କନକ ବ୍ୟୁରୋ : ହାଇକୋର୍ଟ ବାର ଆସୋସିଏସନର ସଂକଳ୍ପକୁ ନିନ୍ଦା କଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠାକୁ ବିରୋଧ କରି ନିକଟରେ ଏକ ସଂକଳ୍ପ ପାରିତ କରିଛି ହାଇକୋର୍ଟ ବାର । ଏହି ସଂକଳ୍ପକୁ ନିନ୍ଦା କରିବା ସହ କେନ୍ଦ୍ରମନ୍ତ୍ରୀଙ୍କ ଚିଠି ଆଧାରରେ ତୁରନ୍ତ ମୁଖ୍ୟ ବିଚାରପତିଙ୍କ ସହ ପରାମର୍ଶ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ନରସିଂହ ।

Advertisment

ପଶ୍ଚିମ ଓ ଦକ୍ଷିଣ ଓଡିଶାରେ ହାଇକୋର୍ଟ ବେଞ୍ଚ ସ୍ଥାପନ ନେଇ କେନ୍ଦ୍ର ଆଇନ ମନ୍ତ୍ରୀଙ୍କ ପ୍ରସ୍ତାବ ଜାତୀୟ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା । ତେବେ ଏହାକୁ ବିରୋଧ କରିଛି ହାଇକୋର୍ଟ ବାର ଆସୋସିଏସନ । ଏ ନେଇ ଖୁବଶୀଘ୍ର ଏକ ପ୍ରତିନିଧିମଣ୍ଡଳ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଭେଟିବ ବୋଲି ସ୍ଥିର ହୋଇଛି । ଏଥିପାଇଁ ସ୍ୱୀକୃତି ନଦେବାକୁ ପ୍ରତିନିଧିମଣ୍ଡଳୀ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ଅନୁରୋଧ କରିବ ।

ସେପଟେ ହାଇକୋର୍ଟ ବାର ଆସୋସିଏନସର ବିରୋଧ ପରେ ତାତିଛି ସମ୍ବଲପୁର ବାର ଓ କେନ୍ଦ୍ରୀୟ କ୍ରିୟାନୁଷ୍ଠାନ କମିଟି । ଏହାଦ୍ୱାରା କାହାର କିଛି କ୍ଷତି ହେବନାହିଁ ବୋଲି କହି ସଂଘ ଆଇନମନ୍ତ୍ରୀଙ୍କ ପ୍ରସ୍ତାବକୁ ସମର୍ଥନ କରିଛି । ଆସୋସିଏସନ କହିଛି, ବେଂଚ ସ୍ଥାପନ ହେଲେ କାହାର କ୍ଷତି ହେବ ନାହିଁ । ନିଜ ସ୍ୱାର୍ଥରେ ଆଞ୍ଚ ଆସିବା ଭୟରେ ହାଇକୋର୍ଟ ବାର ଆସୋସିଏସନ ଏଭଳି କାମ କରୁଛି ବୋଲି ସମ୍ବଲପୁର ବାର ଆସୋସିଏସନ ଅଭିଯୋଗ କରିଛି ।