କରୋନାକୁ ପ୍ରତିହତ କରିବାକୁ ପ୍ରଧାନମନ୍ତ୍ରୀଙ୍କ ସନ୍ଦେଶ: ୫ ଏପ୍ରିଲ ରାତି ୯ଟାରେ ୯ମିନିଟ ପାଇଁ ଘରର ସମସ୍ତ ଲାଇଟ ବନ୍ଦ କରି ମହମବତୀ, ଦୀପ ଏବଂ ମୋବାଇଲ ଫ୍ଲାସ ଲାଇଟ୍ ଜାଳିବାକୁ ମୋଦିଙ୍କ ଆହ୍ୱାନ

1,844

କନକ ବ୍ୟୁରୋ: ଦେଶବାସୀଙ୍କ ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭିଡିଓ ବାର୍ତା । ଦେଶରେ ୨୧ ଦିନିଆ ତାଲାବନ୍ଦ ଲାଗୁ ହେଉଥିବା ବେଳେ ଆଜି ଭିଡିଓ ବାର୍ତ୍ତା ଜରିଆରେ ଦେଶବାସୀଙ୍କୁ ସନ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ ଦେଶରେ କରୋନାର ଉଦବେଗଜନିତ ସ୍ଥିତିକୁ ନଜରରେ ରଖି ଆଗାମୀ ଦିନମାନଙ୍କରେ ଲକଡାଉନ କଟକଣାକୁ ଆହୁରୀ କଡାକଡି କରିବା ପାଇଁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।


କରୋନା ମୁକାବିଲା ପାଇଁ ଦେଶବାସୀଙ୍କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ସଂବୋଧିତ କରି କହିଛନ୍ତି ଯେ, ସାମୁହିକ ଶକ୍ତିର ପରିପ୍ରକାଶରେ ହିଁ ଭାରତୀୟଙ୍କ ବିଜୟ ହେବ । ଆଉ ଏହି ସାମୁହିକ ଶକ୍ତିର ପରିପ୍ରକାଶ ପାଇଁ ମୋଦି ଦେଶବାସୀଙ୍କ ଠାରୁ ୯ମିନିଟର ସମୟ ମାଗିଛନ୍ତି । ଏପ୍ରିଲ ୫ ତାରିଖ ରବିବାର ରାତି ୯ଟା ସମୟରେ ଲୋକମାନେ ଘରର ସମସ୍ତ ଲାଇଟ ବନ୍ଦ କରି ଅର୍ଥାତ ଘରକୁ ଅନ୍ଧାର କରି ବାହାରକୁ ଆସିବେ କିମ୍ବା ବାଲକୋନିକୁ ଆସିବେ । ଏବଂ ସେଠାରେ ଦୀପ, ମହମବତୀ, ଟର୍ଚ୍ଚ କିମ୍ବା ମୋବାଇଲ ଲାଇଟ ଜାଳି ସାମୁହିକ ଶକ୍ତିର ବାର୍ତା ଦେବାକୁ କହିଛନ୍ତି ମୋଦି ।

ତେବେ ସୋସିଆଲ ଡିଷ୍ଟାଂସ ବା ସାମାଜିକ ଦୁରତ୍ୱକୁ ରକ୍ଷା କରିବା ପାଇଁ ନିବେଦନ କରିଛନ୍ତି ମୋଦି । ରାସ୍ତାରେ ଏକାଠି ନହେବା ପାଇଁ କହିଛନ୍ତି । ମୋଦି କହିଛନ୍ତି, ଲୋକମାନେ ତାଲା ବନ୍ଦ ସମୟରେ ଘରେ ରହିଥିବା ବେଳେ ନିଜକୁ ଏକୁଟିଆ ଭାବନ୍ତୁ ନାହିଁ । ୧୩୦ କୋଟି ଲୋକଙ୍କ ଭାବାବେଗ ତାଙ୍କ ସହିତ ରହିଛି । ଆଉ ଏହି ସାମୁହିକ ଶକ୍ତିହିଁ କରୋନା ସହ ଲଢେଇରେ ଭାରତୀୟଙ୍କ ମନବଳ ବଢାଇବ । ମାର୍ଚ୍ଚ ୨୨-ଜନତା କର୍ଫ୍ୟୁ ଏବଂ ଥାଳି ବଜାଇବା ଘଟଣାକୁ ମନେପକାଇ ମୋଦି ତାଲା ବନ୍ଦ ସମୟରେ ଜନସାଧାରଣଙ୍କ ସହଯୋଗକୁ ପ୍ରଶଂସା କରିବା ସହିତ ଧନ୍ୟବାଦ ଜଣାଇଛନ୍ତି ।