କନକ ବ୍ୟୁରୋ: ଜାପାନର ଓସାକାରେ ଚାଲିଥିବା ଜି-୨୦ ବୈଠକରେ ଆଜି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କୁ ଭେଟିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦ୍ୱିତୀୟ ଥର ପାଇଁ ମୋଦି ପ୍ରଧାନମନ୍ତ୍ରୀ ହେବା ପରେ ଟ୍ରମ୍ପ ଓ ମୋଦିଙ୍କ ମଧ୍ୟରେ ଏହା ପ୍ରଥମ ସାକ୍ଷାତ । ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ଏହି ଦୁଇ ବିଶ୍ୱସ୍ତରୀୟ ନେତା । ବିଶେଷ କରି ଟିକସ, ପ୍ରତିରକ୍ଷା, ଫାଇଭ୍-ଜି ଏବଂ ଦ୍ୱିପାକ୍ଷିକ ସମ୍ପର୍କ ନେଇ ଉଭୟ ନେତା ଆଲୋଚନା କରିଛନ୍ତି । ଆଲୋଚନାରେ ଇରାନ ପ୍ରସଙ୍ଗ ମଧ୍ୟ ସ୍ଥାନ ପାଇଛି । ଆଲୋଚନା ବେଳେ ମୋଦିଙ୍କୁ ପ୍ରଶଂସା କରିଛନ୍ତି ଟ୍ରମ୍ପ ।

Advertisment

publive-image source :google

କହିଛନ୍ତି, ଭାରତରେ ମୋଦି ଭଲ କାମ କରୁଛନ୍ତି । ସେହିପରି ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ, ଆମେରିକା ଏବଂ ଜାପାନ ବିଶ୍ୱର ତିନିଟି ପ୍ରମୁଖ ଦେଶ । ସବକା ସାଥ୍ ସବକା ବିକାଶ, ହେଉଛି ଭାରତର ମୂଳମନ୍ତ୍ର । ଏହାପୂର୍ବରୁ ଗତକାଲି ଟ୍ରମ୍ପ ଟ୍ୱିଟ୍ କରି କହିଛନ୍ତି ଯେ, ଆମେରିକା ସାମଗ୍ରୀ ଉପରେ ଭାରତ ବର୍ଷ ବର୍ଷ ଧରି ଅଧିକ ଟିକସ ଲଗାଉଛି । ନିକଟରେ ମଧ୍ୟ ଏହା ଟିକସ ପରିମାଣ ବଢାଇଛି । ଏହା ଗ୍ରହଣୀୟ ନୁହେଁ, ତାହା ପ୍ରତ୍ୟାହାର ହେବା ଦରକାର । ଦୁଇ ନେତାଙ୍କ ମଧ୍ୟରେ ସାକ୍ଷାତ ପୂର୍ବରୁ ଟ୍ରମ୍ପଙ୍କ ଏଭଳି ଟ୍ୱିଟ୍ ବେଶ୍ ଗୁରୁତ୍ୱ ବହନ କରୁଛି ।

ଭାରତ ସହ କାରବାରକୁ ନେଇ ଟ୍ରମ୍ପ କିଛି ମାସ ହେଲାଣି ଭିନ୍ନ ଆଭିମୁଖ୍ୟ ଗ୍ରହଣ କରୁଛନ୍ତି । କିଛି ଦିନ ତଳେ ଟ୍ରମ୍ପ ଭାରତ ଠାରୁ ଜିଏସପି ଅର୍ଥାତ୍ ଜେନେରାଲାଇଜ୍ଡ ସିଷ୍ଟମ ଅଫ୍ ପ୍ରିଫରେନ୍ସ ପ୍ରତ୍ୟାହାର କରିନେଇଥିଲେ । ଏହାର ଜବାବରେ ଭାରତ ପକ୍ଷରୁ ଆମେରିକା ରପ୍ତାନୀ କରୁଥିବା ୨୮ ପ୍ରକାର ସାମଗ୍ରୀ ଉପରେ ଟିକସ ପରିମାଣ ବଢାଇ ଦିଆଯାଇଥିଲା । ଏଥିସହ ହାର୍ଲି ଡେଭିଡସନ୍ ବାଇକ୍ ଉପରେ ଭାରତ ଲଗାଇଥିବା ଶହେ ପ୍ରତିଶତ ଟିକସକୁ ପ୍ରଥମେ ଟ୍ରମ୍ପ ବିରୋଧ କରିଥିଲେ । ଏହାପରଠାରୁ ନିୟମିତ ଭାବେ ଟ୍ରମ୍ପ, ଭାରତର ଉଚ୍ଚ ଟିକସ ବିଷୟରେ ବିଭିନ୍ନ ମଂଚରେ ଆଲୋଚନା କରୁଛନ୍ତି ।