ବିଜେପିର ମିଶନ ଗୁଜୁରାଟ : ଘୋଘାରେ ଆରମ୍ଭ ହେଲା ମୋଦିଙ୍କ ସ୍ୱପ୍ନର ପ୍ରକଳ୍ପ, ଫେରି ସେବାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

29

କନକ ବ୍ୟୁରୋ : ଗୁଜୁରାଟ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ପୂର୍ବରୁ ଗୋଟିଏ ପରେ ଗୋଟିଏ ପ୍ରକଳ୍ପର ଶୁଭାରମ୍ଭ କରି ଭୋଟରଙ୍କୁ ଆକର୍ଷିତ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଗୋଟିଏ ମାସ ଭିତରେ ତୃତୀୟ ଥର ପାଇଁ ଆଜି ଗୁଜୁରାଟ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀ ମୋଦି, ଡ୍ରିମ୍ ପ୍ରୋଜେକ୍ଟ କୁହାଯାଉଥିବା ରୋଲଅନ୍ ରୋଲ୍ ଅଫ୍ ବା ରୋରୋ ଫେରି ସେବାର ଆରମ୍ଭ କରିଛନ୍ତି । ଘୋଘାରୁ ଦେହେଜ୍ ୩୦୦ କିଲୋମିଟର ଜଳପଥ ପାଇଁ ୬୧୫ କୋଟିର ପ୍ରକଳ୍ପର ଆରମ୍ଭ କରିଛନ୍ତି ମୋଦି । ଏହାକୁ ମୋଦି ନୂଆ ଭାରତ ତଥା ନୂଆ ଗୁଜୁରାଟ୍ ଗଠନର ଅଂଶ ବିଶେଷ ବୋଲି କହିବା ସହ ନୀଳ ଅର୍ଥନୀତି ଉପରେ ସରକାରଙ୍କ ଫୋକସ୍ ଥିବା କହିଛନ୍ତି ।

ଏହି ସେବା ଦ୍ୱାରା ୩୦୦ କିଲୋମିଟର ରାସ୍ତାକୁ ୭ରୁ ୮ କିଲୋମିଟର ବଦଳରେ ଏଣିକି ମାତ୍ର ଘଂଟେରୁ ଦେଢ଼ ଘଂଟାରେ ଅତିକ୍ରମ କରି ହେବ ବୋଲି ମୋଦି କହିଛନ୍ତି । ଆଉ ଏହି ସେବା ଜନତାଙ୍କ ସମୟ ଏବଂ ସରକାରଙ୍କ ଟଙ୍କା ବଂଚାଇବାରେ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଛନ୍ତି । ମୋ ସରକାର ସାଗର ମାଳା ପ୍ରକଳ୍ପରେ ବିଶ୍ୱାସ କରେ ଏବଂ ଯାହା ଏକ କୋଟି ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ସେ କହିଛନ୍ତି । ଯୋଗାଯୋଗର ବିକାଶ ବିନା ଅର୍ଥନୀତିର ବିକାଶ ମନ୍ଥର । ତେଣୁ ଏହାକୁ ଦୃଷ୍ଟିରେ ରଖି ବନ୍ଦରଗୁଡ଼ିକର ବିକାଶ ଦିଗରେ ସରକାର ଧ୍ୟାନ ଦେଇଛନ୍ତି ବୋଲି ମୋଦି କହିଛନ୍ତି । ଏହା ସହ ମୋଦି ଆଜି ଗୁଜୁରାଟରେ ଦେଇଛନ୍ତି ପି ଫର୍ ପି ମନ୍ତ୍ର । ଅର୍ଥାତ୍ ପୋର୍ଟ ଫର୍ ପସ୍ପରିଟି ବା ବନ୍ଦର ବିକାଶ ପାଇଁ ।

ବିଧାନସଭା ନିର୍ବାଚନ ପୂର୍ବରୁ ପୁଣି କଂଗ୍ରେସକୁ ଟାର୍ଗେଟ୍ କରିଛନ୍ତି ପ୍ରଧାନମନ୍ତ୍ରୀ । ୟୁପିଏ ସରକାର ଥିବା ସମୟରେ ଗୁଜୁରାଟକୁ ଅବହେଳାର ଶିକାର ହେବାକୁ ପଡ଼ିଛି ବୋଲି ଆଜି ମୋଦି କହିଛନ୍ତି । ମୁଖ୍ୟମନ୍ତ୍ରୀ ଥିବା ସମୟରେ କେନ୍ଦ୍ର ସରକାରଙ୍କ ଅସହଯୋଗ ଯୋଗୁଁ ଅନେକ ବିକାଶ ପ୍ରକଳ୍ପର ଆଗେଇ ପାରିନଥିବା ଅଭିଯୋଗ କରିଛନ୍ତି । ଆଉ ଏଥିପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ ଥିବା ସମୟରେ କଡ଼ା ସଂଘର୍ଷ କରିବାକୁ ପଡ଼ିଥିଲା ବୋଲି ଆଜି ମୋଦି କହିଛନ୍ତି ।

କେନ୍ଦ୍ରର ତତ୍କାଳୀନ ୟୁପିଏ ସରକାର ସହଯୋଗ କରିନଥିଲେ ଓ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମକୁ ଜାଣିଶୁଣି ଅଟକାଯାଇଥିଲା । ୨୦୧୪ରେ କିନ୍ତୁ ଏହି ସ୍ଥିତି ବଦଳିଯାଇଥିଲା । ବର୍ତ୍ତମାନ ରାଜ୍ୟର ସବୁ ପ୍ରକଳ୍ପ ଓ ଉନ୍ନୟନ କାମ ଠିକ ବାଟରେ ଚାଲିଛି । ଗତ ୩ ବର୍ଷ ମଧ୍ୟରେ ଗୁଜରାଟକୁ ଉଚିତ ଧ୍ୟାନ ଦିଆଯାଉଛି । ଗୁଜରାଟ ଗୌରବ ରାଲିରେ ଭାଗନେଇ ସେ ଏହି ଅଭିଯୋଗ ଆଣିଛନ୍ତି । ଚଳିତବର୍ଷ ଶେଷରେ ଗୁଜରାଟରେ ବିଧାନସଭା ନିର୍ବାଚନ ହେବ । ମୋଦି ଓ ବିଜେପି ସଭାପତି ଅମିତ ଶାହଙ୍କ ଘରୋଇ ରାଜ୍ୟ ଗୁଜରାଟରେ ଦୀର୍ଘ ବର୍ଷ ଧରି କ୍ଷମତାସୀନ ଥିବା ବିଜେପି ପାଇଁ ଏହି ନିର୍ବାଚନ ଚ୍ୟାଲେଞ୍ଜ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଅନ୍ୟପଟେ ମୋଦି ଏବଂ ଶାହା ଯୋଡ଼ିଙ୍କୁ ପରାସ୍ତ କରିବା ପାଇଁ କଂଗ୍ରେସ ଏବଂ ପ୍ରମୁଖ ଦଳ ଗୁଡ଼ିକ ଏକାଠି ହୋଇଛନ୍ତି ।