୧୦ କୋଟି ୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ । ଗଛ କାଟିଲେ ପୁଲିସ ଓ ଅବକାରୀ ବିଭାଗ କର୍ମଚାରୀ ।

161

କନକ ବ୍ୟୁରୋ : କନ୍ଧମାଳ ଜିଲ୍ଲାରେ ପ୍ରତିବର୍ଷ ଗଞ୍ଜେଇ ଗଛ କଟା ହେଉଛି । ଅବକାରୀ ବିଭାଗ ବିଭିନ୍ନ ସ୍ଥାନରେ ଚଢାଉ କରି ଗଞ୍ଜେଇ ଗଛକୁ କାଟି ନଷ୍ଟ କରି ଦେଉଛି । କିନ୍ତୁ ଜିଲ୍ଲାରେ କେବେ କମୁନି ଗଞ୍ଜେଇ ଚାଷ । ପ୍ରଶାସନ କାଟୁଛି ଲୋକେ ଲଗାଉଛନ୍ତି । ଆଉ ବେଆଇନ୍ ଗଞ୍ଜେଇ ଚାଲାଣ ମଧ୍ୟ ଜାରିରହିଛି । ଅନେକ ସମୟରେ ଗଞ୍ଜେଇ ଚାଲାଣ ବେଳେ ଗାଡି ଧରାପଡୁଛି ।

ଗଞ୍ଜେଇ ଚାଷ । ଦକ୍ଷିଣ ଓଡିଶାର ଜିଲ୍ଲାଗୁଡିକ ଯଥା, କନ୍ଧମାଳ, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଗଞ୍ଜେଇ ଚାଷ ହେଉଛି । ଆଦିବାସୀ ଅଞ୍ଚଳର ପାହାଡ ଉପରେ ଲୁଚା ଛପାରେ ଗଞ୍ଜେଇ ଚାଷ କରୁଛନ୍ତି ଚାଷୀ । ଆଉ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗଞ୍ଜେଇ ଚାଷ ନଷ୍ଟ କରିଛି ଅବକାରୀ ବିଭାଗ । କନ୍ଧମାଳ ଜିଲ୍ଲାର ପୁଲିସ ଓ ଅବକାରୀ ବିଭାଗର ମିଳିତ ଟିମ୍ ସଦର ଥାନା ଅନ୍ତର୍ଗତ କର୍ଣ୍ଣଡ, ମଗମୁଣ୍ଡା ଏବଂ କାଙ୍ଗାନାଡା ଗାଁ ନିକଟସ୍ଥ ଜଙ୍ଗଲରେ ଚଢାଉ କରିଥିଲେ । ପାହାଡ ଉପରେ ଜଙ୍ଗଲ ଭିତରେ ହୋଇଥିବା କୋଟି କୋଟି ଟଙ୍କାର ବେଆଇନ ଗଞ୍ଜେଇ ଗଛକୁ କାଟି ନଷ୍ଟ କରିଛନ୍ତି ।

୧୦ କୋଟି ୫୦ ଲକ୍ଷ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ । ଗଛ କାଟିଲେ ପୁଲିସ ଓ ଅବକାରୀ ବିଭାଗ କର୍ମଚାରୀ । କନ୍ଧମାଳ ଜିଲ୍ଲାର ୧୦୫ ଏକର ଜମିରୁ ଗଞ୍ଜେଇ ଗଛ ଗୁଡିକୁ କାଟିଦିଆଯାଇଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୧୦ କୋଟି ୫୦ ଲକ୍ଷ ଟଙ୍କା ହେବ ବୋଲି କନ୍ଧମାଳ ଜିଲ୍ଲା ପୋଲିସ ପକ୍ଷରୁ ସୂଚନା ମିଳିଛି । ମାଜିଷ୍ଟ୍ରେଟଙ୍କ ସମେତ ସଦର ଏସ.ଡି.ପି.ଓ ମହେନ୍ଦ୍ରନାଥ ମୁର୍ମୁ, ସଦର ଥାନା ଆଇ. ଆଇ.ସି ପ୍ରଶାନ୍ତ ବେହେରା, ଅବକାରୀ ଇନ୍ସପେକ୍ଟର ସୁରେଶ କୁମାର ତାଣ୍ଡିଙ୍କ ଉପସ୍ଥିତିରେ ଗଞ୍ଜେଇ ଗଛ କାଟି ଦିଆଯାଇଛି ।

ତେବେ ପ୍ରଶ୍ନ ଉଠୁଛି,

ଗଂଜେଇ ଗଛ କଟା ହେଉଥିବା ବେଳେ ବେଆଇନ୍ ଗଂଜେଇ ଚାଲାଣ ହେଉଛି କେମିତି ?

ଗଂଜେଇ ଗଛ ନଷ୍ଟ ହେବା ପରେ ବି ଅନେକ ସମୟରେ ଗଂଜେଇ ଜବତ ହେଉଛି କେମିତି ?

କ’ଣ ଗଂଜେଇ ଚାଷ ହେଉଥିବା ସବୁ ଅଂଚଳରେ ପହଂଚି ପାରୁନାହିଁ ପୁଲିସ ଓ ଅବକାରୀ ବିଭାଗ ?

କନ୍ଧମାଳ ପୁଲିସ, ଅବକାରୀ ବିଭାଗର କନଷ୍ଟେବଳ ଓ ଡି.ଭି.ଏଫ ଟିମ୍ ସହ ପ୍ରାୟ ୨୫ରୁ ଅଧିକ ଶ୍ରମିକ ଲାଗି ଗଞ୍ଜେଇ ଗଛ ଗୁଡିକୁ କାଟି ନଷ୍ଟ କରିଦେଇଛନ୍ତି ।