କନକ ବ୍ୟୁରୋ: ଆଜିକାଲି ଯେଉଁଆଡେ ଗଲେ ହାତରେ ପ୍ଲାଷ୍ଟିକ୍ ପାଣି ବୋତଲ ନେବାକୁ ଭୁଲୁନାହାଁନ୍ତି । ଏଥିପାଇଁ ବିଭିନ୍ନ କମ୍ପାନୀ ମଧ୍ୟ ବୋତଲ ପ୍ୟାକ୍ଡ ପାଣି ବୋତଲ ପ୍ରସ୍ତୁତ କରୁଛନ୍ତି । କିନ୍ତୁ ଜାଣିଛନ୍ତି ଏହି ପ୍ଲାଷ୍ଟିକ୍ ବୋତଲ ପାଣି ଆପଣଙ୍କ ପାଇଁ କେତେ କ୍ଷତିକାରକ?
ନିକଟରେ ହୋଇଥିବା ଏକ ଗବେଷଣାରେ ଜଣାଯାଇଛି ଯେ ଦୈନନ୍ଦିନ ବ୍ୟବହୃତ ୧ ଲିଟର ପ୍ଲାଷ୍ଟିକ ବୋତଲ ପାଣିରେ ହାରାହାରି ୨ଲକ୍ଷ ୪୦ ହଜାର ଅତି କ୍ଷୁଦ୍ର ପ୍ଲାଷ୍ଟିକ୍ କଣିକା (ନାନୋ ପ୍ଲାଷ୍ଟିକ୍) ରହୁଛି। ଏହା ମଣିଷର ଧମନୀ, ଶିରାପ୍ରଶିରାରେ ପ୍ରବେଶ କରି ଜୀବକୋଷ ଉପରେ କୁପ୍ରଭାବ ପକାଉଛି। ଆମେରିକାର ନ୍ୟାସନାଲ୍ ଏକାଡେମି ଅଫ୍ ସାଇନ୍ସର ଗବେଷକଙ୍କ ଏକ ଟିମ୍ ଦ୍ବାରା କରାଯାଇଥିବା ଗବେଷଣାରେ ଏହା ଜଣାଯାଇଛି ଯେ ପାଣିରେ ମିଳୁଥିବା ପ୍ଲାଷ୍ଟିକ୍ ଖଣ୍ଡର ଆକାର ୧ ମାଇକ୍ରୋମିଟର ଅଟେ, ଅର୍ଥାତ୍ ମଣିଷର ବାଳର ୭ ଭାଗରୁ ୧ ଭାଗ ଅଟେ। ୧ ପ୍ଲାଷ୍ଟିକ୍ ବୋତଲରେ ଥିବା ପାଣିରେ ୧ରୁ ୫ହଜାର ମାଇକ୍ରୋମିଟର ଦୀର୍ଘ ପ୍ଲାଷ୍ଟିକ୍ ଅଣୁ ମିଳିଥାଏ। ପୂର୍ବେ ପ୍ଲାଷ୍ଟିକ୍ ବୋତଲରେ ଯେତିକି ପ୍ଲାଷ୍ଟିକ୍ ରହୁଥିବା ଅନୁମାନ କରାଯାଉଥିଲା, ବର୍ତମାନ ହୋଇଥିବା ଗବେଷଣାରେ ଏହାଠାରୁ ୧୦୦ଗୁଣ ଅଧିକ ପ୍ଲାଷ୍ଟିକ୍ ଖଣ୍ଡ ମିଳିଛି। ଗବେଷଣାରେ, ବିଭିନ୍ନ ସ୍ଥାନର ସଂଗୃହୀତ ୧୫ଟି ପ୍ଲାଷ୍ଟିକ୍ ବୋତଲର ପାଣିକୁ ପରୀକ୍ଷା କରାଯାଇଥିଲା। ଏଥିରେ ୧ଲକ୍ଷ ୧୦ ହଜାରରୁ ୩ଲକ୍ଷ ୭୦ ହଜାର ପର୍ୟ୍ୟନ୍ତ ପ୍ଲାଷ୍ଟକ୍ ଅଣୁ ମିଳିଥିଲା।