କନକ ବ୍ୟୁରୋ : କଂଗ୍ରେସର ହଟ୍ଟଗୋଳ, କିଛି ସେକେଣ୍ଡ ମଧ୍ୟରେ ଗୃହ ମୁଲତବୀ । ଆଉ ଏହାକୁ ନେଇ ଶାସକ ବିଜେଡି ଏବଂ କଂଗ୍ରେସକୁ ଟାର୍ଗେଟ କରିଛି ବିଜେପି । ଗୃହକୁ ଚଳାଇ ନ ଦେବାକୁ ବିଜେଡି-କଂଗ୍ରେସ ମଧ୍ୟରେ ଡିଲ୍ ହୋଇଥିବା ନେଇ ସାଂଘାତିକ ଅଭିଯୋଗ ଆଣିଛି ବିଜେପି । ତେବେ ବିଜେପିର ଏହି ଅଭିଯୋଗର କଡା ଜବାବ ରଖିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ନରସିଂହ କହିଛନ୍ତି, ଗତକାଲି ଷ୍ଟାଫ୍ ସିଲେକ୍ସନ ଦୁର୍ନୀତି ନେଇ ମୁଲତବୀ ପ୍ରସ୍ତାବ ଦିଆଯାଇଥିଲା। ସେଥିରେ ସହମତି ପ୍ରକାଶ କରିଥିଲୁ। କାଲି ଗୃହରେ ହଟ୍ଟଗୋଳ ପାଇଁ ଆଲୋଚନା ହୋଇପାରିଲା ନାହିଁ। ନିୟମ ଅନୁସାରେ ଆଜି ଆଲୋଚନା ହେବା କଥା କିନ୍ତୁ ବିଜେପି ଆଜି ମୁଲତବୀ ପ୍ରସ୍ତାବ ବଦଳାଇଛି ଏବଂ ଆମର ସହମତି ମଧ୍ୟ ନେଇନାହିଁ ।

Advertisment

ଯେଉଁଥିପାଇ ପ୍ରଶ୍ନକାଳ ଆରମ୍ଭରୁ କଂଗ୍ରେସ ଦାବି କରିଥିଲା ଷ୍ଟାଫ୍ ସିଲେକ୍ସନ ଦୁର୍ନୀତି ନେଇ ଆଲୋଚନା କରାଯାଉ। କିନ୍ତୁ ବାଚସ୍ପତି କିଛି ନଶୁଣି ଗୋଟିଏ ମିନଟରେ ଗୃହକୁ ମୁଲତବୀ କରିଦେଲେ। ଏଭଳି ଅଚାନକ ଗୃହକୁ ମୁଲତବୀ କରିବା ଦୁଃଭାଗ୍ୟଜନକ। ଏହା ଆଦୌ ଠିକ୍ ପରମ୍ପରା ନୁହେଁ। ଏଭଳି ମୁଲତବୀକୁ ବିରୋଧ କରିବା ସହ ତୀବ୍ର ସମାଲୋଚନା କରିଛନ୍ତି ନରସିଂହ ।

ବାଚସ୍ପତିଙ୍କ କର୍ତ୍ତବ୍ୟ ସମସ୍ତଙ୍କୁ ଡାକି ଆଲୋଚନା କରିବା ସହ ସମସ୍ୟା ସମାଧାନ କରିବା କଥା। ଯଦି ସମାଧାନ ନ ହୁଏ ଗୃହକୁ ବନ୍ଦ କରିବେ। କିନ୍ତୁ ଯେତେବେଳେ ସର୍ବଦଳୀୟ ବୈଠକ ବସିଛି ସେତେବେଳେ କଂଗ୍ରେସ ପକ୍ଷରୁ ଗୃହ କାର୍ଯ୍ୟକୁ ସ୍ୱାଭାବିକ କରିବାକୁ ବାଟ ବାହାର କରାଯାଇଛି । କିନ୍ତୁ ସରକାରୀ ଦଳର ଇଚ୍ଛା ନାହିଁ ଆଲୋଚନା କରିବାକୁ, ଯେଉଁଥିପାଇଁ ହୋ ହାଲ୍ଲା ଭିତରେ ବିଲ୍ ପାରିତ କରି ଗୋଟିଏ ମିନିଟ୍ ମଧ୍ୟରେ ଗୃହକୁ ବନ୍ଦ କରି ଦେଉଛନ୍ତି । ଯାହା ଦର୍ଶାଉଛି ବାଚସ୍ପତି ସରକାରୀ ଦଳରେ ବନ୍ଧା। ବାଚସ୍ପତି ନିରପେକ୍ଷତା ଅବଲମ୍ବନ ନ କରିବା ଗଣତନ୍ତ୍ର ପାଇଁ ବିପଦ।