ଧରାପଡିଗଲା ନନ୍ଦିଘୋଷ ଟିଭି ମହାମିଛ । ବୈଜୟନ୍ତୀ କର ଫେରାର ଥିବା ନେଇ କରୁଥିଲା ମିଛ ଖବର ପ୍ରସାରଣ, କ୍ୟାମେରା ସାମ୍ନାରେ ଇଷ୍ଟର୍ଣ୍ଣ ମିଡ଼ିଆ ଏଚଆର ମୁଖ୍ୟ ଖୋଲିଦେଲେ ପୋଲ ।

2,253

କନକ ବ୍ୟୁରୋ : ଧରାପଡିଲା ନନ୍ଦିଘୋଷ ଟିଭିର ମହାମିଛ । ସତ ସାମ୍ନାକୁ ଆସିବା ପରେ ଖବର ବଦଳାଇଲା ନନ୍ଦିଘୋଷ ଟିଭି । ଘଣ୍ଟା ଘଣ୍ଟା ଧରି ମଛ ଖବର ଚଲାଇ ଆସୁଥିଲା ନନ୍ଦିଘୋଷ ଟିଭି । ଇଷ୍ଟର୍ଣ୍ଣ ମିଡ଼ିଆର ଏଚଆର ମୁଖ୍ୟ ବୈଜୟନ୍ତୀ କର ଫେରାର ଥିବା ନେଇ ବାରମ୍ବାର ଖବର ପ୍ରସାରଣ କରୁଥିଲା ନନ୍ଦିଘୋଷ ଟିଭି । ଇଓଡବ୍ଲୁରେ ହୋଇଥିବା ଏକ ଅଭିଯୋଗ ପରେ ବୈଜୟନ୍ତୀ କର ଫେରାର ଥିବା ନେଇ କହି ଆସୁଥିଲା ଉକ୍ତ ଗଣମାଧ୍ୟମ । କିନ୍ତୁ ସମ୍ବାଦ ଭବନରେ ଇଓଡବ୍ଲୁ ଚଢାଉ କଲା ବେଳେ ନନ୍ଦିଘୋଷ ଟିଭିର ମହାମିଛର ପର୍ଦ୍ଦାଫାଶ ହୋଇଥିଲା । କାରଣ ସମ୍ବାଦ ଅଫିସରେ ଉପସ୍ଥିତ ଥିଲେ ଇଷ୍ଟର୍ଣ୍ଣ ମିଡ଼ିଆର ଏଚଆର ମୁଖ୍ୟ ବୈଜୟନ୍ତୀ କର । କେବଳ ଏତିକି ନୁହେଁ ଇଓଡବ୍ଲୁର ଗୋଟି ଗୋଟି ପ୍ରଶ୍ନର ଉତ୍ତର ରଖିଥିଲେ ।

ଇଓଡବ୍ଲୁ ପ୍ରଶ୍ନର ଉତ୍ତର ଦେବା ପରେ ବୈଜୟନ୍ତୀ କହିଛନ୍ତି, ଅଭିଯୋଗ ଥିବାରୁ ଇଓଡବ୍ଲୁ ଏଠାକୁ ଆସିଛି । କିନ୍ତୁ ମୁଁ ଫେରାର ଥିବା ନେଇ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଖବର ପ୍ରସାରଣ କରୁଥିଲା । ଯେଉଁଥିପାଇଁ ଇଓଡବ୍ଲୁ ବୟାନ ନେବାକୁ ଅଫିସ ଆସିଥିଲା । ଆମେ ତାଙ୍କୁ ସବୁ ପ୍ରକାର ସହଯୋଗ କରୁଛୁ । ଇଓଡବ୍ଲୁ ଯାହା କାଗଜପତ୍ର ମାଗିଛନ୍ତି ତାହା ଆମେ ଦେଉଛୁ । ମୁଁ ସବୁଦିନ ଅଫିସ ଆସୁଛି, ସନ୍ଧ୍ୟାରେ ଘରକୁ ଫେରୁଛି । ଇଓଡବ୍ଲୁ ମୋ ସହ ଯୋଗାଯୋଗ କରୁଛନ୍ତି । କିନ୍ତୁ ଏଭଳି ମିଛ ଖବର ପ୍ରସାରଣ ଦ୍ୱାରା ସାଧାରଣ ଜନତା ଏ ବୈଦ୍ୟୁତିକ ଗଣମାଧ୍ୟମକୁ ବିଶ୍ୱାସ କରିବେ ନାହିଁ । ମୁଁ ଜଣେ ସାଧାରଣ କର୍ମଚାରୀ । ମୋ ନାଁରେ ଯେଉଁ ଅପପ୍ରଚାର ହେଉଥିଲା ତାହାର ସତ ସାମ୍ନାକୁ ଆସିବା ପରେ ଉକ୍ତ ବୈଦ୍ୟୁତିକ ଗଣମାଧ୍ୟମ ଆଉ ବିଶ୍ୱାସଭାଜନ ହୋଇ ରହିବ ନାହିଁ । ସତ ଖବର ପ୍ରକାଶ କରନ୍ତୁ, ଅନ୍ୟଙ୍କୁ ପ୍ରଭାବିତ ନ କରନ୍ତୁ ଏବଂ ମାନସିକ ଚାପ ନ ଦିଅନ୍ତୁ ବୋଲି କହିଛନ୍ତି ବୈଜୟନ୍ତୀ ।