ନାଲିବତୀ ଗାଡି ଚଢିବେନି ବିରୋଧୀଦଳ ନେତା ! ସରକାରଙ୍କୁ ଚିଠି ଲେଖିଲେ ନରସିଂହ ମିଶ୍ର

36

କନକ ବ୍ୟୁରୋ : ନାଲିବତୀକୁ ନରସିଂହଙ୍କ ନା । ଆଉ ନାଲିବତୀ ଗାଡି ଚଢିବେନି ବିରୋଧୀ ଦଳନେତା । ନାଲୀବତି ସୁବିଧା ହଟାଇନେବାକୁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି ନରସିଂହ ମିଶ୍ର । ଏମିତିକି ପୋଲିସର ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ହଟାଇ ଦେବାକୁ ସେ ଅନୁରୋଧ କରିଛନ୍ତି । ବିରୋଧୀଦଳ ନେତାଙ୍କର ଏଭଳି ଆଭିମୁଖ୍ୟ ନେତାଙ୍କ ମଧ୍ୟରେ ଆଶ୍ଚର୍ଯ୍ୟ ସୃଷ୍ଟି କରିଛି । ତେବେ ନରସିଂହଙ୍କ ନିଷ୍ପତିକୁ ନେଇ ରାଜ୍ୟ ରାଜନୀତିରେ ଝଡ ସୃଷ୍ଟି ହୋଇଛି ।

ନରସିଂହଙ୍କ ଏହି ନିଷ୍ପତି ପଛରେ ଭିନ୍ନ ଖବର ଥିବା ରାଜନୈତିକ ମହଲରେ ଚର୍ଚ୍ଚା ଚାଲିଛି । କୁହାଯାଉଛି, କୁଆଡେ ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି ଓ ବିଧାୟକ ପ୍ରଫୁଲ୍ଲ ମାଝିଙ୍କୁ ଦଳରୁ ବାଦ ଦେବା ପାଇଁ ଚିନ୍ତା କରୁଛି ଏଆଇସିସି । ପିସିସି ଶୃଙ୍ଖଳା କମିଟିର ଅନୁରୋଧ କ୍ରମେ ଦୁଇ ନେତାଙ୍କୁ ଦଳରୁ ଆଉଟ କରିବା ପାଇଁ ମନସ୍ଥ କରିସାରିଛନ୍ତି ହାଇକମାଣ୍ଡ, ନେତା ବାହାରେ ଥିବାରୁ ମୋହର ବାଜିପାରୁନି ।

ଯଦି ଏହି ଦୁଇ ନେତାଙ୍କୁ କଂଗ୍ରେସ, ଦଳରୁ ଆଉଟ କରୁଛି ତେବେ ବିରୋଧୀ ଦଳ ଗଠନ କରିବା ପାଇଁ ନରସିଂହଙ୍କ ପାଖରେ ଆବଶ୍ୟକ ସମର୍ଥନ ରହିବ ନାହିଁ । କାହିଁକି ନା ବିରୋଧୀ ଦଳ ନେତା ହେବାକୁ ହେଲେ ୧୦ପ୍ରତିଶତ ବିଧାୟକଙ୍କ ସମର୍ଥନ ଆବଶ୍ୟକ ।

ସେମିତିରେ ବି ପୂର୍ବରୁ ପିସିସି ଉପରେ ବର୍ଷିଛନ୍ତି କଂଗ୍ରେସ ବିଧାୟକ । ଆଉ ଶୃଙ୍ଖଳା କମିଟିର ବାରମ୍ବାର ନୋଟିସ ପରେ ବି କିଛି ଉତର ରଖୁ ନାହଁନ୍ତି ପ୍ରଫୁଲ୍ଲ ଓ ତାରା । ଏଣୁ ଯଦି କଂଗ୍ରେସ ଦଳୀୟସ୍ତରରେ କାର୍ଯ୍ୟାନୁଷ୍ଠନ ନେଉଛି ତାହା କେବଳ ଏହି ଦୁଇ ନେତାଙ୍କ ଉପରେ ଭାରି ପଡିବ ନାହିଁ ବରଂ ଦଳ ପାଇଁ ବି ଅଡୁଆ ସୃଷ୍ଟି କରିବ । କୁହାଯାଉଛି, ଜଣେ ଦୁଇ ଜଣଙ୍କୁ ଛାଡି ପୁରା ବିଧାୟକ ଦଳ ବିଦ୍ରୋହ କରିବା ଯଥେଷ୍ଟ ସମ୍ଭାବନା ରହିଛି । ପ୍ରତିପକ୍ଷ କ୍ୟାମ୍ପ ସହ ଲଗାତର ଯୋଗାଯୋଗରେ ଅଛନ୍ତି କିଛି ବିଧାୟକ । ଆଉ ଯଦି ଏପରି ହୁଏ ତାହେଲେ ରାଜ୍ୟ ରାଜନୀତିର ସମୀକରଣ ପୂରା ବଦଳିଯିବାର ସମ୍ଭାବନା ରହୁଛି ।

ଏହା ସହ ଦେଖନ୍ତୁ ଏହି ଭିଡିଓ-