କନକ ବ୍ୟୁରୋ: ପୁଣି ଦିଦି-ମୋଦି ବିବାଦ। କେବେ ଟୀକା ସାର୍ଟିଫିକେଟ ତ କେବେ ନିର୍ବାଚନରେ ମୁହାଁମୁହିଁ ହେଉଥିବା ମମତା ଓ ମୋଦିଙ୍କ ମଧ୍ୟରେ ଏବେ ଉଦଘାଟନକୁ ନେଇ ଛିଡ଼ା ହୋଇଛି ବିବାଦ। ପ୍ରଧାନମନ୍ତ୍ରୀ ମୋଦୀ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ପଶ୍ଚିମବଙ୍ଗର କୋଲକାତାସ୍ଥିତ ଚିତ୍ତରଂଜନ ଜାତୀୟ କର୍କଟ ପ୍ରତିଷ୍ଠାନର ଦ୍ୱିତୀୟ କ୍ୟାମ୍ପସକୁ ଉଦଘାଟନ କରିଛନ୍ତି। ଏହି କାର୍ୟ୍ୟକ୍ରମରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ଯୋଗ ଦେଇଥିଲେ। କିନ୍ତୁ କାର୍ୟ୍ୟକ୍ରମ ସମୟରେ ମମତାଙ୍କ ଅସନ୍ତୋଷ ପୁଣି ଥରେ ନୂଆ ବିବାଦକୁ ଟାଣିଛି। ଦିଦି ମୋଦିଙ୍କୁ ଟାର୍ଗେଟ କରି କହିଛନ୍ତି କି, ପ୍ରଧାନମନ୍ତ୍ରୀ ଉଦଘାଟନ କରୁଥିବା ଡାକ୍ତରଖାନାର କ୍ୟାମ୍ପସକୁ ମୁଁ ପୂର୍ବରୁ ଉଦଘାଟନ କରିସାରିଛି।

Advertisment

ଦିଦି ପୂରା ଘଟଣାକୁ ଉପରୁ ପାରଦା ହଟାଇବା ପାଇଁ ବୟାନ ଦେଇଥିଲେ କି, ଏହି କାର୍ୟ୍ୟକ୍ରମରେ ଯୋଗଦେବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ମୋତେ ଦୁଇଥର ନିମନ୍ତ୍ରଣ କରିଥିଲେ । ମୁଁ ଭାବିଲି ଏହା କୋଲକାତାର ଏକ କାର୍ୟ୍ୟକ୍ରମ ଏବଂ ମୁଁ ଯୋଗଦିଏ ବୋଲି ମୋଦୀ ଏଥିରେ ଆଗ୍ରହ ଦେଖାଉଛନ୍ତି। କିନ୍ତୁ ମୁଁ ମୋଦୀଙ୍କୁ ଜଣାଇ ଦେବାକୁ ଚାହେଁ ଯେ ଆମେ ଏହି ହସ୍ପିଟାଲର କ୍ୟାମ୍ପସକୁ ପୂର୍ବରୁ ଉଦଘାଟନ କରିସାରିଛୁ। କାରଣ ଆମକୁ ଯେତେବେଳେ କୋଭିଡ କେନ୍ଦ୍ରର ଆବଶ୍ୟକତା ଥିଲା ସେତେବେଳେ ଆମ ନଜରକୁ ଚିତ୍ତରଂଜନ ଡାକ୍ତରଖାନା ଆସିଥିଲା ଯାହା ରାଜ୍ୟ ସହ ଜଡ଼ିତ। ଏପରି ପରିସ୍ଥିତିରେ, ଆମେ ଏହାକୁ ଉଦଘାଟନ କରିଥିଲୁ ଏବଂ ଯାହା କୋଭିଡ ସେଣ୍ଟର ହୋଇ ଅନେକ ଫଳପ୍ରଦ ହୋଇଥିଲା।

