ନନ୍ଦିଗ୍ରାମରେ ନିର୍ବାଚନ ହାରିବା ପ୍ରସଙ୍ଗରେ ହାଇକୋର୍ଟରେ ମମତା ବାନାର୍ଜୀଙ୍କ ଆବେଦନ । ଫଳାଫଳରେ ଅନିୟମିତତା ହୋଇଥିବା କଲେ ଅଭିଯୋଗ ।

245

କନକ ବ୍ୟୁରୋ: ପଶ୍ଚିମବଙ୍ଗର  ନନ୍ଦିଗ୍ରାମ  ସିଟରୁ  ନିର୍ବାଚନ  ହାରିବା  ହାଇକୋର୍ଟଙ୍କ  ଦ୍ୱାରସ୍ଥ  ହୋଇଛନ୍ତି ଟିଏମସି ସୁପ୍ରିମୋ ତଥା ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ମମତା  ବାନାର୍ଜୀ  । ନନ୍ଦିଗ୍ରାମ ଆସନରୁ ଶୁୁଭେନ୍ଦୁ  ଅଧିକାରୀଙ୍କ  ବିଜୟକୁ ଚ୍ୟାଲେଞ୍ଜ କରି ମମତା କୋର୍ଟରେ ଆବେଦନ କରିଛନ୍ତି  । ତେବେ  ଶୁକ୍ରବାର  ହାଇକୋର୍ଟ  ଶୁଣାଣି  କରି  ମାମଲାର  ପରବର୍ତୀ  ଶୁଣାଣୀ  ୨୪  ଜୁନ୍କୁ  ଘୁଂଚାଇ  ଦେଇଛନ୍ତି  ।  ଯାହାକୁ  ନେଇ  ଅସନ୍ତୁଷ୍ଟ  ପ୍ରକାଶ  କରିଛି  ଟିଏମସି  ।  କେବଳ  ସେତିକି  ନୁହେଁ  ମାମଲାର  ବିଚାର  କରୁଥିବା  ବିଚାରପତିଙ୍କ ବିରୋଧରେ ଅଭିଯୋଗ ଆଣିଛି ଟିଏମସି  । ସମ୍ପୃକ୍ତ ବିଚାରପତିଙ୍କ ବିଜେପି ସହ ସମ୍ପର୍କ ଥିବା ଅଭିଯୋଗ ଆଣିଛନ୍ତି ଟିଏମସି ନେତା  ।

ଆଠଟି ପର୍ଯ୍ୟାୟରେ ହୋଇଥିବା  ପଶ୍ଚିମବଙ୍ଗ  ନିର୍ବାଚନର  ଫଳାଫଳ  ମେ ୨  ତାରିଖରେ  ଘୋଷଣା  ହୋଇଥିଲା  ।  ଏଥିରେ ଟିଏମସି ବହୁମତ ପାଇଥିଲା  । ତେବେ ସମସ୍ତଙ୍କ ନଜର  ନନ୍ଦିଗ୍ରାମ  ଫଳାଫଳ  ଉପରେ  ରହିଥିଲା  ।  କାରଣ  ଏହି  ସିଟରୁ  ନିଜେ  ମୁଖ୍ୟମନ୍ତ୍ରୀ  ମମତା  ବାନାର୍ଜୀ  ନିର୍ବାଚନ  ଲଢୁଥିଲେ  ।  ଆଉ  ତାଙ୍କ  ବିପକ୍ଷରେ  ଲଢ଼ୁଥିଲେ ବିଜେପିର ବିଜେପିର  ଟାଣୁଆ ନେତା ତଥା  ଏକଦା  ମମତାଙ୍କ  ଘନିଷ୍ଠ  ସହଯୋଗୀ  ଥିବା  ଶୁଭେନ୍ଦୁ  ଅଧିକାରୀ  ।  ତେବେ  ଶୁଭେନ୍ଦୁଙ୍କ  ଠାରୁ  ୧୯୫୬  ଭୋଟ୍ରେ  ହାରି ଯାଇଥିଲେ  ମମତା  ବାନାର୍ଜୀ  ।  ପରେ  ଭୋଟିଂର  ପୁନଃ  ଗଣତି  ପାଇଁ  ମଧ୍ୟ  ଦାବି କରିଥିଲେ  । ତେବେ ଏହାକୁ ଅସ୍ୱୀକାର କରିଥିଲେ ନିର୍ବାଚନ କମିଶନ  । ତେବେ ଏହି ପ୍ରସଙ୍ଗକୁ ନେଇ ହାଇକୋର୍ଟଙ୍କ  ଦ୍ୱାରସ୍ଥ  ହୋଇଛନ୍ତି  ମମତା  ।

ସେପଟେ  ବିଜେପିରୁ  ଟିକେଟ୍  ପାଇ  ନିର୍ବାଚନ  ଜିତିବା  ପରେ  ବିଧାୟକ  ମୁକୁଲ  ରୟ ନିକଟରେ ଟିଏମସିକୁ ଫେରିଯାଇଛନ୍ତି  । ଏହାକୁ ନେଇ ମୁକୁଲ  ରୟଙ୍କ  ଇସ୍ତଫା  ଦାବି କରିଛି ବିଜେପି  । ବିଧାନସଭା ବାଚସ୍ପତିଙ୍କ ନିକଟରେ ଏନେଇ ଦାବି ଉଠାଇଛନ୍ତି ପଶ୍ଚିମବଂଗ ବିରୋଧୀ ଦଳ ନେତା ଶୁଭେନ୍ଦୁ  ଅଧିକାରୀ  ।