ଜଗନ୍ନାଥଙ୍କ ନନ୍ଦିଘୋଷ ରଥ ! କଣ ରହିଛି ଏହି ନାମର ଅର୍ଥ?

ପୁରୀ ରଥଯାତ୍ରାର ରଥ ତିନିଟି

237
କନକ ବ୍ୟୁରୋ : ପୁରୀ ରଥଯାତ୍ରାର ରଥ ତିନିଟି । ‘ନନ୍ଦିଘୋଷ’, ‘ତାଳଧ୍ୱଜ’ ଓ ‘ଦେବଦଳନ’ । ‘ନନ୍ଦିଘୋଷ’ ଶ୍ରୀଜଗନ୍ନାଥଙ୍କ ରଥ, ‘ତାଳଧ୍ୱଜ’ ଶ୍ରୀବଳଭଦ୍ରଙ୍କ ରଥ ଏବଂ ‘ଦେବଦଳନ’ ଦେବୀ ସୁଭଦ୍ରାଙ୍କ ରଥ । ଦେବୀଙ୍କ ରଥରେ ଶ୍ରୀସୁଦର୍ଶନ ବିରାଜମାନ କରନ୍ତି । କିନ୍ତୁ ଏହି ସବୁ ରଥ ଗୋଟିଏ ଗୋଟିଏ ହେଲେ ହେଁ ସେମାନଙ୍କର ଅନେକ ନାମ ରହିଛି । ସେହି ନାମ ଯେତିକି ତାତ୍ପର୍ଯ୍ୟପୂର୍ଣ୍ଣ, ସେତିକି କୌତୂହଳଜନକ ।
ଅତିବଡ଼ୀ ଜଗନ୍ନାଥ ଦାସଙ୍କ ନବାକ୍ଷରୀ ଓଡ଼ିଆ ଭାଗବତରେ ‘ନନ୍ଦିଘୋଷ’ର ନାଆଁ ଅଛି । ତାହାର ଚକର ସଂଖ୍ୟା ୧୬ ଓ ଅନ୍ୟନାମ ‘ଗରୁଡ଼ଧ୍ୱଜ’ ବୋଲି କୁହାଯାଇଛି । ମହର୍ଷି ବେଦବ୍ୟାସଙ୍କ ସଂସ୍କୃତ ‘ଶ୍ରୀମଦ୍ଭାଗବତ’ରେ ‘ନନ୍ଦିଘୋଷ’ର ନାମ ନଥିଲେ ମଧ୍ୟ, ଓଡ଼ିଆ ଭାଗବତକାର ଜଗନ୍ନାଥ ଦାସ ‘ନନ୍ଦିଘୋଷ କଥା’ ଲେଖିଛନ୍ତି ।
‘ନନ୍ଦିଘୋଷ’ରେ ଅଛି ଦୁଇଟି ଶବ୍ଦ- ‘ନନ୍ଦି’ ଓ ‘ଘୋଷ’ । ‘ନନ୍ଦି’ର ଅର୍ଥ ଆନନ୍ଦଦାୟୀ ଓ ‘ଘୋଷ’ର ଅର୍ଥ ଧ୍ୱନି । ଏଣୁ ‘ନନ୍ଦିଘୋଷ’ର ଅର୍ଥ ବ୍ରହ୍ମାନନ୍ଦ ପ୍ରଦାନ କରୁଥିବା ଧ୍ୱନି । ‘ଘୋଷ’ର ଅନ୍ୟ ଅର୍ଥ ମଧ୍ୟ ମଙ୍ଗଳଧ୍ୱନି । ଏଣୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ଅନ୍ୟନାମ ‘ଘୋଷଯାତ୍ରା’ । ଏହା ସମସ୍ତଙ୍କର ମଙ୍ଗଳ ନିମନ୍ତେ ଉଦ୍ଦିଷ୍ଟ ।
source : google

