରଭାବ ଉପରେ ସରକାର କୌଣସି ମତେ ବିଚାର କରୁନାହାନ୍ତି । ସରକାର କେବଳ ଚାଷୀମାନଙ୍କର ସମସ୍ତ ସମସ୍ୟା କରିବାକୁ ଚାହୁଁଛନ୍ତି ବୋଲି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ ସିଂହ ତୋମାର କହିଛନ୍ତି ।