ମହଙ୍ଗା ପଡିଲା ଉଦ୍ଧବ ଠାକରେଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ, ପୋଲିସ ହେପାଜତରେ କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ

210

କନକ ବ୍ୟୁରୋ : ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ବିରୋଧରେ ବିବାଦୀୟ ବୟାନ ଦେଇ ପୋଲିସ ହେପାଜତକୁ ଯାଇଛନ୍ତି  କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେ । ପୋଲିସ ହେପାଜତକୁ  ଯିବା ପୂର୍ବରୁ ରାଣେ ରତ୍ନାଗିରି ଥାନାରେ ଅଗ୍ରିମ ଜାମିନ ପାଇଁ ଆବେଦନ କରିଥିଲେ ବି କୋର୍ଟ ତାହାକୁ ଖାରଜ କରିଦେଇଥିଲେ । ଅନ୍ୟପଟେ ବମ୍ବେ ହାଇକୋର୍ଟ ବି ଏହି ମାମଲାର ତୁରନ୍ତ ଶୁଣାଣି କରିବାକୁ ମନା କରିଦେଇଛନ୍ତି । ଏପଟେ ନାସିକ ପୋଲିସ ରତ୍ନଗିରି ଯାଇ ରାଣେଙ୍କୁ ହେପାଜତକୁ ନେଇଛନ୍ତି । ଏହା ପୂର୍ବରୁ ଶିବସେନା ନେତା ଓ କାର୍ଯ୍ୟକର୍ତ୍ତାମାନେ ରାଣେଙ୍କ ବିରୋଧରେ ନାସିକ, ପୁଣେ ଓ ମହାଡ ଥାନାରେ ୩ ଟି ଅଭିଯୋଗ କରିଥିଲେ । ରାଣେଙ୍କ ବିବାଦୀୟ ବୟାନ ପରେ ଶିବସେନା କର୍ମୀମାନେ ବିଜେପି ଅଫିସ ଓ ରାଣେଙ୍କ ବାସଭବନ ଘେରାଓ କରି ଟେକା ପଥର ମାଡ କରିଥିଲେ ।

ନାସିକ ପୋଲିସ ଆୟୁକ୍ତ ଦୀପକ ପାଣ୍ଡେ, ଉପାୟୁକ୍ତ ବରକୁଣ୍ଡଙ୍କୁ ରାଣେଙ୍କୁ ଗିରଫ କରି କୋର୍ଟରେ ହାଜର କରିବାପାଇଁ ଏକ ଟିମ ପ୍ରସ୍ତୁତ କରିବାକୁ ମହାରାଷ୍ଟ୍ର ପୋଲିସ କମିଶନର ନିର୍ଦ୍ଦେଶ ଦେଇଥିଲେ ।

କହିରଖୁ କି ସୋମବାର ଦିନ ଜନ ଆଶିର୍ବାଦ ଯାତ୍ରା ବେଳେ ରାୟଗଡ ଠାରେ ନାରାୟଣ ରାଣେ ମୁଖ୍ୟମନ୍ତ୍ରୀ ଠାକରେଙ୍କୁ ଚାପୁଡା ମାରିବା ଆବଶ୍ୟକ ବୋଲି କହିଥିଲେ । ସେ କହିଥିଲେ କି “ଏହା ଲଜ୍ଜଜନକ କଥା ଯେ ମୁଖ୍ୟମନ୍ତ୍ରୀ ଜାଣି ନାହାନ୍ତି ଦେଶ କେବେ ସ୍ୱାଧୀନ ହୋଇଥିଲା । ସେ ତାଙ୍କ ଭାଷଣ ସମୟରେ ସ୍ୱାଧିନତା ବର୍ଷ ଗଣିବା ବେଳେ ପଛକୁ ଚାହିଁଥିଲେ, ସେହି ସ୍ଥାନରେ ମୁଁ ଥିଲେ ତାଙ୍କୁ ଚାପୁଡା ମାରିଥାନ୍ତି ”

 

ରାଣେଙ୍କ ଏଭଳି ବୟାନ ପରେ ଶିବସେନା ପକ୍ଷରୁ କଡା ପ୍ରତିକ୍ରିୟା ରଖାଯାଇଥିଲା । ଦଳ ତରଫୁ ମୁମ୍ବାଇ ସମେତ ବିଭିନ୍ନ ସ୍ଥାନରେ ରାଣେ ଜଣେ କୁକୁଡା ଚୋର ବୋଲି ପୋଷ୍ଟର ଲଗାଯାଇଥିଲା । କହିରଖୁ କି କିଛିବର୍ଷ ପୂର୍ବରୁ ନାରାୟଣ ରାଣେ ଶିବସେନାରେ ଥିଲେ । ସେହି ସମୟରେ ସେ ଚେମ୍ବୁର ଠାରେ ଏକ କୁକୁଡା ଦୋକାନ କରିଥିଲେ ।