ଆଜିଠୁ ମୋଦୀଙ୍କ ତୃତୀୟ ଇନିଂସ । ସନ୍ଧ୍ୟା ୭ଟା ୧୫ରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ ନରେନ୍ଦ୍ର ମୋଦୀ । ଯୋଗ ଦେବେ ପଡୋଶୀ ଦେଶ ନେତା ।

143

କନକ ବ୍ୟୁରୋ: ଆଜିଠୁ ଆରମ୍ଭ ହେବାକୁ ଯାଉଛି ମୋଦୀଙ୍କ ତୃତୀୟ ପାଳି । ରାଷ୍ଟ୍ରପତି ଭବନରେ ସନ୍ଧ୍ୟା ୭ଟା ୧୫ ମିନିଟରେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ । ଏଥିସହ କିଛି କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଶପଥ ନେବାର କାର୍ଯ୍ୟକ୍ରମ ରହିଛି । ଏହି ଉତ୍ସବରେ ଯୋଗ ଦେବା ପାଇଁ ଦେଶବିଦେଶରୁ ମାନ୍ୟଗଣ୍ୟ ଅତିଥି ଯୋଗ ଦେବେ । ୬ ଜଣ ରାଷ୍ଟ୍ରମୁଖ୍ୟ ଶପଥ ସମାରୋହ ସାମିଲ ହେବେ । ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ୍ ହସିନାଙ୍କ ସମେତ ଶ୍ରୀଲଙ୍କା ରାଷ୍ଟ୍ରପତି, ମାଳଦୀପ ରାଷ୍ଟ୍ରପତି, ନେପାଳ, ଭୁଟାନ ଓ ମରିସସ୍ ରାଷ୍ଟ୍ର ମୁଖ୍ୟ ଭାରତ ଆସୁଛନ୍ତି ।
ଗୋଟିଏ ପଟେ ସମାରୋହ ପାଇଁ ଜୋରଦାର ଆୟୋଜନ ଚାଲିଥିବା ବେଳେ ଅନ୍ୟପଟେ କିଏ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇବେ, ଏ ନେଇ ଅଙ୍କକଷା ଚାଲିଛି ।

ଜେଡିୟୁ, ଟିଡିପି ଓ ଅନ୍ୟ ଦଳର ଦାବି ବଢ଼ିବାରେ ଲାଗିଛି । ଶପଥ ସମାରୋହ ପାଇଁ ଦିଲ୍ଲୀରେ ହାଇ ଆଲର୍ଟ ଜାରି କରାଯାଇଛି । ତାଜ, ଲିଲା, ଆଇଟିସି ମୌର୍ଯ୍ୟ, ଓବରେଇ ଭଳି ବଡ଼ ବଡ଼ ହୋଟେଲରେ ଅତିଥିମାନଙ୍କ ରହିବା ପାଇଁ ବ୍ୟବସ୍ଥା କରାଯାଇଛି । ସେଥିପାଇଁ ଏହି ହୋଟେଲ ଗୁଡିକରେ ସୁରକ୍ଷା ବ୍ୟବସ୍ଥା କଡାକଡି କରି ଦିଆଯାଇଛି । ଦିଲ୍ଲୀରେ ତ୍ରୀସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । ୨୫୦୦ ପୋଲିସ ଫୋର୍ସ, ୫ କମ୍ପାନୀ ପାରାମିଲିଟାରି ଫୋର୍ସ, ଏନଏସଜି କମାଣ୍ଡୋ ସହ ଡ୍ରୋନ ଏବଂ ସ୍ନାଇପରଙ୍କୁ ମୁତୟନ କରାଯାଇଛି । ସୁରକ୍ଷାକୁ ଦୃଷ୍ଟିରେ ରଖି କିଛି ସ୍ଥାନକୁ ନୋ ଫ୍ଲାଇଙ୍ଗ୍ ଜୋନ ମଧ୍ୟ ଘୋଷଣା କରଯାଇଛି ।