କନକ ବ୍ୟୁରୋ: ନିର୍ବାଚନ ଯେତିକି ପାଖେଇ ଆସୁଛି, ପ୍ରଚାର ମଇଦାନରେ ସେତିକି ଦମ୍ ଲଗାଇ ଦେଇଛି ବିଜେପି । ୪ ଦିନ ପରେ ପୁଣି ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ । ଭୁବନେଶ୍ୱରରେ କରିବେ ବିଶାଳ ରୋଡ ସୋ । ଯାହାକୁ ନେଇ ବିଜେପି ଶିବିରରେ ପୂରା ଜୋସ୍ ଭରିଯାଇଛି । କେବଳ ଭୁବନେଶ୍ୱର ନୁହେଁ, ଉପକୂଳ ଓଡ଼ିଶାରେ ଏହାର ପ୍ରଭାବ ପଡିବ ବୋଲି ଆଶା ରଖିଛି ବିଜେପି । ଆସନ୍ତାକାଲି କନ୍ଧମାଳ, ବଲାଙ୍ଗୀର ଓ ବରଗଡ଼ ଜନସଭାରେ ଯୋଗ ଦେବେ ।
ଆଉ କିଛି ସମୟର ପ୍ରତୀକ୍ଷା । ଭୁବନେଶ୍ୱରରେ ରୋଡ ସୋ’ କରିବେ ପ୍ରଧାନମନ୍ତ୍ରୀ । ଗତ ନିର୍ବାଚନ ଭଳି ଏଥର ମଧ୍ୟ ବିଜେପି ଆୟୋଜନ କରିଛି ମୋଦୀଙ୍କ ବିଶାଳ ରୋଡ ସୋ’ । ଏହାକୁ ନେଇ ମୋଦୀମୟ ହୋଇ ଉଠିଛି ରାଜଧାନୀ । ଚଳଚଂଚଳ ହୋଇଉଠିଛି ବିଜେପି ରାଜ୍ୟ କାର୍ଯ୍ୟାଳୟ । ମୋଦୀଙ୍କ ସ୍ୱାଗତ ପାଇଁ ରଙ୍ଗୀନ ଆଲୋକମାଳାରେ ସଜ୍ଜା ଯାଇଛି ।
ରାତି ୮ଟା ୧୦: ବାୟୁସେନା ସ୍ୱତନ୍ତ୍ର ବିମାନରେ ଭୁବନେଶ୍ୱର ବିମାନବନ୍ଦରରେ ପହଁଚିବେ ପ୍ରଧାନମନ୍ତ୍ରୀ
ବିମାନବନ୍ଦରରୁ ସିଧା ପହଁଚିବେ ବିଜେପି ରାଜ୍ୟ କାର୍ଯ୍ୟାଳୟ
ରାତି ପ୍ରାୟ ୮ଟା ୩୦ରେ ରୋଡ୍ ସୋ’ ଆରମ୍ଭ
ରାମମନ୍ଦିର ଛକରୁ ବାଣୀବିହାର ପର୍ଯ୍ୟନ୍ତ ଚାଲିବ ରୋଡ୍ ସୋ’
ବିଜେପି କାର୍ଯ୍ୟାଳୟରୁ ବାଣୀବିହାର ମଧ୍ୟରେ ରହିଛି ୧୨ଟି ମଂଚ
ମୋଦୀଙ୍କ ରୋଡ୍ ସୋ’କୁ ନେଇ ବିଜେପି ନେତା ଓ କର୍ମୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି । ସେହିପରି ମୋଦୀଙ୍କ ଏକ ଝଲକ ପାଇବା ପାଇଁ ସାଧାରଣ ଲୋକଙ୍କ ମନରେ ମଧ୍ୟ ଉକ୍ରଣ୍ଠା ରହିଛି ।
