ଟିକାକରଣ ପାଇଁ କେତେ ପ୍ରସ୍ତୁତ ଅଛନ୍ତି ରାଜ୍ୟ : ମୁଖ୍ୟମନ୍ତ୍ରୀମାନଙ୍କ ସହ ସୋମବାର ଆଲୋଚନା କରିବେ ପ୍ରଧାନମନ୍ତ୍ରୀ; ଆସନ୍ତା ସପ୍ତାହରେ ଦେଶରେ ଆରମ୍ଭ ହୋଇପାରେ ଟିକାକରଣ

64

କନକ ବ୍ୟୁରୋ : ଟିକାକରଣ ପାଇଁ କେତେ ପ୍ରସ୍ତୁତ ଅଛନ୍ତି ରାଜ୍ୟ ସରକାର । ଏନେଇ ଜାନୁଆରୀ ୧୧ ତାରିଖ ଅର୍ଥାତ ସୋମବାର, ଅପରାହ୍ନ ୪ଟାରେ ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତରେ ଟିକାକରଣ ପାଇଁ କୋଭିସିଲ୍ଡ ଓ କୋଭାକ୍ସିନ ଟିକାକୁ ଅନୁମତି ମିଳିବା ପରେ ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ ।

ଟିକାକରଣ ପାଇଁ ରାଜ୍ୟ ସରକାରମାନେ କେତେ ପ୍ରସ୍ତୁତି ରହିଛନ୍ତି ଓ ରାଜ୍ୟମାନଙ୍କରେ କୋଭିଡର ସ୍ଥିତି କଣ ରହିଛି ସେ ନେଇ ଭିଡିଓକନଫରେନ୍ସିଂ ଜରିଆରେ ପଚାରିବୁଝିବେ ମୋଦି । ଏନେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି । ଦେଶରେ ମହାମାରୀ କରୋନା ଆରମ୍ଭ ହେବା ପରଠାରୁ ଏପର୍ଯ୍ୟନ୍ତ ୬ ଥର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରି ସାରିଛନ୍ତି ପ୍ରଧାନମନ୍ତ୍ରୀ । ଟିକାକରଣ ପାଇଁ ବର୍ଷ ଆରମ୍ଭରୁ ଅକ୍ସଫୋର୍ଡ ଦ୍ୱାରା ବିକଶିତ ଟିକା କୋଭିସିଲ୍ଡ ଓ ଭାରତ ବାୟୋଟେକ୍ ଦ୍ୱାରା ବିକଶିତ କୋଭାକ୍ସିନକୁ ଅନୁମତି ଦେଇଛି ଡିସିଜିଆଇ ।

ଏବଂ ଖୁବଶୀଘ୍ର ଟିକାକରଣ ଆରମ୍ଭ ହେବ ବୋଲି କୁହାଯାଉଛି । ଏଥିପାଇଁ ଦେଶବ୍ୟାପି ଜାନୁଆରୀ ୨ ତାରିଖରେ ଓ ୮ ତାରିଖରେ ଟିକାକରଣର ମକଡ୍ରିଲ ବା ଡ୍ରାଏ ରନ୍ କରାଯାଇଛି । ଏହି ଡ୍ରାଏ ରନ୍ ସଫଳ ହୋଇଛି ବୋଲି କହିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବାକୁ ସେମାନଙ୍କ ଚୂଡାନ୍ତ ତାଲିକା ପ୍ରସ୍ତୁତି ହୋଇସାରିଛି । କେବଳ ଟିକାକରଣ ଦିନ ଧାର୍ଯ୍ୟ ହେବା ବାକି ରହିଛି ।