୮୧ ବର୍ଷରେ କଳାକୋଟ୍ ପିନ୍ଧିବେ କହିଲେ ନରସିଂହ ମିଶ୍ର : ମମିତା ମୃତ୍ୟୁ ମାମଲାରେ ପରିବାର ଚାହିଁଲେ କୋର୍ଟରେ ଲଢିବାକୁ ଦେଲେ ପ୍ରତିଶ୍ରୁତି

ଆବଶ୍ୟକ ପଡ଼ିଲେ କରିବେ ଜନସ୍ୱାର୍ଥ ମାମଲା

1,501

କନକ ବ୍ୟୁରୋ : ଦରକାର ପଡିଲେ ୮୧ ବର୍ଷ ବୟସରେ କଳାକୋର୍ଟ ପିନ୍ଧିବେ ବିଧାୟକ ନରସିଂହ ମିଶ୍ର । ଦେଓଗାଁ ବ୍ଲକ ଜରାସିଂହା ବୁଢୀଆଇ ମନ୍ଦିର ସମ୍ମୁଖରେ ଶୁକ୍ରବାର ଜରାସିଂହା ମେହେର ସମାଜ ପକ୍ଷରୁ ସ୍ୱର୍ଗତ ମମିତା ମେହେରଙ୍କ ଉଦ୍ଦେଶ୍ୟରେ ଏକ ସ୍ମୃତିସଭା ଆୟୋଜନ ହୋଇଥିଲା । ଏଥରେ ସାମିଲ ହୋଇଥିଲେ ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର । କାର୍ଯ୍ୟକ୍ରମରେ ନରସିଂହ କହିଥିଲେ, ମମିତା ମେହେର ଘଟଣାରେ ସରକାରୀ ଦଳର ନେତା ଓ ମନ୍ତ୍ରୀମାନେ ସମ୍ପୃକ୍ତ ଥିବାରୁ ଏହା ନିଶ୍ଚିତଭାବେ ବାଟବଣା ହେବ । ତେଣୁ ଏହାର ବିଧିବଦ୍ଧ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ନ ହେଲେ ସାରା ଓଡିଶାରେ ନିଆଁ ଜଳିବ । ଏପରି ଘଟଣା ପୁନରାବୃତି ହେଲେ ଆବଶ୍ୟକ ପଡିଲେ ୮୧ ବର୍ଷ ବୟସରେ କଳାକୋର୍ଟ ପିନ୍ଧିବାକୁ ବାଧ୍ୟ ହେବେ ବୋଲି କହିଛନ୍ତି ନରସିଂହ ।

ସେପଟେ, କଳାହାଣ୍ଡି ମମିତା ମେହେର ହତ୍ୟା ମାମଲାରେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଓ ଘଟଣାର ନିରପେକ୍ଷ ତଦନ୍ତ ଦାବି ନେଇ ବିଜେପି ଯୁବ ମୋର୍ଚ୍ଚାର ବିକ୍ଷୋଭ । କଳାହାଣ୍ଡି ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବିଜେପି ଯବୁ ମୋର୍ଚ୍ଚା । ମାଣିକେଶ୍ୱରୀ ମନ୍ଦିର ଠୁ ଯୁବମୋର୍ଚ୍ଚା କର୍ମୀ ଶୋଭାଯାତ୍ରାରେ ବାହାରି ଏସପି ସମ୍ମୁଖରେ ସଭା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ଏସପି ଅଫିସ ସମ୍ମୁଖରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି । ରାଜ୍ୟ ଯୁବମୋର୍ଚ୍ଚା ସଭାପତି ସିରାଶିଷ୍ ଆଚାର୍ଯ୍ୟ କହିଛନ୍ତି, ମନ୍ତ୍ରୀଙ୍କ ବହିଷ୍କାର ନହେଲେ ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ସରକାର ଦାୟୀ ରହିବେ ବୋଲି ଚେତାବନୀ ଦେଇଛନ୍ତି ।