ଆର୍ୟନଙ୍କ ସହ ଫଟୋରେ ଥିବା ଲୋକକୁ ନେଇ ଏନସିବିର ସ୍ପଷ୍ଟୀକରଣ, ବିଭାଗ ସହିତ ସଂପୃକ୍ତ ନଥିବା କହିଲେ ଅଧିକାରୀ

161

କନକ ବ୍ୟୁରୋ : ଗତକାଲି ରାତିରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ମୁମ୍ବାଇର ଏକ ସମୁଦ୍ର ଭିତରେ ଏକ ଜାହାଜ ଉପରେ ଚଢାଉ କରିବା ଖବର ଏବେ ଗଣମାଧ୍ୟମରେ ଛାଇ ଯାଇଛି । ଏନସିବିର ସୂଚନା ମୁତାବକ ଏହି ଜାହଜ ଭିତରେ ରେଭ୍ ପାର୍ଟି ଚାଲିଥିଲା । ଯେଉଁ ପାର୍ଟିରେ ବିଭିନ୍ନ କିଷମର ମାରାତ୍ମକ ଡ୍ରଗ୍ସ ବ୍ୟବହାର ହେଉଥିଲା । ଏନେଇ ଏନସିବି କିଛି ଡ୍ରଗ୍ସ ଜବତ କରିବା ସହ ଏହି ମାମଲାରେ ୮ ଜଣଙ୍କୁ ଆଣି ପଚରା ଉଚରା କରିଛି । ସେମାନଙ୍କ ଠାରୁ କିଛି ତଥ୍ୟ ପାଇବା ପରେ ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ବି ଗିରଫ୍ କରିଛି । ହେଲେ ତା ମଧ୍ୟରେ ଚଳଚିତ୍ର ଅଭିନେତା ଶାହାରୁଖ ଖାନଙ୍କ ପୁଅ ଆର୍ୟନ ଖାନଙ୍କ ନାମକୁ ନେଇ ଅଧିକ ଚର୍ଚ୍ଚା ହେଉଛି ।

ଏହି ଚର୍ଚ୍ଚା ଭିତରେ ଏକ ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଜାହାଜ ଭିତରେ ଆର୍ୟନଙ୍କ ସହ ଜଣେ ଲୋକର ସେଲ୍ଫି ଫୋଟ ଚାରିଆଡେ ଘୁରି ବୁଲୁଛି । ସୋସିଆଲ ମିଡିଆରେ କୁହାଯାଉଛି କି ଆର୍ୟନଙ୍କ ସହ ଥିବା ଏହି ଲୋକଜଣଙ୍କ ଏନସିବିର କର୍ମଚାରୀ । ଏଭଳି ଖବର ଚାରିଆଡେ ପ୍ରଚାରିତ ହେବା ପରେ ଏନସିବି ତରଫରୁ ସ୍ପଷ୍ଟିକରଣ ଦିଆଯାଇଛି । ଏନସିବିର ଜଣେ ବରିଷ୍ଠ ଅଧିକାରୀ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି କି ଏହା ଏକ ଭୁଲ ଖବର । ଆର୍ୟନଙ୍କ ସହ ଫଟୋରେ ଥିବା ଲୋକଜଣଙ୍କ ନା ଏନସିବି ସହିତ ଜଡିତ ନା ଏନସିବିର କର୍ମଚାରୀ ।

କହିରଖୁ କି ଅଭିନେତା ସୁଶାନ୍ତସିଂ ରାଜପୁତଙ୍କ ମୃତ୍ୟୁ ପରେ ଡ୍ରଗ୍ସ ମାମଲାକୁ ନେଇ ଏନସିବି ଆକ୍ସନ ମୋଡରେ ରହିଛି । ବଲିଉଡ ସହିତ ଜଡିତ କିଛି ଲୋକଙ୍କୁ ପଚରା ଉଚରା କରିବା ସହ କିଛି ଲୋକଙ୍କୁ ଗିରଫ୍ କରିଛି । ଏହାସହ କିଛିଦିନ ତଳେ ମୁନ୍ଦ୍ରାର ଆଦାନୀ ବନ୍ଦରରୁ ପ୍ରାୟ ୨୦ ହଜାର କୋଟି ଟଙ୍କାର ଡ୍ରଗ୍ସ ଜବତ କରିବାରେ ସଫଳ ହୋଇଥିଲା ଏନସିବି । ଏବେ ସମୁଦ୍ର ଭିତରେ ରେଭ୍ ପାର୍ଟିକୁ ଧରିଛି । ଏନେଇ ଏନସିବି ଡିଜି ସତ୍ୟ ନାରାୟଣ ପ୍ରଧାନ କହିଛନ୍ତି ଯେ ଦେଶକୁ ଡ୍ରଗ୍ସ ମୁକ୍ତ କରିବା ତାଙ୍କର ଲକ୍ଷ୍ୟ ଓ ଏହା ମଧ୍ୟରେ ଯେଉଁମାନେ ସଂପୃକ୍ତ ସେମାନଙ୍କୁ ଛାଡିବାର ପ୍ରଶ୍ନ ଉଠୁନାହିଁ ।