ପ୍ରଧାନମନ୍ତ୍ରୀ ଓବିସି ନହଁନ୍ତି ସାଧାରଣ ବର୍ଗର । ଝାରୁସଗୁଡାରେ ଭାରତ ଯୋଡ ନ୍ୟାୟ ଯାତ୍ରା ବେଳେ ରାହୁଲ ଗାନ୍ଧୀଙ୍କ ସମାଲୋଚନା, ଗୁଜରାଟରୁ ଦିଲ୍ଲୀ ତେଜିଲା ରାଜନୀତି

68

କନକ ବ୍ୟୁରୋ : ଝାରସୁଗୁଡାରେ ଭାରତ ଯୋଡ ନ୍ୟାୟ ଯାତ୍ରା ବେଳେ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଛନ୍ତି । କଂଗ୍ରେସ ସାରା ଦେଶରେ ଜାତିଗତ ଜନଗଣନା କରିବାକୁ ଦାବି କରୁଛି । କିନ୍ତୁ ମୋଦୀ ସରକାର ଜାତିଗତ ଜନଗଣନାକୁ ନା କହିବା ପଛର କାରଣ କହିଛନ୍ତି ୱାଏନଡ ସାଂସଦ । ପ୍ରଧାନମନ୍ତ୍ରୀ ମୋଦୀ ଓବିସି ବର୍ଗରେ ଜନ୍ମ ହୋଇନଥିଲେ । ସେ ଗୁଜରାଟର ତେଲି ଜାତିରେ ଜନ୍ମଗ୍ରହଣ କରିଥିଲେ । ୨୦୦୦ ମସିହାରେ ଏହି ଜାତିକୁ ବିଜେପି ସରକାର ଓବିସିର ମାନ୍ୟତା ଦେଇଥିଲା । ମୋଦୀ ଓବିସିଙ୍କ ସହିତ ନୁହେଁ ବରଂ କୋଟିପତିଙ୍କ ସହ ରହିଛନ୍ତି ବୋଲି ରାହୁଲ କହିଛନ୍ତି ।

ବିହାରରେ ପ୍ରଥମେ ଜାତିଗତ ଜନଗଣନାକୁ ଅନୁମତି ମିଳିବା ପରେ ଏବେ କଂଗ୍ରେସ ସାରା ଦେଶରେ ଜାତିଗତ ଜନଗଣନା ପାଇଁ ଦାବି କରୁଛି । କିନ୍ତୁ ଏହାରି ଭିତରେ ରାହୁଲ ଗାନ୍ଧୀ ମୋଦୀଙ୍କ ଜାତି ଓବିସି ନୁହେଁ ବୋଲି ଦାବି କରିଛନ୍ତି । ରାହୁଲ ଏପରି କହି ନିର୍ବାଚନ ବେଳେ ଭୋଟ୍ ବ୍ୟାଙ୍କ ଏବଂ ତୁଷ୍ଟିକରଣ ରାଜନୀତି କରୁଛନ୍ତି ବୋଲି ଗୁଜରାଟର ବିଜେପି ବିଧାୟକ କହିଛନ୍ତି ।

୨୦୧୪ ଲୋକସଭା ନିର୍ବାଚନରେ ୩୦ ପ୍ରତିଶତ ପ୍ରଭାବଶାଳୀ ଓବିସି ବିଜେପିକୁ ଭୋଟ୍ ଦେଇଥିବା ବେଳେ ଅଣ-ପ୍ରଭାବଶାଳୀ ଓବିସି ଭୋଟରଙ୍କ ମଧ୍ୟରେ ୪୩ ପ୍ରତିଶତ ଭୋଟ୍ ମିଳିଥିଲା । ୨୦୧୯ ଲୋକସଭା ନିର୍ବାଚନରେ ଓବିସି ଭୋଟରଙ୍କ ମଧ୍ୟରେ ବିଜେପିର ସମର୍ଥନ ଆହୁରି ବୃଦ୍ଧି ପାଇଥିଲା । ପ୍ରଭାବଶାଳୀ ଓବିସି ଭୋଟରଙ୍କ ମଧ୍ୟରୁ ୪୦ ପ୍ରତିଶତ ବିଜେପିକୁ ଭୋଟ୍ ଦେଇଥିବା ବେଳେ ଅଣ-ପ୍ରଭାବଶାଳୀ ଓବିସିଙ୍କ ମଧ୍ୟରେ ୪୮ ପ୍ରତିଶତ ଭୋଟ୍ ମିଳିଛି । ଏବେ ନିର୍ବାଚନ ରହିଛି । ତେଣୁ ଓବିସିକୁ ନିଜ ପଟକୁ ନେବା ପାଇଁ ଶାସକ ବିରୋଧୀ ବୟାନବାଜି ଚାଲିଛି ।