କନକ ବ୍ୟୁରୋ: ବରଗଡ ଧନୁ ଯାତ୍ରାର ଆଜି ଚତୁର୍ଥ ଦିନ । ଆଜି ଗୋପୁରରେ ଅନୁଷ୍ଠିତ ହେବ କୃଷ୍ଣଙ୍କ ବାଲ୍ୟ ଲୀଳା । ତୃତୀୟ ଦିନରେ ଗୋପପୁରବାସୀ ନନ୍ଦ ଉତ୍ସବ ପାଳନ କରିଛନ୍ତି । ନନ୍ଦ ରାଜା ଓ ନନ୍ଦ ରାଣୀ ଯୋଶଦା ଶ୍ରୀକୃଷ୍ଣଙ୍କୁ ପାଇ ଆତ୍ମବିଭୋର ହୋଇପଡିଛନ୍ତି । ନନ୍ଦ ନଅରରେ ଆୟୋଜନ କରିଥିଲେ ନନ୍ଦ ଉତ୍ସବ । ଏଥିରେ ସାମିଲ ହୋଇ ଶ୍ରୀକୃଷ୍ଣଙ୍କୁ ଦୋଳିରେ ଝୁଲାଇଥିଲେ ଗୋପପୁରବାସୀ ।
ବିଶ୍ୱପ୍ରସିଦ୍ଧ ମୁକ୍ତାକାଶ ରଂଗମଞ୍ଚ ଧନୁଯାତ୍ରାର ତୃତୀୟ ଦିନରେ ବିଜୁଳି କନ୍ୟାଙ୍କ ଦୈବୀବାଣୀ ଦୃଶ୍ୟ ଅଭିନୀତ ହୋଇଛି । ଭଉଣୀ ଦେବକୀ ଓ ବସୁଦେବଙ୍କୁ କାରାଗାରରେ ବନ୍ଦୀ କରିଥିଲେ ମହାରାଜ କଂସ । ଅଷ୍ଟମ ଗର୍ଭର ସନ୍ତାନ ମୃତ୍ୟୁର କାରଣ ଜାଣିବା ପରେ ମଥୁରା ନରେଶ ଅଷ୍ଟମ ଗର୍ଭର କନ୍ୟାକୁ ଦେବକୀଙ୍କୁ କୋଳରୁ ଛଡାଇ ନେଇ ଚଟାଣରେ କଚାଡି ମାରିବାକୁ ଉଦ୍ୟମ କରିଥିଲେ । ଏହି ସମୟରେ ବିଜୁଳି କନ୍ୟା କଂସଙ୍କ ହାତରୁ ଖସି ଯାଇ ଆକାଶମାର୍ଗରୁ ଦୈବୀବାଣୀ କରିଥିଲେ । ଗୋପପୁରରେ ଶ୍ରୀକୃଷ୍ଣ ବଢୁଥିବା ଓ ଶ୍ରୀକୃଷ୍ଣଙ୍କ ହାତରେ ମୃତ୍ୟୁ ହେବା ଖବର ଶୁଣି ବିଚଳିତ ହୋଇପଡିଛନ୍ତି ମଥୁରା ନରେଶ । ବିସର୍ଣ୍ଣ ଓ ଭୟଗ୍ରସ୍ତ ମନକୁ ସରସ କରିବା ପାଇଁ ମହାରାଜ କଂସ ରଙ୍ଗ ମହଲରେ ସମୟ କାଟିଛନ୍ତି । ଏହି ଅବସରରେ ନାଚଗୀତର ଆସର ଜମିଛି ।