କନକ ବ୍ୟୁରୋ : ଭାରତର ପୂର୍ବତନ ବୈଦେଶିକ ବ୍ୟାପାର ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତ୍ରୀ ସୁଷମା ସ୍ୱରାଜଙ୍କ ଏପରି ହଠାତ୍ ଅକାଳ ବିୟୋଗ ସାରା ଦେଶକୁ ସ୍ତବ୍ଧ କରିଦେଇଛି । ସୁଷମାଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଭାବୁକ ହୋଇଛନ୍ତି ମୋଦି । ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ମଧ୍ୟ ସୁଷମାଙ୍କ ବାସଭବନକୁ ଯାଇ ସୁଷମାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ମଙ୍ଗଳବାର ରାତିରେ ଦିଲ୍ଲୀ ଏମ୍ସରେ ହୃଦଘାତରେ ସେ ଆଖି ବୁଜିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୬୭ ବର୍ଷ ବୟସ ହୋଇଥିଲା ।

Advertisment

ମଙ୍ଗଳବାର ରାତିରେ ଛାତିରେ ଯନ୍ତ୍ରଣା ହେବାରୁ ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତି କରାଯାଇଥିଲା । ତେବେ ଡାକ୍ତରଙ୍କ ସମସ୍ତ ଉଦ୍ୟମ ଫେଲ୍ ମାରିଥିଲା । ସୁଷମାଙ୍କ ପରଲୋକ ଖବର ପ୍ରସାରିତ ହେବା ମାତ୍ରେ ଦିଲ୍ଲୀ ଏମ୍ସକୁ ଛୁଟିଥିଲା ନେତା ଓ କର୍ମୀଙ୍କ ସୁଅ । ରାତିରେ ଦିଲ୍ଲୀ ଏମ୍ସରୁ ସୁଷମାଙ୍କ ମରଶରୀରକୁ ଦିଲ୍ଲୀସ୍ଥିତ ବାସଭବନକୁ ନିଆଯାଇଥିଲା । ଏହା ପରେ ତାଙ୍କର ଦିଲ୍ଲୀ ସ୍ଥିତ ବାସଭବନରେ ତାଙ୍କର ଶେଷ ଦର୍ଶନ କରୁଛନ୍ତି ବିଭିନ୍ନ ବର୍ଗର ଲୋକ ।

ସକାଳୁ ୧୦ଟା ୩୦ ପର୍ଯ୍ୟନ୍ତ ତାଙ୍କ ବାସଭବନରେ ରହିବ ପ୍ରାର୍ଥୀବ ଶରୀର । ଏହାପରେ ପ୍ରାର୍ଥୀବ ଶରୀରକୁ ବିଜେପି କାର୍ଯ୍ୟାଳୟକୁ ନିଆଯିବ । ସେଠାରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଓ ଦଳର ଅନ୍ୟ ତୁଙ୍ଗ ନେତା ସୁଷମାଙ୍କ ଶେଷ ଦର୍ଶନ କରିବେ । ଏହା ପରେ ଅପରାହ୍ନ ପ୍ରାୟ ୩ଟାରେ ଲୋଧି ରୋଡର ଶ୍ମଶାନରେ ହେବ ଅନ୍ତିମ ସଂସ୍କାର । ସୁଷମାଙ୍କ ବାସଭବନରେ ପହଞ୍ଚି ଶେଷ ଦର୍ଶନ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୋଦି ।