ନରେନ୍ଦ୍ର ମୋଦିଙ୍କ ନାଁରେ ନାମିତ ହେଲା ବିଶ୍ୱର ସର୍ବବୃହତ ଷ୍ଟାଡିୟମ । ନାଁ ଘୋଷଣା କଲେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । ଉଦଘାଟନ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ।

125

କନକ ବ୍ୟୁରୋ: ଗୁଜରାଟର ମୋଟେରାରେ ବିଶ୍ୱର ସବୁଠାରୁ ବଡ ଷ୍ଟାଡିୟମକୁ ଉଦଘାଟନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହି ଷ୍ଟାଡିୟମକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନାଁରେ ନାମିତ କରାଯାଇଛି । ଉଦଘାଟନ କାର୍ଯ୍ୟକ୍ରମରେ ଯୋଗଦେଇ ରାଷ୍ଟ୍ରପତି କହିଛନ୍ତି ଗୁଜରାଟ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଏହିଭଳି ଏକ ବିଶ୍ୱସ୍ତରୀୟ ଷ୍ଟାଡିୟମର ସ୍ୱପ୍ନ ଦେଖିଥିଲେ ମୋଦି । ଯାହା ଆଜି ପୂରଣ ହୋଇଛି ।

ମୋଟେରାର ଏହି ସର୍ବ ବୃହତ୍ ଷ୍ଟାଡିୟମ ଉଦଘାଟନ ସମୟରେ ଏହାର ବିଶେଷତା ଦର୍ଶାଇଛନ୍ତି ଶାହା । ଏହି ଷ୍ଟାଡିୟମରେ ଆଗାମୀ ୬ ମାସ ମଧ୍ୟରେ ଅଲମ୍ପିକ୍ସ, ଏସିଆଡ ଓ କମନ ୱେଲଥ ଗେମ ଖେଳାଯାଇ ପାରିବାର ସୁବିଧା ଥିବା ନେଇ କହିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ । କେବଳ କ୍ରିକେଟ୍ ନୁହଁ , ଫୁଟବଲ୍, ଇନ ଡୋର ତଥା ଆଉଟ୍ ଡୋର ଗେମ୍ ପାଇଁ ମଧ୍ୟ ସମସ୍ତ ବ୍ୟବସ୍ଥା ରହିଛି।
ନଜର ପକାଇବା ମୋଟେରା ଷ୍ଟାଡିୟମର କିଛି ବିଶେଷତା ଉପରେ…

– ୬୩ ଏକର ପରିମିତ ଜାଗାରେ ତିଆରି ମୋଟେରା ଷ୍ଟାଡିୟମ
– ଷ୍ଟାଡିୟମରେ ରହିଛି ୧୧ଟି ପିଚ୍
– ଲାଲ ଓ କଳା ମାଟିରେ ତିଆରି ହୋଇଛି ଅଲଗା ଅଲଗା ପିଚ୍
– ଷ୍ଟାଡିୟମରେ ରହିଛି ୭୩ଟି କର୍ପୋରେଟ୍ ବକ୍ସ
– ଷ୍ଟାଡିୟମରେ ଦର୍ଶକ ସଂଖ୍ୟା ୧ ଲକ୍ଷ ୧୦ ହଜାରକୁ ବୃଦ୍ଧି
– ୪ଟି ଡ୍ରେସିଂ ରୁମ୍, ଡ୍ରେସିଂ ରୁମରେ ରହିଛି ଜିମ୍ ବ୍ୟବସ୍ଥା
– ବର୍ଷା ବନ୍ଦ ହେବାର ୩୦ ମିନିଟରେ ଷ୍ଟାଡିୟମରୁ ହେବ ଜଳ ନିଷ୍କାସନ
– ଫ୍ଲଡ ଲାଇଟ୍ ସହିତ ଲାଗିଛି ଷ୍ଟାଡିୟମ ଛାତରେ ଲାଗିଛି ଏଲଇଡି ଲାଇଟ୍
– ପଡିଆରେ ପଡୁଥିବା ଛାଇକୁ ଦୂର କରିବ ଏଲଇଡି ଲାଇଟ୍

  • ଅଷ୍ଟ୍ରେଲିଆର ଏମସିଜି ଷ୍ଟାଡିୟମରେ ଦର୍ଶକ କ୍ଷମତା ୧ ଲକ୍ଷ ୪ ହଜାର
  • କୋଲକାତାର ଇଡେନ ଗାର୍ଡେନର ଦର୍ଶକ ବସିବା କ୍ଷମତା ୬୮ ହଜାର
  • ମୋଟେରା ନରେନ୍ଦ୍ର ମୋଦି ଷ୍ଟାଡିୟମ ଦର୍ଶକ ବସିବା କ୍ଷମତା ୧ ଲକ୍ଷ ୧୦ ହଜାର

ଦର୍ଶକ ବସିବା କ୍ଷମତାରେ ଏବେ ବିଶ୍ୱର ସମସ୍ତ କ୍ରିକେଟ ଷ୍ଟାଡିୟମକୁ ଅତିକ୍ରମ କରିଛି ନରେନ୍ଦ୍ର ମୋଦି ଷ୍ଟାଡିୟମ । ଏହି ନୂଆ ଷ୍ଟାଡିୟମ ନିର୍ମାଣରେ ଖର୍ଚ ହୋଇଛି ପ୍ରାୟ ୭୦୦ କୋଟି ଟଙ୍କା । ନରେନ୍ଦ୍ର ମୋଦି ଷ୍ଟାଡିୟମର ଉଦଘାଟନ ସମୟରେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ସ୍ପୋର୍ଟସ ଏନକ୍ଲେଭର ଭୂମି ପୂଜନ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହାର ନିର୍ମାଣ ସରିଲେ ପୁରା ଅଂଚଳରେ ଦେଖିବାକୁ ମିଳିବ ପ୍ରାୟ ୨୦ଟି ବିଶ୍ୱସ୍ତରୀୟ ଷ୍ଟାଡିୟମ । ଏହା ବଳରେ ଅହମ୍ମଦାବାଦକୁ ସ୍ପୋର୍ଟସ ସିଟିରେ ପରିଣତ କରିବା ଯୋଜନା ରଖିଛନ୍ତି ମୋଦି ସରକାର ।