କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ନିଜ ମନ୍ତ୍ରୀଙ୍କ ସହ ବୈଠକ କରିଛନ୍ତି । ଏହି ବୈଠକ ପରେ ମନ୍ତ୍ରୀଙ୍କୁ ବଡ ସନ୍ଦେଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ ମୋଦୀ କହିଛନ୍ତି, ସନାତନ ଧର୍ମ ଉପରେ ଉଦୟନିଧି ଷ୍ଟାଲିନ ଦେଇଥିବା ବୟାନ ଉପରେ ସମସ୍ତେ ଜବାବ ଦିଅନ୍ତୁ । ଏହାସହ ଭାରତ ଓ ଇଣ୍ଡିଆ ନାଁକୁ ନେଇ ଉପୁଜିଥିବା ବିବାଦକୁ ନେଇ କୌଣସି ବୟାନବାଜି ନ କରିବାକୁ ପରାମର୍ଶ ଦେଇଛନ୍ତି । ମନ୍ତ୍ରୀ ମାନଙ୍କୁ ମୋଦୀଙ୍କ ଏଭଳି ପରାମର୍ଶ ଦର୍ଶାଉଛି ଯେ, ସନାତନ ଧର୍ମ ଉପରେ ଉଦୟନିଧି ଦେଇଥିବା ବୟାନକୁ ବିଜେପି ବଡ ମୁଦ୍ଦା କରିପାରେ ।

Advertisment

ଏହାପୂର୍ବରୁ ସନାତନ ଧର୍ମକୁ ଉଦୟନିଧି ଷ୍ଟାଲିନ ଡେଙ୍ଗୁ ସହ ତୁଳନା କରିଥିଲେ ।ଯାହାକୁ ନେଇ ଏବେ ବିବାଦ ଉପୁଜିଛି । ତାମିଲନାଡୁର ମନ୍ତ୍ରୀ ଉଦୟନିଧି କହିଥିଲେ, ସନାତନ ଧର୍ମକୁ କେବଳ ବିରୋଧ କରିବା କଥା ନୁହେଁ ବରଂ ଏହାକୁ ସମାପ୍ତ କରିଦେବା ଉଚିତ୍ । ଏହା ସାମାଜିକ ନ୍ୟାୟ ଓ ସମାନତା ବିରୋଧରେ ରହିଛି । ଆମେ କରୋନା, ଡେଙ୍ଗୁ ଓ ମାଲେରିଆକୁ ବିରୋଧ ନୁହେଁ ବରଂ ଏହାକୁ ନିପାତ କରିବା ଉଚିତ୍ । ସେହିଭଳି ସନାତନ ଧର୍ମକୁ ମଧ୍ୟ ସମାପ୍ତ କରିବା ଉଚିତ୍ ।

ସନାତନ ଧର୍ମ ବୟାନକୁ ନେଇ ବିଜେପି ସମେତ ବିଭିନ୍ନ ଧର୍ମଗୁରୁ ମଧ୍ୟ ଉଦୟନିଧିଙ୍କୁ ଘେରିଛନ୍ତି । କେବଳ ଏତିକି ନୁହେଁ ଷ୍ଟାଲିନଙ୍କୁ ଟାର୍ଗେଟ କରିବା ସହ ଇଣ୍ଡିଆ ମେଣ୍ଟକୁ ମଧ୍ୟ ଟାର୍ଗେଟ କରିଛନ୍ତି । ସନାତନ ଧର୍ମକୁ ନେଇ ଏଭଳି ବୟାନ ଦେବା ଉଚିତ୍ ନୁହେଁ ବୋଲି ଧର୍ମଗୁରୁ କହିଛନ୍ତି ।