ମିଳିତ ଜାତିସଂଘର ସାଧାରଣ ଅଧିବେଶନରେ ପ୍ରଧାନମନ୍ତ୍ରୀଙ୍କ ଉଦବୋଧନ । କହିଲେ, ଭାରତ ସେହି ଦେଶ ଯିଏ ଯୁଦ୍ଧ ନୁହେଁ ବିଶ୍ୱକୁ ଦେଇଛି ବୁଦ୍ଧ : ପ୍ଲାଷ୍ଟିକ ମୁକ୍ତ ପାଇଁ ଚାଲିଛି ଅଭିଯାନ

210

କନକ ବ୍ୟୁରୋ : ମିଳିତ ଜାତିସଂଘର ୭୪ତମ ସାଧାରଣ ପରିଷଦ ବୈଠକରେ ଉଦବୋଧନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ମୋଦି ବିଶ୍ୱ ଆଗରେ ଭାରତର ମହାନ ପରମ୍ପରାର କଥା ମନେ ପକାଇ ଦେଇଛନ୍ତି । ଏହା ସହ ଆତଙ୍କବାଦ ବିରୋଧରେ କଡା ଆଭିମୁଖ୍ୟ ମଧ୍ୟ ସ୍ପଷ୍ଟ କରିଦେଇଛନ୍ତି । ଆତଙ୍କବାଦ ବିରୋଧରେ ସାରା ବିଶ୍ୱକୁ ଏକାଠି ହେବାକୁ ଆହ୍ୱାନ କରିଛନ୍ତି । ସେପଟେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଜାତିସଂଘରେ ଭାଷଣ ରଖିବା ବେଳେ ପୁଣି କିଛି ଏପରି କହିଛନ୍ତି ଯାହା ଚର୍ଚା ସୃଷ୍ଟି କରିଛି ।

ଇମ୍ରାନ୍ ଆତଙ୍କବାଦୀଙ୍କୁ ସ୍ୱାଧୀନତା ସଂଗ୍ରାମୀ ବୋଲି କହିଛନ୍ତି । ନିଜ ବକ୍ତବ୍ୟରେ ମୋଦି କହିଛନ୍ତି, ଭାରତ ବିଶ୍ୱକୁ ଯୁଦ୍ଧ ନୁହେଁ ବୁଦ୍ଧ ଦେଇଛି । ବୁଦ୍ଧ ଓ ବିବେକାନନ୍ଦ ବିଶ୍ୱକୁ ଶାନ୍ତି ଓ ଭାତୃତ୍ୱର ବାର୍ତା ଦେଇଛନ୍ତି ବୋଲି ସେ କହିଛନ୍ତି । ହେଲେ ଇମ୍ରାନ୍ ଉଠାଇଛନ୍ତି ଇସଲାମ୍ ଫୋବିଆର କଥା । ସାରା ବିଶ୍ୱ ଏବେ ମୁସଲମାନଙ୍କୁ ଭିନ୍ନ ଦୃଷ୍ଟିରେ ଦେଖୁଥିବା ଅଭିଯୋଗ କରିଛନ୍ତି ଇମ୍ରାନ୍ । ଏଥିପାଇଁ ଭାରତକୁ ଦାୟୀ କରିଛନ୍ତି ଇମ୍ରାନ୍ ।