ରାହୁଲଙ୍କ ‘ନ୍ୟାୟ’ରେ ପ୍ରଧାନମନ୍ତ୍ରୀଙ୍କ ଜବାବ: ମୋଦି କହିଲେ, ଯାହାର ଖାତାଟିଏ ଖୋଲିବାର ସକ୍ଷମ ନାହିଁ, ସେ ଗରିବଙ୍କ ଖାତାକୁ ଟଙ୍କା ପଠାଇବା କଥା କହୁଛି

202

କନକ ବ୍ୟୁରୋ: ନିର୍ବାଚନ ଘୋଷଣାର ୧୮ ଦିନ ପରେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସାଧାରଣ ନିର୍ବାଚନ ପାଇଁ ଆଜି ଉତରପ୍ରଦେଶରେ ମିରଟରେ ରାଲି କରିଛନ୍ତି ପ୍ରଧାନମନ୍ତ୍ରୀ  । ମିରଟରେ ନିର୍ବାଚନ ରାଲି କରି ପ୍ରଧାନମନ୍ତ୍ରୀ ମିରଟ, ବିଜନେର ଓ ମୁଜାଫରନଗର ନିର୍ବାଚନ ମଣ୍ଡଳିର ଭୋଟରଙ୍କୁ ମନେଇବାକୁ ଉଦ୍ୟମ କରିଛନ୍ତି । ମିରଟରେ ପ୍ରଧାନମନ୍ତ୍ରୀଙ୍କୁ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ଓ ବିଜେପି ନେତା ଭବ୍ୟ ସ୍ୱାଗତ କରିଛନ୍ତି ।

ମିରଟ ରାଲିକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶର ଜନତା ମନ ବଳାଇଲେଣି, ପୁଣି ଥରେ ବିଜେପି ସରକାର ଦେଶର ଶାସନ ଗାଦିରେ ବସିବାକୁ ଯାଉଛି ।  ସେହିପରି ପ୍ରଧାନମନ୍ତ୍ରୀ ରାଲିକୁ ସମ୍ବୋଧିତ କରି କହିଥିଲେ, ଆମ ସରକାରଙ୍କ ୫ ବର୍ଷ ହିସାବ ଦେବି ଓ ୬୦ ବର୍ଷର ହିସାବ ମଧ୍ୟ ନେବି । ଚୌକିଦାର କାହାକୁ ଅନ୍ୟାୟ କରେ ନାହିଁ, ଗୋଟି ଗୋଟି କରି ସମସ୍ତଙ୍କର ହିସାବ କରାଯିବ ।  ମିରଟ ରାଲି ପରେ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦି ରୁଦ୍ରପୁର ଓ କଶ୍ମୀରର ଅଖନୁରରେ ନିର୍ବାଚନ ରାଲିକୁ ସମ୍ବୋଧିତ କରିବା କାର୍ଯ୍ୟକ୍ରମ ରହିଛି ।

ସେହିପରି କଂଗ୍ରେସର ନ୍ୟାୟ ଯୋଜନାକୁ ମଧ୍ୟ କଡା ଭାଷାରେ କଟାକ୍ଷ କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ମୋଦି କହିଛନ୍ତି କି, ଯେଉଁ ସରକାର ନିଜର ୧୭ ବର୍ଷ କାର୍ଯ୍ୟକାଳ ମଧ୍ୟରେ ଗରିବଙ୍କର ଖାତାଟିଏ ବି ଖୋଲିପାରିଲା ନାହିଁ ସେ କଣ ଗରିବଙ୍କ ଖାତାକୁ ଟଙ୍କା ପଠାଇବ ବୋଲି ସଭା ମଂଚରୁ ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରିଛନ୍ତି ମୋଦି ।