ନବ ଦାସଙ୍କ ହତ୍ୟା ପ୍ରସଙ୍ଗ । ନରସିଂହ କହିଲେ ଗୃହ ବିଭାଗର ଦାୟିତ୍ୱରେ ଥିବାରୁ ମୁଖ୍ୟମନ୍ତ୍ରୀ ଉତ୍ତରଦାୟୀ, ଇସ୍ତଫା ଦେଇଦେବା କଥା ।

106

କନକ ବ୍ୟୁରୋ : ବିଧାନସଭା ବାରମ୍ବାର ମୁଲତବିକୁ ନେଇ ବିରୋଧୀଙ୍କୁ ବିଜେଡି ଟାର୍ଗେଟ କରିଥିବା ବେଳେ ଏହାର ଜବାବ ରଖିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ନରସିଂହ କହିଛନ୍ତି, ନବ ଦାସଙ୍କ ହତ୍ୟାକାଣ୍ଡ ପାଇଁ ଗୃହ ବିଭାଗର ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ଉତ୍ତରଦାୟୀ । ତେଣୁ ସେ ନୈତିକତା ଦୃଷ୍ଟିରୁ ଇସ୍ତଫା ଦିଅନ୍ତୁ । ବିଜେଡି ସରକାରରେ ନରହୁ ସେକଥା କଂଗ୍ରେସ କହୁନାହିଁ ବରଂ ମୁଖ୍ୟମନ୍ତ୍ରୀ ଯେହେତୁ ଉତ୍ତରଦାୟୀ ତେଣୁ ସେ ଇସ୍ତଫା ଦେଇଦେବା କଥା । ବିରୋଧୀ ଦଳ ପକ୍ଷରୁ ଏ ପ୍ରସଙ୍ଗରେ ଦୃଷ୍ଟି ଆକର୍ଷଣ କରାଯାଇଥିଲା । କାହିଁକି ଠିକ୍ ଢଙ୍ଗରେ ଅନୁସନ୍ଧାନ ହେଉନାହିଁ ତାହାକୁ ନେଇ ଯୁକ୍ତି ବାଢିଥିଲୁ । ଅନୁସନ୍ଧାନ ଉପରେ ଓଡ଼ିଶାବାସୀଙ୍କର କାହିଁକି ବିଶ୍ୱାସ ହେଉନାହିଁ ସେ ନେଇ ପ୍ରଶ୍ନ କରାଯାଇଥିଲେ ମଧ୍ୟ ଏହାର ଉତ୍ତର ମିଳୁନାହିଁ । ଷଡଯନ୍ତ୍ର କଥା ବାରମ୍ବାର କୁହାଯାଉଛି । ଉତ୍ତର ରଖିବା ବେଳେ ପ୍ରଥମେ ଏକଥାକୁ ସରକାର ମାନୁନଥିଲେ । କିନ୍ତୁ ବିଳମ୍ବରେ ହେଲେ ମଧ୍ୟ ଷଡଯନ୍ତ୍ର କଥା ମାନିଛନ୍ତି ।

ଗୃହ ଭିତରେ ଏସବୁ ପ୍ରସଙ୍ଗ ଉତଥାପନ କରିବାକୁ ବିରୋଧୀଙ୍କୁ ବାଚସ୍ପତି ସମୟ ଦେବାର ଆବଶ୍ୟକତା ଥିଲା । ଗୃହ ଅଚଳ ହେଲେ ଏହାର ସୁପରିଚାଳନା ପାଇଁ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିଥାନ୍ତି । କିନ୍ତୁ ଆଜି ଗୃହ ଅଚଳ ହୋଇଥିଲେ ମଧ୍ୟ ବାଚସ୍ପତି ସର୍ବଦଳୀୟ ବୈଠକ ଡାକିନଥିଲେ । ଯାହା ଦର୍ଶାଉଛି ଏପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଘଣ୍ଟ ଘୋଡାଇବାକୁ ବାଚସ୍ପତି ଚାହୁଁଛନ୍ତି । ଯଦି ଗୃହକୁ ଅଧ ଘଣ୍ଟା ମୁଲତବି ରଖି ଗୃହକୁ ସ୍ୱାଭାବିକ କରିବାକୁ ବିରୋଧୀଙ୍କ ସହଯୋଗ ଲୋଡିଥାନ୍ତେ ତେବେ ଭଲ ହୋଇଥାନ୍ତା ବୋଲି କହିଛନ୍ତି ନରସିଂହ ।

ବିଧାନସଭା ଚାଲିଛି, ମୁଖ୍ୟମନ୍ତ୍ରୀ ବାହାରେ ବୁଲୁଛନ୍ତି । ଏଭଳି କରି ଗୃହକୁ ଅବଜ୍ଞା କରୁଛନ୍ତି ମୁଖ୍ୟମନ୍ତ୍ରୀ । ଗୃହ ଚାଲୁଥିବା ସମୟରେ ମୁଖ୍ୟମନ୍ତ୍ରୀ ରାଉରକେଲା ଯାଇଛନ୍ତି । ଏହା ଗୃହ ପାଇଁ ଅପମାନ ବୋଲି କହିଛନ୍ତି ନରସିଂହ ।