ପ୍ରଧାନମନ୍ତ୍ରୀଙ୍କ ରୋଡ୍ ସୋ’ ପାଇଁ ବିଜେପି ପକ୍ଷରୁ ବ୍ୟାପକ ଆୟୋଜନ କରାଯାଇଥିବା ବେଳେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଛନ୍ତି ଓଡ଼ିଶା ପୁଲିସ ଓ ଏସପିଜି । ଭୁବନେଶ୍ୱର ଏୟାରପୋର୍ଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପହଁଚିବା ଠାରୁ ରାଜଭବନରେ ରାତ୍ରିଯାପନ ପର୍ଯ୍ୟନ୍ତ କଡ଼ାକଡ଼ି ରହିବ ସୁରକ୍ଷା ବ୍ୟବସ୍ଥା । ଯେଉଁ ରୁଟ୍ ଦେଇ ପ୍ରଧାନମନ୍ତ୍ରୀ ଯିବେ, ସେହି ରାସ୍ତାକୁ ସାନିଟାଇଜ୍ କରିବା ସହ ବ୍ୟାପକ ସୁରକ୍ଷା କର୍ମୀ ମୂତୟନ ହେବେ ।
ଜଗିବେ ୫୫ ପ୍ଲାଟୁନ୍ ପୁଲିସ ଫୋର୍ସ
ମୂତୟନ ହେବେ ୫ ଡିସିପି, ୧୦ ଅତିରିକ୍ତ ଡିସିପି, ୨୭ଜଣ ଏସିପି ଓ ୪୧ଜଣ ଇନ୍ସପେକ୍ଟର
ସଜାଗ ରହିବେ ୩ଟି ଆଂଟି ଟେରର୍ ଗ୍ରୁପ୍
ସପିଂ ମଲ୍ ଓ ବଡ଼ ବଡ଼ କୋଠାରେ ଜଗିବେ ବନ୍ଧୁକଧାରୀ ପୁଲିସ
ପଇଁତରା ମାରିବେ ଡଗ୍ ସ୍କ୍ୱାଡ୍ ଓ ବମ୍ ସ୍କ୍ୱାଡ୍
ବ୍ଲୁ-ବୁକ୍ ଅନୁସାରେ ସୁରକ୍ଷା ଦାୟିତ୍ୱରେ ଏସ୍ପିଜି ସହ କମିସନରେଟ୍ ପୁଲିସ
ଗତକାଲି ରାତିରେ ଏସପିଜି ଅଧିକାରୀ ଓ କମାଣ୍ଡୋଙ୍କ ନେତୃତ୍ୱରେ କାରକେଡ୍ ରିହିରସାଲ୍ କରାଯାଇଥିଲା । ଏଥିରେ ପୁଲିସ କମିସନର ଓ ଭୁବନେଶ୍ୱର ଡିସିପି ସାମିଲ ହୋଇଥିଲେ ।
ଆଜି ଟ୍ରାଫିକ୍ କଟକଣା କରାଯାଇଛି । ଦିନ ୨ଟାରୁ ମାଷ୍ଟର କ୍ୟାଂଟିନ୍ରୁ ବାଣୀବିହାର ପର୍ଯ୍ୟନ୍ତ ରାସ୍ତା ବନ୍ଦ ରହିଛି । ସୁରକ୍ଷା ବ୍ୟବସ୍ଥାର ଟିକିନିଖି ଯାଂଚ କରିଛନ୍ତି ଏସପିଜି ଓ ବରିଷ୍ଠ ପୁଲିସ ଅଧିକାରୀ ।
ଗତ ନିର୍ବାଚନରେ ରାଜଧାନୀରେ ରୋଡ୍ ସୋ’ କରିଥିଲେ ମୋଦୀ । ୧୯୯୮ ପରେ ଭୁବନେଶ୍ୱର ଲୋକସଭା ହାତେଇଥିଲା ବିଜେପି । ହେଲେ ସଂସଦୀୟ କ୍ଷେତ୍ରରେ ଥିବା ୭ଟି ଯାକ ବିଧାନସଭାରେ ଫେଲ୍ ମାରିଥିଲା ବିଜେପି । ଏଥର ବିଜେପିର ମିସନ ଭୁବନେଶ୍ୱର କେତେ ସଫଳ ହେବ, ତା’ ଉପରେ ରହିଛି ସମସ୍ତଙ୍କ ନଜର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2024/05/fefefef.jpg)