ଦିଲ୍ଲୀରେ ବିଜେପିର ରାଷ୍ଟ୍ରୀୟ ପଦାଧିକାରୀଙ୍କ ବୈଠକ : ପାଂଚ ରାଜ୍ୟର ହେବାକୁ ଥିବା ନିର୍ବାଚନ ରଣନୀତି ଉପରେ ମାନସମନ୍ଥନ

ଦଳୀୟକର୍ମୀଙ୍କୁ ବିଜୟ ମନ୍ତ୍ର ଦେବେ ପ୍ରଧାନମନ୍ତ୍ରୀ; ଓଡିଶା ବିଜେପି ସଭାପତି ସମୀର ମହାନ୍ତିଙ୍କ ସମେତ ଅନ୍ୟ ପଦାଧିକାରୀ ବୈଠକରେ ସାମିଲ

77

କନକ ବ୍ୟୁରୋ : ଦିଲ୍ଲୀର ଏନଡିଏମସି କନଭେନସନ ସେଂଟରରେ ବିଜେପିର ପଦାଧିକାରୀଙ୍କ ବୈଠକ ଆରମ୍ଭ ହୋଇଛି । ବୈଠକକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୫ଟି ରାଜ୍ୟରେ ହେବାକୁ ଥିବା ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରାଯିବା ସହ ଏନେଇ ମାନସମନ୍ଥନ କରାଯିବ । ଦଳୀୟ କର୍ମୀଙ୍କୁ ବିଜୟ ମନ୍ତ୍ରୀ ଦେବେ ମୋଦି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଧ୍ୟକ୍ଷତାରେ ପରିଚାଳିତ ବୈଠକରେ ଦଳର ସମସ୍ତ ବଡ ନେତା ଓ ସଂସଦୀୟ ବୋର୍ଡର ସଦସ୍ୟ ସାମିଲ ହୋଇଛନ୍ତି । ଏହାଛଡା ସମସ୍ତ ରାଜ୍ୟର ପ୍ରଭାରୀ, ସହପ୍ରଭାରୀ, ପ୍ରଦେଶ ଅଧ୍ୟକ୍ଷ ଓ ରାଜ୍ୟ ସଗଂଠନର ଅନ୍ୟ ପଦାଧିକାରୀ ସାମିଲ ହୋଇଛନ୍ତି ।

ଓଡିଶା ବିଜେପି ସଭାପତି ସମୀର ମହାନ୍ତି ଓ ଅନ୍ୟ ପଦାଧିକାରୀ ମଧ୍ୟ ବୈଠକରେ ଯୋଗ ଦେଇଛନ୍ତି । ଏଥିରେ ଦଳର ସଂଗଠନ, ବିଜେପି ଶାସିତ ରାଜ୍ୟରେ ପାର୍ଟି ଓ ରାଜ୍ୟ ସରକାର ମଧ୍ୟରେ ସମନ୍ୱୟ, ଯେଉଁ ରାଜ୍ୟରେ ବିଜେପି ସରକାର ନାହିଁ, ସେଠାରେ କେନ୍ଦ୍ର ସରକାରଙ୍କ ଗରିବ କଲ୍ୟାଣ ଯୋଜନାର ଲାଭ କେମିତି ତୃଣମୂଳସ୍ତରରେ ପହଂଚିବ, ସେନେଇ ବିଚାର ବିମର୍ଶ କରାଯିବ ବୋଲି ସୂଚନା ମିଳିଛି । ସେହିପରି ତିନି କୃଷି ଆଇନ କିପରି ଚାଷୀଙ୍କୁ ଲାଭ ପହଂଚାଇବ ଲୋକଙ୍କୁ ବୁଝାଇବା ସହ କୃଷକ ଆନ୍ଦୋଳନକୁ ନେଇ କିପରି ରାଜନୈତିକ ପାର୍ଟି ମୋଦି ସରକାରଙ୍କୁ ବଦନାମ କରିବାକୁ ଉଦ୍ୟମ କରୁଛନ୍ତି ସେ ସଂପର୍କରେ ଆଲୋଚନା ହେବ ।