‘ନନ୍ଦିଘୋଷ’ ସଂପର୍କରେ ଗୋଟିଏ କୌତୁକପୂର୍ଣ୍ଣ କାହାଣୀ ମିଳେ ବଳରାମ ଦାସଙ୍କ ‘ରାମାୟଣ’ରୁ । ଏହାକୁ ‘ଦାଣ୍ଡି ରାମାୟଣ’ ବା ‘ଜଗମୋହନ ରାମାୟଣ’ ମଧ୍ୟ କୁହାଯାଏ । ସେଥିରେ ‘ଗରୁଡ଼ଧ୍ୱଜ’ ଓ ‘ନନ୍ଦିଘୋଷ’ ନାମ ଅଛି । ଉପାଖ୍ୟାନ ଅନୁସାରେ- ରାମ ଓ ରାବଣ ଭିତରେ ଯୁଦ୍ଧ ହେବା ବେଳେ ରାବଣ ରଥରେ ଚଢ଼ି ଯୁଦ୍ଧ କରୁଥିଲା, କିନ୍ତୁ ରାମଙ୍କର ରଥ ନଥିଲା । ସେ ଖାଲିପାଦରେ, ଭୂମିରେ ଥାଇ ଯୁଦ୍ଧ କରୁଥିଲେ । ତାହା ଦେଖି ଦେବତା, ଗନ୍ଧର୍ବ ଓ କିନ୍ନରମାନେ ଇନ୍ଦ୍ରଙ୍କୁ ଅନୁରୋଧ କରିବାରୁ, ଇନ୍ଦ୍ର ତାଙ୍କର ସାରଥି ମାତଳିକୁ ରଥ ସହିତ ତାଙ୍କ ପାଖକୁ ପଠାଇଲେ । ମାତଳି ଯାଇ ରାମଙ୍କୁ ରଥ ଦେଲେ । ସେହି ରଥର ନାମ ଥିଲା ‘ଗରୁଡ଼ଧ୍ୱଜ’ ।

ଏ କାହାଣୀ ସହିତ ବଳରାମ ଦାସ ଆଉ ଏକ କାହାଣୀ ମଧ୍ୟ ଲେଖିଛନ୍ତି । ତାହା ଅନୁସାରେ, ଥରେ ରାବଣ ଦେବଦେବ ମହାଦେବଙ୍କ ଦର୍ଶନପାଇଁ ହିମାଳୟକୁ ଯାଇଥିଲା । ସେତେବେଳେ, ଶିବବାହନ ନନ୍ଦୀଙ୍କ ଉପରେ ରାଗି ସେ ତାଙ୍କୁ ଚାପୁଡ଼ାଟିଏ ମାରିଥିଲା । ନନ୍ଦୀ ସେ ନେଇ ବ୍ରହ୍ମାଙ୍କ ପାଖରେ ଅଭିଯୋଗ କରିଥିଲେ । ତେଣୁ ସେହି ଅପମାନର ପ୍ରତିଶୋଧ ନେବାପାଇଁ ରାମ-ରାବଣ ଯୁଦ୍ଧବେଳେ ବ୍ରହ୍ମା ନନ୍ଦୀଙ୍କୁ ଲଙ୍କାର ଯୁଦ୍ଧକ୍ଷେତ୍ରକୁ ପଠାଇଥିଲେ । ବଳରାମ ଦାସଙ୍କ ବର୍ଣ୍ଣନା ଅନୁସାରେ-

ବ୍ରହ୍ମାର ବଚନେ ନନ୍ଦିକେଶ୍ୱର ଗଲା ।
ଗରୁଡ଼ଧ୍ୱଜ ରଥଚକ୍ରରେ ବସିଲା ।।
ଶରୀର ଲୁଚାଇ ସେ ଗୁପତେ ଅଛି ରହି ।
ପୂର୍ବର ଶାପ ଅର୍ଥେ ବ୍ରହ୍ମାର ବର ପାଇ ।।
ଘୋ ଘୋ କିରି କିରି ରାବ ଘୋଷ ଶୁଭେ ।
ଶୁଣିଣ ଉସତ ହୋଇଲେ ସର୍ବ ଦେବେ ।।
ଏହି ଉପାଖ୍ୟାନ ଅନୁସାରେ- ‘ନନ୍ଦିଘୋଷ’ ରଥ ଚାଲିଲା ବେଳେ ତା’ର ଚକରୁ ଯେଉଁ ଶବ୍ଦ ବାହାରେ, ତାହା ଶିବବାହନ ନନ୍ଦୀଙ୍କର ଘୋଷ- ‘ଘୋ ଘୋ କିରିକିରି’ । ଗୁପ୍ତରେ ରଥଚକରେ ବସିରହି ନନ୍ଦୀ ସେହି ଘୋଷ କରେ । ତାହା ଶୁଣି ସମସ୍ତେ ‘ଉସତ’ ବା ଆନନ୍ଦିତ ହୁଅନ୍ତି । କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମଧ୍ୟ ତାଙ୍କ ‘ବୈଦେହୀଶ ବିଳାସ’ କାବ୍ୟରେ ଏହାକୁ ଗ୍ରହଣ କରିଛନ୍ତି । କିନ୍ତୁ ଏହି ଶବ୍ଦକୁ ସେ ‘ସର୍ଜନ ଗର୍ଜନ’ ବୋଲି କହିଛନ୍ତି ।

Comments are closed.