ବଦଳିଲା ବିଜେପୁର ଗଣିତ ! ବିଜେପି ଛାଡିଲେ ନାରାୟଣ, ବରଗଡ ଜିଲ୍ଲା ସଭାପତି ପଦରୁ ଦେଲେ ଇସ୍ତଫା

57

କନକ ବ୍ୟୁରୋ : ବରଗଡ ବିଜେପିରେ ଫାଟ ! ବିଜେପି ଛାଡିଲେ ନାରାୟଣ ସାହୁ ! ବରଗଡ ଜିଲ୍ଲା ସଭାପତି ପଦରୁ ଇସ୍ତଫା ଦେଲେ ନାରାୟଣ । ଏନେଇ ରାଜ୍ୟ ସଭାପତିଙ୍କୁ ଇସ୍ତଫାପତ୍ର ଦେଇଛନ୍ତି ନାରାୟଣ । ଦଳର କାଯ୍ୟଶୈଳୀରେ ଅସନ୍ତୋଷ ପ୍ରକାଶ କରି ଇସ୍ତଫା ଦେଇଥିବା ସେ ଇସ୍ତଫାପତ୍ରରେ ଉଲ୍ଲେଖ କରିଛନ୍ତି । ଜିଲ୍ଲା ସଭାପତି ତଥା ପ୍ରାଥମିକ ସଦସ୍ୟ ପଦରୁ ସେ ଇସ୍ତଫା ଦେଇଛନ୍ତି । ଗତ କିଛି ଦିନ ଧରି ଦଳ ଉପରେ ନାରାୟଣ ଖପ୍ପା ଥିଲେ ।

ବିଜେପିରେ ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀ ମିଶିବା ପରେ ଦଳ ବିରୋଧରେ ଯୁଦ୍ଧ ଡାକରା ଦେଇଥିଲେ ନାରାୟଣ । ବିଜେପୁର ଉପନିର୍ବାଚନକୁ ଦୃଷ୍ଟିରେ ରଖି ଦଳରେ ଅଶୋକ ପାଣିଗ୍ରାହୀଙ୍କୁ ସାମିଲ କରାଯାଇଥିବାରୁ ଏହାକୁ ଖୋଲାଖୋଲି ବିରୋଧ କରିଥିଲେ ନାରାୟଣ ସାହୁ । ଏପରିକି ସେତେବେଳେ ମଧ୍ୟ ସେ ଇସ୍ତଫା ଦେବା ନେଇ ଚର୍ଚ୍ଚା ଜୋର ଧରିଥିଲା । ପାରିବାରିକ କାରଣ ଓ ବୟସାଧିକ ଯୋଗୁଁ କାର୍ୟ୍ୟରୁ ଅବ୍ୟାହତି ନେବାକୁ ଚାହୁଁଥିଲେ ମାତ୍ର ଦଳୀୟ ସଭାପତି ତାଙ୍କ ଇସ୍ତଫା ପତ୍ର ଗ୍ରହଣ କରିନଥିଲେ । ତେବେ ବିଜେପିର ରାଜ୍ୟସ୍ତରୀୟ ନେତୃବୃନ୍ଦ ମାନେ ନାରାୟଣଙ୍କ ସହ ଆଲୋଚନା କରି ତାଙ୍କ ଭିତରେ ଥିବା ଅସନ୍ତୋଷକୁ ପ୍ରଶମିତ କରିବାକୁ ମଧ୍ୟ ନେତାମାନେ ସକ୍ଷମ ହୋଇଥିଲେ ।

ନାରାୟଣଙ୍କ ମାନଭଞ୍ଜନ ପରେ ବିଜେପୁରରେ ଦଳ ବିଜୟୀ ହେବ ବୋଲି ସେତେବେଳେ ନାରାୟଣ ଦୃଢ ସହକାରେ କହିଥିଲେ । କିନ୍ତୁ ଦିନ କେଇଟା ନ ବିତୁଣୁ ମନ ପରିବର୍ତ୍ତନ  କରିଛନ୍ତି ନାରାୟଣ । ସଭାପତି ପଦରୁ ଇସ୍ତଫା ଦେଇ ବିଜେପିକୁ ଝଟକା ଦେଇଛନ୍ତି ନାରାୟଣ । ତେବେ ବିଜେପୁର ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇନଥିବା ବେଳେ ନାରାୟଣ ଦଳ ଛାଡିବା ବିଜେପିକୁ ମହଙ୍ଗା ପଡିପାରେ । ତେବେ ଆଗକୁ ଆସୁଛି ବିଜେପୁର ନିର୍ବାଚନ । ଏହି ନିର୍ବାଚନ ସବୁ ଦଳ ପାଇଁ ଏସିଡ ଟେଷ୍ଟ ହେବାକୁ ଯାଉଛି । ଏହା ପୂର୍ବରୁ ନାରାୟଣ ଦଳ ଛାଡିବା ବିଜେପୁର ଗଣିତକୁ ବଦଳାଇ ଦେବନି ତ ?