ଓଡିଶା ଆସିବା ପୂର୍ବରୁ ମୋଦୀଙ୍କ ବଡ ବୟାନ: ଓଡ଼ିଶାରେ ସରକାର ପରିବର୍ତ୍ତନ ନେଇ ପୁଣି ଦମ୍ଭୋକ୍ତି କଲେ ପ୍ରଧାନମନ୍ତ୍ରୀ

183

କନକ ବ୍ୟୁରୋ: ଠିକ୍ ଓଡ଼ିଶା ଆସିବା ପୂର୍ବରୁ ଏବଂ ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାର କରିବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏହି ଦମ୍ଭୋକ୍ତି, ଏଥିପାଇଁ ଅଧିକ ଗୁରୁତ୍ୱ ରଖୁଛି, କାରଣ ଓଡ଼ିଶାର ୪ଟି ପର୍ଯ୍ୟାୟରୁ ୩ଟି ପର୍ଯ୍ୟାୟ ନିର୍ବାଚନ ସରି ଯାଇଛି । ହାର୍ଜିତ୍ର ଅଙ୍କକଷା ଭିତରେ ଶେଷ ପର୍ଯାୟ ଭୋଟ୍, ୨୦୨୪ ନିର୍ବାଚନର ପରିଣାମକୁ ଚୁଡ଼ାନ୍ତ ରୂପ ଦେବ । ତେଣୁ ଏଭଳି ଏକ ସମୟରେ ମୋଦୀଙ୍କ ଏହି ମନ୍ତବ୍ୟ, ବିଜେପିର ଆତ୍ମବିଶ୍ୱାସ କିମ୍ବା ଉର୍ଜା ବଢ଼ାଇବା ପାଇଁ ହୋଇଥାଇପାରେ ଅଥବା ଶାସକ ବିଜେଡିକୁ ନିରୁତ୍ସାହିତ କରିବା ପାଇଁ ଏକ କୌଶଳ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

ଓଡ଼ିଶାରେ ଶେଷ ପର୍ଯ୍ୟାୟ ପାଇଁ ଶେଷ ଉଦ୍ୟମ କରିବା ପୂର୍ବରୁ ମୋଦୀ, ଏଏନ୍ଆଇକୁ ସାକ୍ଷତାକାର ଦେଇ ସେଇ ୨୫ ବର୍ଷର କଥା ଉଠେଇଛନ୍ତି । ଯାହାକୁ ବିଜେଡି, ଜନତାଙ୍କ ଆର୍ଶୀବାଦରୁ ସଫଳ ହାଇଥିବା କହି ଆସୁଛି । କିନ୍ତୁ ମୋଦୀ, ୨୫ ବର୍ଷରେ ଓଡ଼ିଶାରେ କୌଣସି ପରିବର୍ତନ ହୋଇନାହିଁ କହି ସମାଲୋଚନା କରିଛନ୍ତି ।

ପ୍ରାକୃତିକ ସମ୍ପଦରେ ଭରପୁର ଓଡ଼ିଶା । ହେଲେ ସମୃଦ୍ଧ ରାଜ୍ୟର ଲୋକ ଗରିବ କାହିଁକି ବୋଲି ପ୍ରଶ୍ନ କରିଛନ୍ତି ପ୍ରଧାନମନ୍ତୀ ନରେନ୍ଦ୍ର ମୋଦୀ । କିନ୍ତୁ ସକ୍ଷାତକାରର ଦୀର୍ଘ କଥାବାର୍ତା ଭିତରେ ନରେନ୍ଦ୍ର ମୋଦୀ ଏଭଳି ଏକ ସମ୍ଭାବନା ଛାଡ଼ି ଯାଇଛନ୍ତି, ଯାହା ରାଜନୀତିର ଭବିଷ୍ୟତ ଆବଶ୍ୟକତାକୁ ସୂଚାଉଛି ବୋଲି ଚର୍ଚ୍ଚା ହେଉଛି ।

ଏସବୁ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶେଷ ଉଦ୍ୟମ କରିବା ପାଇଁ ଓଡ଼ିଶା ଗସ୍ତରେ ଆସୁୁଛନ୍ତି । ଦିନିକିଆ ଗସ୍ତରେ ୩ଟି ଲୋକସଭା: ମୟୁରଭଞ୍ଜ,ବାଲେଶ୍ୱର ଓ କେନ୍ଦ୍ରାପଡ଼ାରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବେ ।