ବାହୁଡିଲେ ମହାବାହୁ : ଘଣ୍ଟ ବାଜିଲା, ଡାହୁକ ଡାକ ଦେଲା, କଳାଗୋସାଇଁର ନନ୍ଦିଘୋଷ ଗଡିଲା

107

କନକ ବ୍ୟୁରୋ : ଚଳଚଂଚଳ ଶ୍ରୀକ୍ଷେତ୍ର । ନଅ ଦିନର ଯାତ୍ରା ଶେଷ କରି ଶ୍ରୀମନ୍ଦିରକୁ ବାହୁଡି ଯାଉଛନ୍ତି କାଳିଆ ସାଆନ୍ତ । ପ୍ରଶାସନ ଠାରୁ ଆରମ୍ଭ କରି ସେବାୟତ ଯାଏଁ, ସମସ୍ତେ ନିଜ ନିଜ ସେବାରେ ବ୍ୟସ୍ତ । ପ୍ରଭୁଙ୍କ ଏହି ମାନବୀୟ ଲୀଳା, ଦୂରରୁ ଥାଇ ଟିଭି ମାଧ୍ୟମରେ ଦେଖୁଛନ୍ତି ଭକ୍ତ । କରୋନାକୁ ଦୃଷ୍ଟିରେ ରଖି ଭକ୍ତଙ୍କୁ ଏହି ଦୁର୍ଲଭଯାତ୍ରାରୁ ବିଚ୍ୟୁତ ରଖାଯାଇଛି ।

ତେବେ ବାହୁଡା ଯାତ୍ରାର ନିର୍ଘଂଟ ନୀତି ଅନୁଯାୟୀ ସକାଳ ଆଠଟାରୁ ଆରମ୍ଭ ହୋଇଥିଲା ପହଣ୍ଡି ଯାତ୍ରା । ପରମ୍ପରା ଅନୁଯାୟୀ ସମସ୍ତ ନୀତି ସୁଂଖଳିତ ଭାବେ ଶେଷ ହୋଇଛି । ତେବେ ନିର୍ଦ୍ଧାରିତ ସମୟ ପୂର୍ବରୁ ବଡ ଠାକୁର ଶ୍ରୀବଳଭଦ୍ରଙ୍କ ରଥ ତାଳଧ୍ୱଜ ରଥ ପ୍ରଥମେ ଟଣାହୋଇଥିଲା ବେଳେ ପଛେ ପଛେ ଗଡିଚାଲିଛି ହଳଦୀମୁହିଁ ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ । ପୂର୍ବରୁ ସ୍ଥିରୀକୃତ ହୋଇଥିବା ସମୟରେ ରଥଟଣା ଆରମ୍ଭ ହୋଇଥାନ୍ତା କିନ୍ତୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ସବୁ ନୀତିକାନ୍ତି ନିର୍ଦ୍ଧାରିତ ସମୟ ପୂର୍ବରୁ ଶୃଙ୍ଖଳିତ ଭାବେ ଶେଷ ହୋଇ ରଥଟଣା ଆରମ୍ଭ ହୋଇଥିଲା ।