୨୦୧୯ରେ ପୁରୀରୁ ଲଢିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି ! ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା, ପୂରୀରୁ ପୂର୍ବ ଭାରତ ଦଖଲ ଅଭିଯାନ ଆରମ୍ଭ କରିବ ବିଜେପି

63

କନକ ବ୍ୟୁରୋ: ଆଗାମୀ ୨୦୧୯ ସାଧାରଣ ନିର୍ବାଚନରେ ପୁରୀରୁ ଲଢିପାରନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୨୦୧୪ରେ ଉତ୍ତରପ୍ରଦେଶର ବାରଣାସୀରୁ ଲୋକସଭା ନିର୍ବାଚନ ଲଢିଥିବା ମୋଦି, ଆଗାମୀ ଲୋକସଭା ନିର୍ବାଚନରେ ଓଡିଶାର ପୁରୀରୁ ନିର୍ବାଚନୀ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇପାରନ୍ତି ବୋଲି ଜାତୀୟ ଗଣମାଧ୍ୟରେ ଜୋରଦାର ଚର୍ଚ୍ଚା । ଏକ ପ୍ରତିଷ୍ଠିତ ନ୍ୟୁଜ ଚ୍ୟାନେଲ ଏବିପି ନ୍ୟୁଜର ରିପୋର୍ଟ ଅନୁସାରେ ବାରଣାସୀରେ ବାବା ବିଶ୍ୱନାଥଙ୍କ ଆଶୀର୍ବାଦ ପାଇ ଦେଶର ପ୍ରଧାନମନ୍ତ୍ରୀ ବନିଥିବା ମୋଦି ଏଥର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଲାଭ କରିବାକୁ ପୁରୀରେ ଭାଗ୍ୟ ପରୀକ୍ଷା କରିପାରନ୍ତି । ଯଦିଓ ବିଜେପି ପକ୍ଷରୁ ଏନେଇ କୌଣସି ବିଧିବଦ୍ଧ ସୂଚନା ଦିଆଯାଇ ନାହିଁ, ତଥାପି ବିଭିନ୍ନ ଜାତୀୟ ଗଣମାଧ୍ୟମ ଏଭଳି ଖବର ପ୍ରକାଶ କରିଛନ୍ତି ।

କଥା ହେଉଛି ୨୦୧୪ରେ ଓଡିଶାରୁ ମାତ୍ର ଗୋଟିଏ ଲୋକସଭା ଆସନ ଜିତିଥିବା ବିଜେପି ପୂର୍ବ ଭାରତ ଦଖଲର ଲକ୍ଷ୍ୟ ରଖିଛି । ଆଉ ସେହି ରଣନୀତିର ଅଂଶ ସ୍ୱରୂପ ଓଡିଶାରେ କେନ୍ଦ୍ର ସରକାରଙ୍କ ୪ବର୍ଷର ରିପୋର୍ଟ କାର୍ଡ ରଖିବାକୁ ଯାଉଛନ୍ତି ମୋଦି । ଜାତୀୟ ଗଣମାଧ୍ୟମରେ ଆହୁରି ହେଉଥିବା ଚର୍ଚ୍ଚା ଅନୁସାରେ, ପୁରୀ ସହ ରହିଛି ପ୍ରଧାନମନ୍ତ୍ରୀ ମୋଦିଙ୍କର ଖାସ ସଂପର୍କ । ଯେତେବେଳେ ମୋଦି ଦେଶର ପ୍ରଧାନମନ୍ତ୍ରୀ ହୋଇନଥିଲେ, ଆଉ ୨୦୧୩ ଅଗଷ୍ଟରେ ମୋଦି ପହଂଚିଥିଲେ ପୁରୀରେ । ଆଉ ଜଗନ୍ନାଥଙ୍କ ଆଶୀର୍ବାଦରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ବନିଗଲେ । ଯେଉଁଥିପାଇଁ ପ୍ରଧାନମନ୍ତ୍ରୀ ହେବା ପରେ ୨୦୧୬ ଫେବ୍ରୁଆରୀରେ ପୁରୀ ଯାଇ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ କରିଥିଲେ । କୁହାଯାଉଛି, ପୁରୀରୁ ନିର୍ବାଚନ ଲଢି ଓଡିଶା, ପଶ୍ଚିମବଙ୍ଗ ଓ ଝାରଖଣ୍ଡରେ ବିଜେପି କ୍ଷମତା ଦଖଲ କରିବାକୁ ଚାହୁଁଛି । ଆଉ ପୁରୀରୁ ନିର୍ବାଚନ ଲଢିଲେ ୧୧ଟି ରାଜ୍ୟର ୧୦୨ ଲୋକସଭା ସିଟ ଉପରେ ଏହାର ପ୍ରଭାବ ପଡିବ । ୨୦୧୪ରେ ଏହି ୧୨୦ ଲୋକସଭା ସିଟରୁ ଏନଡିଏ ମାତ୍ର ୨୬ଟିରେ ଜିତିଥିଲା । ସେହିପରି ଆନ୍ଧ୍ର ଓ ତେଲେଙ୍ଗାନାର ୪୨ଟି ଲୋକସଭା ଆସନ ଉପରେ ବି ମୋଦିଙ୍କ ପୁରୀ ପ୍ଲାନର ଗଭୀର ପ୍ରଭାବ ପଡିବ ।

