ଆସନ୍ତାକାଲି କୋଲକାତା ବ୍ରିଗେଡ ଗ୍ରାଉଣ୍ଡରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମାବେଶ । ୧୦ ଲକ୍ଷରୁ ଅଧିକ ଲୋକଙ୍କ ସମାଗମ ନେଇ ଦଳ ଆଶାବାଦୀ ।

114

କନକ ବ୍ୟୁରୋ: ଆସନ୍ତାକାଲି କୋଲକାତାର ବ୍ରିଗେଡ୍ ଗ୍ରାଉଣ୍ଡରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ରାଲି । ଏଥିପାଇଁ ଆଜି ପଶ୍ଚିମବଙ୍ଗର ବିଜେପି ନେତାଏଁ ବ୍ରିଗେଡ୍ ଗ୍ରାଉଣ୍ଡ ପରିଦର୍ଶନ କରି ପ୍ରସ୍ତୁତି ତଦାରଖ କରିଛନ୍ତି । ଆସନ୍ତାକାଲି ବ୍ରିଗେଡ ଗ୍ରାଉଣ୍ଡରେ ପ୍ରାୟ ୧୦ ଲକ୍ଷ ଲୋକଙ୍କ ସମାଗମ ହେବା ଆଶା ରଖିଛି ବିଜେପି । ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ତାରିଖ ଘୋଷଣା ପରେ ଏହା ହେଉଛି ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ଓ ବିଶାଳ ରାଲି । ଏଥର ମୋଦି ପଶ୍ଚିମବଙ୍ଗରେ ପ୍ରାୟ ୨୦ଟି ରାଲି କରିବେ ବୋଲି ବିଜେପି ଯୋଜନା କରିଛି । ଏହି ବ୍ରିଗେଡ୍ ଗ୍ରାଉଣ୍ଡ ରାଲିରେ ଯୋଗ ଦେଇପାରନ୍ତି ବଲିଉଡ୍ କଳାକାର ମିଥୁନ୍ ଚକ୍ରବର୍ତି । ଏନେଇ ସୂଚନା ଦେଇଛନ୍ତି ପଶ୍ଚିମବଙ୍ଗର ବିଜେପି ନେତା କୈଳାସ ବିଜୟ ବର୍ଗୀୟ । ଫୋନ୍ ଯୋଗେ ସେ ଏନେଇ ମିଥନ ଦାଙ୍କ ସହିତ କଥା ହୋଇଥିବା କହିଛନ୍ତି ।

ବେଙ୍ଗଲରେ କଥାରେ ଅଛି ବ୍ରିଗେଡ ଗ୍ରାଉଣ୍ଡ ଯାହାର, ପଶ୍ଚିମବଙ୍ଗ ତାହାର । ଏହାକୁ ନଜରରେ ରଖି ବିଜେପି କରୁଛି ସମସ୍ତ ପ୍ରସ୍ତୁତି । କରୋନା କାରଣରୁ ଟ୍ରେନ ଚଳାଚଳ ନାହିଁ । ସମର୍ଥକଙ୍କୁ ଜୁଟାଇବାରେ ବସ୍ ମିଳୁନଥିବା ବିଜେପି କହିଛି । ତଥାପି ଯେତିକି ଲୋକ ବ୍ରିଗେଡ୍ ଗ୍ରାଉଣ୍ଡରେ ପହଁଚିବେ , ସମାବେଶ ସ୍ଥଳ ଜାଗା ହେବନି ବୋଲି କହିଛି ବିଜେପି । ଏହି ମଂଚରୁ ମମତାଙ୍କ ବିରୋଧରେ ମୋଦି ବିଜୟର ଶଙ୍ଖନାଦ କରିବେ ବୋଲି ବିଜେପି ଆଶା ରଖିଛି । ସେପଟେ ଏଥର ଭବାନୀପୁର ଛାଡି ନନ୍ଦିଗ୍ରାମରୁ ଲଢିବାକୁ ନିଷ୍ପତି ନେଇଥିବା ମମତା, ଶୁଭେନ୍ଦୁ ଅଧିକାରୀଙ୍କ ଠାରୁ ପରାସ୍ତ ହେବେ ବୋଲି ଦମ୍ଭ ଦେଖାଇଛନ୍ତି ବିଜେପି ନେତା ।

ମୋଦିଙ୍କ ରାଲି ଆଗରୁ ପଶ୍ଚିମବଙ୍ଗରେ ବଳ ଗୋଟାଉଛି ବିଜେପି । ମୋଦିଙ୍କ ଉପସ୍ଥିତିରେ ଦଳରେ କିଛି ବଡ ମୁଣ୍ଡ ଯୋଗ ଦେବାର କାର୍ଯ୍ୟକ୍ରମ ଥିବା ସୂଚନା ମିଳିଛି । ଏହା ଆଗରୁ ଆଜି ବିଜେପିରେ ଯୋଗ ଦେଇଛନ୍ତି ଟିଏମସିର ଅନ୍ୟତମ ବରିଷ୍ଠ ନେତା ଦିନେଶ ତ୍ରିବେଦୀ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଦିନେଶ ତ୍ରିବେଦୀଙ୍କୁ ଦଳକୁ ସ୍ୱାଗତ କରି କହିଛନ୍ତି , ବର୍ତମାନ ଯାଏଁ ଜଣେ ଠିକ୍ ଲୋକ, ଭୁଲ୍ ଦଳରେ ଥିଲେ ।