ଇସ୍ତଫା ଦେବା ପରେ ନବୀନ ନିବାସରୁ ନାରାୟଣଙ୍କ ପାଖକୁ ଆସିଲା ଫୋନ । ଦଳବଳ ଧରି ପୁଣି ଭୁବନେଶ୍ୱର ଫେରିଲେ ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ, ପ୍ରତିଶୃତି ପାଇ ଫେରିବେ ନା ନିଷ୍ପତିରେ ଅଟଳ ରହିବେ ?

2,017

କନକ ବ୍ୟୁରୋ : ଟିକେଟ କଟିଲା, ଇସ୍ତଫା ଦେଲେ । ଆଉ ଏହାପରେ ତାଙ୍କୁ ବୁଝାଇବା ପାଇଁ ନବୀନ ନିବାସରୁ ଗଲା ଫୋନ୍ । ଆଉ ନବୀନ ନିବାସରୁ କଲ ଆସିବା ମାତ୍ରେ ପାରଳାଖେମୁଣ୍ଡିରୁ ପୁଣି ସମର୍ଥକଙ୍କ ସହ ଭୁବନେଶ୍ୱର ଫେରିଛନ୍ତି କେ ନାରାୟଣ ରାଓ । ନବୀନ ନିବାସରେ ପୁଣିଥରେ ବିଜେଡିର ଷ୍ଟ୍ରାଟେଜିଷ୍ଟ ମାନେ ନାରାୟଣଙ୍କୁ ମନାଇବା ପାଇଁ କରିବେ ଜୋରଦାର ଉଦ୍ୟମ । ଏପରିକି ନାରାୟଣ ରାଓଙ୍କୁ ଭଲ ପଦପଦବୀ ଦେଇ ଥଇଥାନ କରିବାର ପ୍ରତିଶୃତି ଦେଇ ପୁଣିଥରେ ଦଳକୁ ଫେରାଇ ଆଣିପାରେ ବିଜେଡି ।

ଏହାପୂର୍ବରୁ ଗତକାଲି ନବୀନ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ପାରଳାଖେମୁଣ୍ଡି ପାଇଁ କଲ୍ୟାଣୀ ଦେବୀଙ୍କୁ ଟିକେଟ ଦେଇଥିଲା । ଗତ କିଛି ଦିନ ପୂର୍ବେ ଦଳରେ ଯୋଗ ଦେଇଥିବା କଲ୍ୟାଣୀ ଦେବୀଙ୍କୁ ଟିକେଟ ମିଳିବାରୁ ଅସନ୍ତୋଷ ପ୍ରକାଶ କରିବା ଦଳରୁ ଇସ୍ତଫା ଦେଇଥିଲେ ପାରଳାଖେମୁଣ୍ଡିର ପୂର୍ବତନ ବିଧାୟକ କେ ନାରାୟଣ ରାଓ । ୨୦୦୯ରେ ବିଜେଡିରୁ ଟିକେଟ୍ ପାଇଁ ଏହି ନିର୍ବାଚନ ମଣ୍ଡଳୀରେ ଲଢି ବିଜୟ ହୋଇଥିଲେ କେ. ନାରାୟଣ । ସେହିଭଳି ଗତ ୨୦୧୪ ନିର୍ବାଚନରେ ମଧ୍ୟ ଅଳ୍ପ ଭୋଟ ବ୍ୟବଧାନରେ କଂଗ୍ରେସର ପ୍ରାର୍ଥୀ କେ. ସୁର୍ଯ୍ୟା ରାଓଙ୍କ ଠାରୁ ପରାଜିତ ହୋଇଥିଲେ । ଏଥର ଟିକେଟ୍ ପାଇବାକୁ ଆଶାୟୀ ଥିଲେ ମଧ୍ୟ ଟିକେଟ୍ ନ ମିଳିବାରୁ ଦଳରୁ ଇସ୍ତଫା ଦେଇଥିଲେ ନାରାୟଣ ରାଓ ।

ରାଜନୀତିରେ ଲାଗି ରହିଥିବା ଏହି ଡ୍ରାମା ମଧ୍ୟରେ ଏବେ ପୁଣିଥରେ ନବୀନ ନିବାସରୁ ନାରାୟଣଙ୍କୁ ଡାକରା ଆସିଛି । ତେବେ ନାରାୟଣ ସୁପ୍ରିମୋଙ୍କ ଠାରୁ ପ୍ରତିଶୃତି ପାଇ ପୁଣିଥରେ ଦଳକୁ ଫେରିବେ ନା ନିଜ ପୂର୍ବ ନିଷ୍ପତିରେ ଅଟଳ ରହିବେ ତାହା ଉପରେ ଏବେ ସମସ୍ତଙ୍କର ନଜର ।