ଯେବେ ‘ମୋଦି’ଙ୍କ ସହ ପ୍ରଚାର କଲେ ରାହୁଲ ! ଭ୍ରମରେ ପଡିଗଲେ କଂଗ୍ରେସ କର୍ମୀ

ପାଠକ ପୂର୍ବରୁ ୨୦୧୪ ମସିହାରେ ଚର୍ଚ୍ଚାକୁ ଆସିଥିଲେ । ଯେତେବେଳେ ସେ ବିଜେପି ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଥିଲେ । ସେତେବେଳେ ତାଙ୍କର ଜବରଦସ୍ତ କ୍ରେଜ ମଧ୍ୟ ରହିଥିଲା । କିନ୍ତୁ ଦିନ କେଇଟା ପରେ ସବୁକିଛି ଯେମିତି ବଦଳିଗଲା

195

୧୨ ନଭେମ୍ବରରେ ଛତିଶଗଡରେ ବିଧାନସଭା ନିର୍ବାଚନ ପାଇଁ ଭୋଟ ଦିଆଯିବାକୁ ଥିବା ବେଳେ ପ୍ରଚାର ଶେଷ ହୋଇଛି । ଉଭୟ କଂଗ୍ରେସ ଓ ବିଜେପିର ଷ୍ଟାର ପ୍ରଚାରକ ଏଥିପାଇଁ ଗତ କିଛି ଦିନ ହେବ ଛତିଶଗଡରେ ଡେରା ପକାଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ଆରମ୍ଭ କରି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ନିଜ ନିଜ ଦଳ ପାଇଁ ଜୋରଦାର ପ୍ରଚାର କରିଛନ୍ତି । ତେବେ ଏହି ପ୍ରଚାର ସମୟରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଛି । କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିଛନ୍ତି ମୋଦିଙ୍କ ଡୁପ୍ଲିକେଟ । ଅବିକଳ ମୋଦିଙ୍କ ଭଳି ଦେଖାଯାଉଥିବା ଅଭିନନ୍ଦନ ପାଠକ ପୂର୍ବରୁ ବିଜେପି ପାଇଁ ପ୍ରଚାର କରୁଥିଲେ ମଧ୍ୟ କିଛିଦିନ ପୂର୍ବେ କଂଗ୍ରେସ ଦଳରେ ଯୋଗ ଦେଇଥିଲେ ।

ଅଭିନନ୍ଦନ ପାଠକ ଓ ରାହୁଲ ଗାନ୍ଧି ଏକାସାଙ୍ଗରେ ପ୍ରଚାର କରୁଥିବା ଦେଖି ଲୋକମାନେ ମଧ୍ୟ ଭ୍ରମରେ ପଡିଥିଲେ । ଲାଗୁଥିଲା ସତେ ଯେମିତି ମୋଦି ଓ ରାହୁଲ ଗାନ୍ଧି ଏକା ସାଙ୍ଗରେ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି । ଅବିକଳ ମୋଦିଙ୍କ ଭଳି ଦେଖା ଯାଉଥିବା ଅଭିନନ୍ଦନ ପାଠକ ତାଙ୍କ ଭଳି ଜ୍ୟାକେଟ ଓ ମଫଲର ମଧ୍ୟ ପିନ୍ଧିଥିଲେ । ମୋଦିଙ୍କ ଷ୍ଟାଇଲରେ କଂଗ୍ରେସ ପାଇଁ ପ୍ରଚାର ମଧ୍ୟ କରିଥିଲେ ଅଭିନନ୍ଦନ । ଯାହାର ଫଟୋ ନିଜେ ରାହୁଲ ଗାନ୍ଧି ଇନଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଯେଉଁଥିରେ ସେ ଲେଖିଛନ୍ତି, ଦେଖନ୍ତୁ ଛତିଶଗଡରେ ପ୍ରଚାର ସମୟରେ କଂଗ୍ରେସ ପାର୍ଟିକୁ କଣ ମିଳିଲା ।

ପାଠକ ପୂର୍ବରୁ ୨୦୧୪ ମସିହାରେ ଚର୍ଚ୍ଚାକୁ ଆସିଥିଲେ । ଯେତେବେଳେ ସେ ବିଜେପି ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଥିଲେ । ସେତେବେଳେ ତାଙ୍କର ଜବରଦସ୍ତ କ୍ରେଜ ମଧ୍ୟ ରହିଥିଲା । କିନ୍ତୁ ଦିନ କେଇଟା ପରେ ସବୁକିଛି ଯେମିତି ବଦଳିଗଲା । ବିଜେପି ଦେଇଥିବା ପ୍ରତିିଶୃତି ପାଳନ ନ କରିଥିବାରୁ ଲୋକେ ତାଙ୍କ ସାର୍ଟ ଚିରି ଦେବା ସହ ଚାପୁଡା ମାରିଥିଲେ । କାରଣ ସେ ବିଜେପି ପାଇଁ ପ୍ରଚାର କରୁଥିଲେ । ତେବେ ପରବର୍ତ୍ତୀ ସମୟରେ ଲୋକଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି କଂଗ୍ରେସରେ ଯୋଗ ଦେଇଥିବା କହିଛନ୍ତି ଅଭିନନ୍ଦନ ପାଠକ୍ ।