କେହି ଜଣେ ଭେଟିବାକୁ ଆସୁଛି, ହଇରାଣ କରିବନି । ମୃତ୍ୟୁ ପୂର୍ବରୁ ଶିଷ୍ୟଙ୍କୁ କଣ କହିଥିଲେ ମହନ୍ତ ନରେନ୍ଦ୍ର ଗିରି । 

283

କନକ ବ୍ୟୁରୋ : ଉତ୍ତରପ୍ରଦେଶର ପ୍ରୟାଗରାଜରେ ଅଖିଳ ଭାରତୀୟ ଆଖଡା ପରିଷଦର ଅଧ୍ୟକ୍ଷ ନରେନ୍ଦ୍ର ଗିରିଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ତିନି ଜଣଙ୍କୁ ଗିରଫ କରାଯାଇଛି । ଶିଷ୍ୟ ଆନନ୍ଦ ଗିରିଙ୍କ ନାଁରେ ମାମଲା ରୁଜୁ କରାଯାଇଛି । ନିଜ ମଠରେ ହିଁ ନରେନ୍ଦ୍ର ଗିରିଙ୍କ ଝୁଲନ୍ତା ମୃତଦେହ ମିଳିଥିଲା । ତଦନ୍ତ ବେଳେ ପୁଲିସ ଘଟଣାସ୍ଥଳରୁ ସୁସାଇଡ ନୋଟ ଜବତ କରିଛି । ୭ ପୃଷ୍ଠାର  ଏହି ସୁସାଇଡ ନୋଟରେ ମହନ୍ତ ତାଙ୍କ ବିବାଦୀୟ ଶିଷ୍ୟ ଆନନ୍ଦ ଗିରିଙ୍କ ନାଁ ନେଇଛନ୍ତି ।

ତେବେ ଏସବୁ ଭିତରେ ସୋମବାରର ପୂରା ଘଟଣାକ୍ରମ ବାବଦରେ ଜାତୀୟ ଗଣମାଧ୍ୟମରେ ମୁହଁ ଖୋଲିଛନ୍ତି ନରେନ୍ଦ୍ର ଗିରିଙ୍କ ଆଉ ଜଣେ ଶିଷ୍ୟ ନିର୍ଭୟ ଦ୍ୱିବେଦୀ । ନିର୍ଭୟଙ୍କ କହିବା ଅନୁଯାୟୀ, ପ୍ରତିଦିନ ଭଳି ସୋମବାର ମଧ୍ୟ ସକାଳ ୫ଟାରୁ ନରେନ୍ଦ୍ର ଗିରିଙ୍କ ଦିନ ଆରମ୍ଭ ହୋଇଥିଲା । ୫ଟା ବେଳେ ଚାହା ପିଇବା ପରେ ୭ଟା ବେଳକୁ ତଳ ଘରକୁ ଆସିଥିଲେ । ମୁଁ ସାଢେ ୭ଟାରୁ ୮ଟା ମଧ୍ୟରେ ଉଠିବା ପରେ ଗୁରୁଜୀଙ୍କୁ ନମସ୍କାର କରି ମନ୍ଦିର ଚାଲି ଯାଇଥିଲି । ମନ୍ଦିରରୁ ଫେରିବା ବେଳେ ଜାଣିଲି ମହାରାଜ ନରେନ୍ଦ୍ର ଗିରି ସମସ୍ତଙ୍କ ସହ ମଧ୍ୟାହ୍ନ ଭୋଜନ କରି ଉପରକୁ ଯାଇଛନ୍ତି । ଉପର ଘରେ କିଛି ସମୟ ରହିବା ପରେ ପୁଣିଥରେ ଆରାମ କରିବାକୁ ତଳ ଘରକୁ ଆସିଥିଲେ ।

ତଳ ଘରେ ଆରାମ କରିବା ପୂର୍ବରୁ ନରେନ୍ଦ୍ର ଗିରି କହିଥିଲେ ଯେ, ମୋତେ କେହି ଭେଟିବାକୁ ଆସୁଛନ୍ତି, ତେଣୁ ମୁଁ ତଳେ ଘରେ ରହିବି । ମୋତେ କେହି ଆଜି ହଇରାଣ କରିବନି । କେହି ତାଙ୍କୁ ଭେଟିବାକୁ ଆସୁଥିବାରୁ ସମସ୍ତଙ୍କୁ ନିଜ ପାଖରୁ ଦୂରେଇ ରଖିଥିଲେ ନରେନ୍ଦ୍ର । କିନ୍ତୁ କିଏ ନରେନ୍ଦ୍ରଙ୍କୁ ଭେଟିବାକୁ ଆସିବ ତାହା କାହାକୁ ମଧ୍ୟ ଜଣାନଥିଲା । ତେବେ ନରେନ୍ଦ୍ରଙ୍କ ଝୁଲନ୍ତା ଶବ ଉଦ୍ଧାର ବେଳେ ଏକ ସୁଇସାଇଟ ନୋଟ ଜବତ କରାଯାଇଛି ଯେଉଁଥିରେ ବିବାଦୀୟ ଶିଷ୍ୟ ଆନନ୍ଦ ଗିରିଙ୍କ ନାଁ ରହିଛି ।

ପ୍ରୟାଗରାଜର ଯେଉଁ ଘରେ ନରେନ୍ଦ୍ର ଗିରିଙ୍କ ମୃତଦେହ ମିଳିଛି, ସେହି ଘର ଚାରିଆଡୁ ବନ୍ଦ ଥିଲା । ମୁଖ୍ୟ ଦ୍ୱାର ବି ବନ୍ଦ ରହିଥିଲା । ପ୍ରାଥମିକ ତଦନ୍ତ ପରେ ପୁଲିସ ଏହାକୁ ଏକ ଆତ୍ମହତ୍ୟା ବୋଲି କହିଛି । ସେପଟେ ଆନନ୍ଦ ଗିରି କହିଛନ୍ତି, ସେ ସବୁପ୍ରକାରର ତଦନ୍ତର ସାମ୍ନା କରିବାକୁ ପ୍ରସ୍ତୁତ ଅଛନ୍ତି ।  ତାଙ୍କ ବିରୋଧରେ ଷଡଯନ୍ତ୍ର କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି । ଆନନ୍ଦ ଗିରିଙ୍କୁ ପଚରାଉଚରା ପାଇଁ ହରିଦ୍ୱାର ଯାଇଛି ଉତରପ୍ରଦେଶ ପୁଲିସ । ସେପଟେ ଆଜି ନରେନ୍ଦ୍ର ଗିରିଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ପ୍ରୟାଗରାଜ ଯିବେ ଉତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ।