ନାମାଙ୍କନ ଭରିବା ପୂର୍ବରୁ ଦଶାଶ୍ୱମେଧ ଘାଟରେ ମୋଦୀଙ୍କ ପୂଜାର୍ଚ୍ଚନା । ତୃତୀୟ ଥର ପାଇଁ ବାରଣାସୀରୁ ହୋଇଛନ୍ତି ପ୍ରାର୍ଥୀ ।

110

କନକ ବ୍ୟୁରୋ : ଆଜି ନାମାଙ୍କନ ଭରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତୃତୀୟ ଥର ପାଇଁ ବାରଣାସୀରୁ ପ୍ରାର୍ଥୀ ହୋଇଛନ୍ତି ମୋଦୀ । ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ଦଶାଶ୍ୱମେଧ ଘାଟରେ ପହଁଚି ମା’ ଗଙ୍ଗାଙ୍କ ପୂଜାର୍ଚ୍ଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ଏହାପରେ କାଳଭୈରବଙ୍କ ମନ୍ଦିର ଯାଇ ସେଠାରେ ମଧ୍ୟ ପୂଚାର୍ଚ୍ଚନା କରିବେ ।

ନାମାଙ୍କନ ଭରିବା ପୂର୍ବରୁ ପ୍ରାୟ ୧୦ଟା ୪୫ରେ ଏନଡିଏ ନେତାଙ୍କ ସହ ବୈଠକ କରିବେ ପ୍ରଧାନମନ୍ତ୍ରୀ ମୋଦୀ । ଦିନ ୧୧ଟା ୪୦ରେ ପ୍ରାର୍ଥୀପତ୍ର ଦାଖଲ କରିବାର କାର୍ଯ୍ୟକ୍ରମ ରହିଛି । ନାମାଙ୍କନ ଭରିବା ସମୟରେ ପ୍ରଧାନମନ୍ତ୍ରୀଙ୍କ ସହ ୧୨ ରାଜ୍ୟର ମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିବେ । ପ୍ରଧାନମନ୍ତ୍ରୀଙ୍କ ନାମାଙ୍କନ ସମୟରେ ୪ ଜଣ ପ୍ରସ୍ତାବକ ରହିବେ । ଅଯୋଧ୍ୟା ଶ୍ରୀରାମ ମନ୍ଦିର ପ୍ରାଣ ପ୍ରତିଷ୍ଠାର ଶୁଭ ସମୟ ସ୍ଥିର କରିଥିବା ଗଣେଶ୍ୱର ଶାସ୍ତ୍ରୀ ପ୍ରସ୍ତାବକ ରହିବେ । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ବରିଷ୍ଠ କାର୍ଯ୍ୟକର୍ତା ବୈଜନାଥ ପଟେଲ ଦ୍ୱିତୀୟ ପ୍ରସ୍ତାବକ ରହିବେ । ଦଳୀୟ କାର୍ଯ୍ୟକର୍ତା ଲାଲଚାନ୍ଦ କୁସବାହା ଏବଂ ସଞ୍ଜୟ ସୌନକର ମଧ୍ୟ ପ୍ରସ୍ତାବକ ରହିବେ ।

ପ୍ରଧାନମନ୍ତ୍ରୀଙ୍କ ନାମାଙ୍କନ ପାଇଁ ବାରଣାସୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଜୁନ ୧ ତାରିଖ ତଥା ଶେଷ ପର୍ଯ୍ୟାୟରେ ବାରଣାସୀରେ ନିର୍ବାଚନ ହେବାର ଅଛି । ୨୦୧୪ରେ ପ୍ରଧାନମନ୍ତ୍ରୀ ମୋଦୀ ବାରଣାସୀ ଆସନରୁ ୩ ଲକ୍ଷ ୩୭ ହଜାରରୁ ଅଧିକ ଭୋଟରେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଅରବିନ୍ଦ କେଜ୍ରିୱାଲଙ୍କୁ ହରାଇଥିଲେ । ୨୦୧୯ରେ ମୋଦୀ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ସମାଜବାଦୀ ପାର୍ଟିର ସାଲିନି ଯାଦବଙ୍କୁ ୪ ଲକ୍ଷ ୮୦ ହଜାରରୁ ଅଧିକ ଭୋଟରେ ହରାଇଥିଲେ ।