ମମତା ମୋଦିଙ୍କୁ ଆହୁରି ମଧ୍ୟ କଡ଼ା ଗଣ୍ଡା ହିସାବ ଦେଇ ପୁରା ଚିଠା ବଖାଣିଛନ୍ତି। ଦିଦି କହିଛନ୍ତି କି, ଏହି କର୍କଟ ଡାକ୍ତରଖାନା ପାଇଁ ରାଜ୍ୟ ସରକାର ବଜେଟର ୨୫ ପ୍ରତିଶତ ଅର୍ଥ ପ୍ରଦାନ କରୁଛନ୍ତି। କେବଳ ଏତିକି ନୁହେଁ ଏହି ଡାକ୍ତରଖାନା ପାଇଁ ରାଜ୍ୟ ସରକାର ୧୧ ଏକର ଜମି ମଧ୍ୟ ଦେଇଛନ୍ତି। ତେଣୁ ଯେତେବେଳେ ଲୋକଙ୍କ କଥା ଆସେ ସେତେବେଳେ ରାଜ୍ୟ ଏବଂ କେନ୍ଦ୍ର ସରକାର ମିଳିତ ଭାବେ କାର୍ୟ୍ୟ କରିବା ଉଚିତ ବୋଲି ସେ କହିଛନ୍ତି।

ଖାଲି ଏତିକି ନୁହେଁ ଆମ ସରକାର ଆସିବା ପୂର୍ବରୁ ରାଜ୍ୟର ସ୍ୱାସ୍ଥ୍ୟ ସୁବିଧା ଅତ୍ୟନ୍ତ ଦୟନୀୟ ଥିଲା। ଆମେ ଏଠାରେ ମହିଳା ଏବଂ ଶିଶୁମାନଙ୍କ ପାଇଁ ଆଇସିୟୁ ଡାକ୍ତରଖାନା ନିର୍ମାଣ କରିଛୁ । ଆମ ରାଜ୍ୟରେ ଅନେକ ଉପାନ୍ତ ଅଂଚଳ ଅଛି ଯେଉଁଠାରେ ସ୍ୱାସ୍ଥ୍ୟ ସେବା ପହଞ୍ଚିବା କଷ୍ଟକର ହୋଇପଡିଥିଲା। କିନ୍ତୁ ଆମେ ସମସ୍ତଙ୍କୁ ଧ୍ୟାନରେ ରଖି ଯୋଜନା ଅନୁଯାୟୀ କାର୍ୟ୍ୟ କରିଛୁ ।

ଅନ୍ୟପଟେ କୋଭିଡ ଟୀକା ନେଇ କେନ୍ଦ୍ରକୁ ସମାଲୋଚନା କରିଛନ୍ତି। ଆମ ରାଜ୍ୟରେ ଅଧିକ ସଂକ୍ରମଣ ମୃତ୍ୟୁ ହାର କମ୍ ରହିଛି। ତେଣୁ ଅଧିକ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ହେଲେ ଆମକୁ କରୋନା ଟିକା ଦରକାର । ବର୍ତ୍ତମାନ ପର୍ୟ୍ୟନ୍ତ ଦ୍ୱିତୀୟ ଡୋଜର ୪୪ ପ୍ରତିଶତ ବି ଦିଆଯାଇନି। ଆପଣ ବୁଷ୍ଟର୍ ଡୋଜ ନେବାକୁ କଥା ହୋଇଛନ୍ତି, ଏହାକୁ ମୁଁ ସ୍ୱାଗତ କରୁଛି। କିନ୍ତୁ ଯେତେବେଳେ ଆମେ ଦ୍ୱିତୀୟ ଡୋଜ୍ ସଂପୂର୍ଣ୍ଣ କରିବୁ ସେତେବେଳେ ବୁଷ୍ଟର୍ ଡୋଜ୍ ଦିଆଯିବ । ବେଳେବେଳେ କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ କାମ କରିବା ଉଚିତ୍ ବୋଲି ମୋଦିଙ୍କୁ ନିଶାନାରେ ରଖି ଏଭଳି କହିଛନ୍ତି ଦିଦି।