ବଲିଉଡରେ ପାଦ ଦେବେ ପ୍ରଧାନମନ୍ତ୍ରୀ ମୋଦି ! ଏହି ସିନେମାରେ କରିବେ କଣ୍ଠଦାନ

53

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିଜର ବଳିଷ୍ଠ ବ୍ୟକ୍ତିତ୍ୱ , ନିଆରା ନେତୃତ୍ୱଏବଂ ବିଚାରାଧାରାରେ ପୁରା ଦେଶବାସୀଙ୍କୁ କରିଛନ୍ତି ପ୍ରଭାବିତ । ସତ୍ତାର ଦୁନିଆରେ ବେତାଜ୍ ବାଦଶାହା କୁହାଯାଉଥିବା ମୋଦି ରାଜନୀତିରେ ଜିତିପାରିଛନ୍ତି ସମସ୍ତଙ୍କ ହୃଦୟ । ତେବେ ରାଜନୀତି ପରେ ଏବେ ବଲିଉଡରେ ପାଦ ରଖିବାକୁ ଯାଉଛନ୍ତି ସମସ୍ତଙ୍କ ପ୍ରିୟ ପ୍ରଧାନମନ୍ତ୍ରୀ ।

ବଲିଉଡରେ ଅଭିନୟ ନୁହେଁ ବରଂ ନିଜ କଣ୍ଠଦାନ କରିବେ ମୋଦି । ଖୁବ୍ ଶୀଘ୍ର ‘ବେଟି ବଚାଓ ବେଟି ପଢାଓ’ ଅଭିଯାନ ଉପରେ ଆସୁଛି ସିନେମା । ରେଡିଓରେ ନିଜ ସୋ’ ‘ମନ୍ କି ବାତ୍’ରେ ଜନତାଙ୍କ ନିକଟବର୍ତ୍ତୀ ହୋଇଥିବା ମୋଦି ଏବେ ଏହି ସିନେମାରେ କରିବେ କଣ୍ଠଦାନ ।

ନାରୀ ଶିକ୍ଷାକୁ ପ୍ରୋତ୍ସାହନ ଦେବା ପାଇଁ ତିଆରି ହେଉଥିବା ଏହି ସିନେମା ପାଇଁ ମ୍ୟୁଜିକ୍ କମ୍ପୋଜ୍ କରିଛନ୍ତି ମହରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ପଡ଼ନୀଭାସଙ୍କ ପତ୍ନୀ ଅମୃତା । ଏହା ସହ ସିନେମାର ନିର୍ଦ୍ଦେଶନା ଦେବେ ରାମକୁମାର ଶଡଙ୍ଗେ ।

ସିନେମାର ସୁନୀଲ୍ ସେଟ୍ଟି, ଶ୍ରୀ ଶ୍ରୀ ରବିଶଙ୍କର, କିରଣ ବେଦୀ, ଅମିତାଭ୍ ବଚ୍ଚନଙ୍କ ଭଳି ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ନଜର ଆସିବେ । ଏହା ସହ ବାହୁବଳୀର ନାୟିକା ତମନ୍ନା ଭାଟିଆ ଏବଂ ଓସ୍କାର୍ ନୋମିନେଟେଡ୍ ସିନେମା ‘ଲାୟନ୍’ରେ ବାଳ କଳାକାର ଭାବେ କାମ କରିଥିବା ସନ୍ନୀ ପାୱାର୍ ମଧ୍ୟ ସିନେମାରେ ଅଭିନୟ କରିବେ ।

ସିନେମାଟି ଆସନ୍ତା ବର୍ଷ ଜାନୁୟାରୀରେ ଅନୁଷ୍ଠିତ ହେବାକୁ ଥିବା ଜର୍ମାନ୍ ଏଣ୍ଡ୍ ଫ୍ରେଂଚ୍ ଫିଲ୍ମ ଫେଷ୍ଟିବାଲରେ ସ୍କ୍ରିନିଂ ହେବ । ସିନେମାଟି ପ୍ରାୟ ୧୪ଟି ଭାଷାରେ ଡବିଂ ହେବ ଏବଂ ପରେ ଦେଶର ବିଭିନ୍ନ ସ୍କୁଲ୍ ମାନଙ୍କରେ ପ୍ରଦର୍ଶନ ହେବ ।