ଭୁଟାନ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭୁଟାନ ପ୍ରଧାନମନ୍ତ୍ରୀଙ୍କ ସହ ମିଳିତ ଭାବେ କଲେ ଇ-ରୂପେ କାର୍ଡର ଶୁଭାରମ୍ଭ

345

କନକ ବ୍ୟୁରୋ : ଭୁଟାନ ଗସ୍ତରେ ଅଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେଠାରେ ଶ୍ରୀ ମୋଦି ଆଜି ଭୁଟାନ ପ୍ରଧାନମନ୍ତ୍ରୀ ଲୋଟେ ଶେରିଙ୍ଗ ସହ ମଳିତ ଭାବେ ଦ୍ୱିତୀୟ ପର୍ଯ୍ୟାୟ ଇ- ରୂପେ କାର୍ଡର ଶୁଭାରମ୍ଭ କରିଛନ୍ତି । ଗତବର୍ଷ ଅଗଷ୍ଟ ମାସରେ ମୋଦି ଭୁଟାନରେ ଇ-ରୂପେ କାର୍ଡର ଶୁଭାରମ୍ଭ କରିଥିଲେ । ଏକ ଜନସଭାକୁ ସମ୍ବୋଦ୍ଧିତ କରି ଶ୍ରୀ ମୋଦି କହିଛନ୍ତି କି, କୋଭିଡ-୧୯ ମହାମାରୀ ଭଳି ଜଟିଳ ସମୟରେ ଭାରତ ଭୁଟାନକୁ ସମ୍ପୁର୍ଣ୍ଣ ସହଯୋଗ କରୁଛି । ଭୁଟାନର ଆବଶ୍ୟକତାକୁ ଭାରତ ସବୁବେଳେ ଅଗ୍ରାଧିକାର ଦେଉଥିବା ସେ କହିଛନ୍ତି ।

ଏହି ଗସ୍ତ ସମୟରେ ଦ୍ୱିତୀୟ ପର୍ଯ୍ୟାୟ ରୂପେ କାର୍ଡର ଶୁଭାରମ୍ଭ ହେବା ସହ ଦୁଇଦେଶ ମଧ୍ୟରେ ସଂପର୍କ ଘନିଷ୍ଠ ହୋଇଥିବା କଥା ମୋଦି କହିଛନ୍ତି । ଇସ୍ରୋ ସହାୟତାରେ ଆସନ୍ତା ବର୍ଷ ଭୁଟାନର ଉପଗ୍ରହ ମହାକାଶକୁ ପଠାଇବା କାର୍ଯ୍ୟ ତ୍ୱରାନ୍ୱିତ ହୋଇଥିବାରୁ ପ୍ରଧାନମନ୍ତ୍ରୀ ମୋଦି ସନ୍ତୋଷ ପ୍ରକାଶ କରିଛନ୍ତି । ଶ୍ରୀ ମୋଦି କହିଛନ୍ତି କି ଭୁଟାନର ୪ ଜଣ ମହାକାଶ ବିଜ୍ଞାନୀ ଡିସେମ୍ବର ମାସରେ ଇସ୍ରୋରେ ଗସ୍ତରେ ଯିବେ । ଅନ୍ୟପଟେ ଭୁଟାନ ପ୍ରଧାନମନ୍ତ୍ରୀ ଶ୍ରୀ ଶେରିଙ୍ଗ କୋଭିଡ୍ ମୁକାବିଲା ପାଇଁ ଭାରତକୁ ପ୍ରଶଂସା କରିଛନ୍ତି । ଭାରତ କୋଭିଡ୍ ଉପରେ ବିଜୟଲାଭ କରିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି । ସେ କହିଛନ୍ତି କି କୋଭିଡ୍ ଟିକା ପ୍ରସ୍ତୁତ କରିବାରେ ଭାରତ ମୁଖ୍ୟ ଭୂମିକା ନେଉଥିବାରୁ ଏହା ସଫଳ ହେବ ବୋଲି ସମସ୍ତଙ୍କ ମନରେ ଆଶା ସଂଞ୍ଚାର ହୋଇଛି । ସେପଟେ ଟିକା ଉତ୍ପାଦିତ ହେବା ପରେ ଭାରତ ଭୁଟାନକୁ ଟିକା ଯୋଗାଇବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁଟାନ ସରକାରକୁ ପ୍ରତିଶୃତି ଦେଇଛନ୍ତି ।

ଭୁଟାନରେ ପ୍ରଥମ ପର୍ଯ୍ୟାୟ ରୂପେ କାର୍ଡ ଲାଗୁ ହେବା ପରେ ଭାରତରୁ ଭୁଟାନକୁ ଯାଉଥିବା ଲୋକମାନେ ଏଟିଏମ୍ ବ୍ୟବହାର କରିପାରୁଛନ୍ତି । ଦ୍ୱିତୀୟ ପର୍ଯ୍ୟାୟ ରୂପେ କାର୍ଡ ଲାଗୁ ହେବା ପରେ ଭୁଟାନରୁ ଭାରତ ଆସୁଥିବା ନାଗରିକ ମାନେ ଏଠିକାର ଏଟିଏମ୍ ବ୍ୟବହାର କରିପାରିବେ ।