ଉଲ୍ଲେଖ ଥାଉ କି, ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କେନ୍ଦ୍ରରେ ବିଜେପି ନେତୃତ୍ୱାଧୀନ ଏନଡିଏ ସରକାରଙ୍କ ୪ବର୍ଷର ହିସାବ ଦେବେ ପ୍ରଧାନମନ୍ତ୍ରୀ । ଏଥିପାଇଁ କଟକ କିଲ୍ଲା ପଡିଆରେ ବ୍ୟାପକ ବନ୍ଦୋବସ୍ତ କରିଛି ରାଜ୍ୟ ବିଜେପି । ଦୁଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ ଗୋଟିଗୋଟି କରି ସବୁ ପ୍ରସ୍ତୁତିର ତର୍ଜମା କରିଛନ୍ତି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ମୁତାବକ ଅପରାହ୍ମ ୩ଟା ୨୦ରେ କଟକ ମହାନଦୀ ପଠାରେ ଥିବା କିଲ୍ଲା ପଡିଆରେ ପହଂଚି ଜନକଲ୍ୟାଣ ସମାବେଶରେ ନିଜ ପ୍ରଥମ ପାଳିର ଚତୁର୍ଥ ବର୍ଷର ସଫଳତା କଥା କହିବେ ପ୍ରଧାନମନ୍ତ୍ରୀ ମୋଦି ।

ନଜର ପକାନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କଟକ ଗସ୍ତ ସୂଚୀ ଉପରେ…

– ମାତ୍ର ଅଢେଇ ଘଂଟା ପାଇଁ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

– ଆଜି ଅପରାହ୍ନା ୩ଟା ୨୫ରେ ଭୁବନେଶ୍ୱର ବିମାନବନ୍ଦରରେ ପହଂଚିବେ

– ଏହାପରେ ଏମଆଇ ୮/୧୭ ହେଲିକେପ୍ଟରରେ କଟକ ଯିବେ ମୋଦି

– ହେଲିପ୍ୟାଡରୁ ବାହାରି ଅପରାହ୍ନ ୪ଟା ୧୫ ମିନିଟରେ ସଭାସ୍ଥଳରେ ପହଂଚିବେ

– କଟକ ବାଲିଯାତ୍ରା ପଡିଆରେ ଜନକଲ୍ୟାଣ ସମାବେଶକୁ ସମ୍ବୋଧିତ କରିବେ

– ପ୍ରାୟ ୧ଘଂଟା ୧୫ମିନିଟ ଧରି ବାଲିଯାତ୍ରା ପଡିଆ ସଭା ମଂଚରେ ରହିବେ ପ୍ରଧାନମନ୍ତ୍ରୀ

– ସଭାକାର୍ଯ୍ୟ ପରେ ଭୁବନେଶ୍ୱର ଆସି ସଂଧ୍ୟା ୫ଟା ୫୦ରେ ଦିଲ୍ଲୀ ଫେରିଯିବେ